ଆୟୂଷ ଡାକ୍ତରଙ୍କୁ ସରକାରୀ ମାନ୍ୟତା ସହ ସମସ୍ତ ସୁବିଧା ସୁଯୋଗ ପ୍ରଦାନ ଦାବି

ବାରିପଦା: ମୟୂରଭଞ୍ଜରେ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହି ସମୟରେ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀମାନଙ୍କ ଭୂମିକା ମଧ୍ୟ ବେଶ ଗୁରୁତ୍ୱପୂର୍ଣ୍ଣ । ମୟୂରଭଞ୍ଜ ଜିଲ୍ଲାରେ ଏନଏଚଏମ ଅଧୀନରେ ଅନେକ ଠିକା ଭିତ୍ତିକ କର୍ମଚାରୀମାନେ ଜିଲ୍ଲାର ୨୬ଟି ବ୍ଲକରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ କାର୍ଯ୍ୟ କରୁଛନ୍ତି । ସେହିପରି କରୋନା ମହାମାରୀର ମୁକାବିଲା ନିମନ୍ତେ ଟିଏମସି କେନ୍ଦ୍ର, କୋଭିଡ୍ କେୟାର ଆଦିରେ ଆୟୂଷ ଡାକ୍ତରମାନଙ୍କ ଉପରେ କୋଭିଡ୍ ସଂକ୍ରମିତଙ୍କ ଚିକିତ୍ସା ଦାୟିତ୍ୱ ନ୍ୟସ୍ତ କରିଛନ୍ତି ରାଜ୍ୟ ସରକାର । ପୁଣି ହୋମ ଆଇସୋଲେସନରେ ଥିବା ପଜିଟିଭ ରୋଗୀମାନଙ୍କ ଚିକିତ୍ସା ଦାୟିତ୍ୱରେ ମଧ୍ୟ ରହିଛନ୍ତି ।

କେବଳ ଏତିକି ନୁହେଁ ବିଭିନ୍ନ ମହାମାରୀ, ବିପର୍ଯ୍ୟୟ ସମୟରେ ଆୟୂଷ ଡାକ୍ତର ସେବା ପ୍ରଦାନରେ ଆଗରେ ଥାନ୍ତି । କରୋନା ରୋଗୀମାନଙ୍କ ସଂସ୍ପର୍ଶରେ ଆସି ଅନେକ ଆୟୂଷ ଡାକ୍ତର କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ କେତେକଙ୍କ ମୃତ୍ୟୁ ହୋଇଯାଇଛି । ଦୀର୍ଘ ୧୪ ବର୍ଷରୁ ଅଧିକ ସମୟ ଧରି ସେବା ପ୍ରଦାନ କରି ଆସୁଥିବା ଏହି ଡାକ୍ତରମାନଙ୍କୁ ସରକାର ସ୍ଥାୟୀ କରାଇବା ସହିତ ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ କରାଇ ଆସିବା ଅତ୍ୟନ୍ତ ଦୁର୍ଭାଗ୍ୟଜନ । ପୁଣି ସରକାରଙ୍କ ପାତର ଅନ୍ତର ମନୋଭାବ ଅତ୍ୟନ୍ତ ଦୁଃଖ ଦାୟକ । କରୋନା ମହାମାରୀରେ କାର୍ଯ୍ୟରତ ଆୟୂଷ ଡାକ୍ତରମାନଙ୍କୁ ସରକାର ଗୋଟାଏ ମାସର ଅଗ୍ରୀମ ଦରମା ପ୍ରଦାନ କରିଥିବା ବେଳେ ସ୍ଥାୟୀ କର୍ମଚାରୀମାନଙ୍କୁ ୪ ମାସର ଦରମା ଦେବା ଏହାର ନଗ୍ନ ଉଦାହରଣ ।

ବର୍ତ୍ତମାନର ମହଙ୍ଗା ବଜାରରେ ସ୍ୱଳ୍ପ ବେତନ ପାଉଥିବା ଠିକା ଭିତ୍ତିକ ନିଯୁକ୍ତି ପାଇଥିବା ଆୟୂଷ ଡାକ୍ତରମାନେ ପରିବାରର ଭରପୋଷଣ ଭାର ସମ୍ଭାଳିବା ଦୂରର ବିଷୟ ନିଜର ଗଜୁରାଣ ମେଣ୍ଟାଉଥିବା ଅସମ୍ଭବ ହୋଇପଡ଼ିଛି । ଏଣୁ ଓଡ଼ିଶା ସରକାର ଆୟୂଷ ଡାକ୍ତରମାନଙ୍କର ଭବିଷ୍ୟତକୁ ଦୃଷ୍ଟିରେ ରଖି ଅବିଳମ୍ବେ ସେମାନଙ୍କ ଚାକିରୀକୁ ସ୍ଥାୟୀ କରାଇବା ସହ ଅନ୍ୟାନ୍ୟ ସମସ୍ତ ସରକାରୀ ସୁବିଧା ସୁଯୋଗ ପ୍ରଦାନ ନିମନ୍ତେ ମୟୂରଭଞ୍ଜ ଜିଲ୍ଲା ଆୟୂଷ ଡାକ୍ତର ସଂଘ ପକ୍ଷରୁ ଦାବି କରାଯାଇଛି ।

ସମ୍ବନ୍ଧିତ ଖବର