ବାଲେଶ୍ୱର: ବାଲେଶ୍ୱରର ବବିତା ପଣ୍ଡା ଜଣେ ପୁଲିସ କନେଷ୍ଟବଳ ଭାବେ କାର୍ଯ୍ୟରତ । ନିକଟରେ ଅନୁଷ୍ଠିତ ହୋଇଥିବା ଜାତୀୟ କ୍ରୀଡାରେ ବବିତା ୪ଟି ସ୍ୱର୍ଣ୍ଣ ପଦକ ଜିତି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ।
ବାଲେଶ୍ୱରର ଝିଅ ବବିତା ପଣ୍ଡା ରସାଳପୁର ବୈକୁଣ୍ଠନାଥ ଚୌଧୁରୀଙ୍କ ଝିଅ ବବିତା। ଓଡ଼ିଶା ପୁଲିସରେ ୨୨ ବର୍ଷ ଧରି ସେ କନେଷ୍ଟବଳ ଭାବେ କାର୍ଯ୍ୟରତ ଅଛନ୍ତି । ପୁଲିସ ବିଭାଗରେ ଚାକିରି କରିଥିବା ବବିତା ଖେଳକୁଦରେ ମଧ୍ୟ ପାରଙ୍ଗମ । ତାଙ୍କ ଫିଜିକାଲ୍ ଫିଟନେସ୍ ତାଙ୍କୁ କ୍ରୀଡା କ୍ଷେତ୍ରରେ ଗୋଟିଏ ପରେ ଗୋଟିଏ ସଫଳତା ଆଣି ଦେଇଛି।
ନିକଟରେ ଡେରାଡୁନରେ ଆୟୋଜିତ ଜାତୀୟ ମାଷ୍ଟରସ୍ ଗେମରେ ବାଲେଶ୍ୱରରୁ ଜଣେ ମାତ୍ର ପ୍ରତିଯୋଗୀ ଭାବେ ବବିତା ଭାଗ ନେଇ ୪ଟି ସ୍ୱର୍ଣ୍ଣ ଜିତି ପ୍ରଶଂସା ସାଉଁଟିଛନ୍ତି । ୨୭ଟି ରାଜ୍ୟର ପ୍ରତିଯୋଗୀ ସାମିଲ ହୋଇଥିବା ବେଳେ ବବିତା ଲଙ୍ଗ ଜମ୍ପ, ୫ କିଲୋମିଟର ଦୌଡ, ୧୫ଶହ ମିଟର ଦୌଡ ଓ ୪ ଶହ ମିଟର ଦୌଡରେ ସ୍ୱର୍ଣ୍ଣ ଜିତିଛନ୍ତି ।
ଖେଳକୁଦ ପାଇଁ ଶାରିରୀକ ସକ୍ଷମତା ନିହାତି ଜରୁରୀ । ତେଣୁ ପ୍ରତିଦିନ ସକାଳୁ ଦୌଡ ଅଭ୍ୟାସ କରିବା ସହ ଜୋରଦାର ବ୍ୟାୟାମ କରିଥାନ୍ତି ବବିତା । ରାଜ୍ୟ ଓ ଜାତୀୟ ସ୍ତରୀୟ କ୍ରୀଡାରେ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ହାସଲ କରିଥିବା ବବିତାଙ୍କୁ ପ୍ରୋତ୍ସାହନ ମିିଳିଲେ ସେ ଏସିଆଡ୍ ଖେଳିବେ ବୋଲି ଆଶା ରଖିଛନ୍ତି ।
୩ରୁ୪ ଥର ଅନ୍ତର୍ଜାତୀୟ କ୍ରୀଡା ପାଇଁ ଚୟନ ହୋଇଥିଲେ ସୁଦ୍ଧା ଆର୍ଥିକ ସମସ୍ୟା ତାଙ୍କ ବାଟ ଓଗାଳିଛି । ଚାକିରି, ଖେଳକୁଦ କରିବା ସହ ସଂସାର ଗାଡିକୁ ଖୁବ୍ ସୁନ୍ଦର ଭାବେ ୨ଟି ପୁଅର ମାଆ ବବିତା ସ୍ୱାମୀଙ୍କ ସହଯୋଗରେ ଆଗକୁ ବଢାଇ ଚାଲିଛନ୍ତି।