ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ତ ବଡ଼ମାଳ ସ୍ବାସ୍ଥ୍ୟକେନ୍ଦ୍ରରେ ତାଲା ଝୁଲୁଥିବାରୁ ବାରଣ୍ଡାରେ ଜଣେ ମହିଳା ପ୍ରସବ କରିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଏହା ରେଢ଼ାଖୋଲ ଉପଖଣ୍ଡ ଗ୍ରାମାଞ୍ଚଳରେ ଭୁଶୁଡ଼ି ପଡ଼ିଥିବା ସ୍ବାସ୍ଥ୍ୟସେବାର ନଗ୍ନ ଉଦାହରଣ ବୋଲି ମତପ୍ରକାଶ ପାଇଛି।

Advertisment

ସୂଚନା ଅନୁସାରେ, ବୁଧବାର ଭାଲିଆକଟା ପଞ୍ଚାୟତ ତୁଡ଼ାବାହାଳ ଗ୍ରାମର ପ୍ରମୋଦ ମାଝୀଙ୍କ ସ୍ତ୍ରୀ ବେତମତୀ (୩୨)ଙ୍କ ପ୍ରସବ ବେଦନା ହୋଇଥିଲା। ତାଙ୍କୁ ନେଇ ଦିନ ପ୍ରାୟ ୧.୩୦ମି.ରେ ପ୍ରମୋଦ ବଡ଼ମାଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇଥିଲେ। ସେ ପହଞ୍ଚିଲା ବେଳକୁ ସ୍ବାସ୍ଥ୍ୟକେନ୍ଦ୍ର ଗେଟ୍‌ରେ ତାଲା ଝୁଲୁଥିଲା। ଫଳରେ ପ୍ରମୋଦ କ’ଣ କରିବେ ବୁଝିପାରି ନଥିଲେ। ତେବେ ସ୍ତ୍ରୀ ବେଦମତୀଙ୍କ ପ୍ରସବ ବେଦନା ବଢ଼ିବାରେ ଲାଗିଲା। ପ୍ରମୋଦ ବାଧ୍ୟ ହୋଇ ନିଜ ସ୍ତ୍ରୀଙ୍କୁ ଏକୁଟିଆ ସ୍ବାସ୍ଥ୍ୟକେନ୍ଦ୍ର ବାରଣ୍ତାରେ ଛାଡ଼ି ଦେଇ ଡାକ୍ତରଖାନା କର୍ମଚାରୀଙ୍କୁ ଖୋଜିବାରେ ଲାଗିଥିଲେ। ଶେଷରେ ସ୍ବାସ୍ଥ୍ୟକେନ୍ଦ୍ରରେ ଜନନୀ ସୁରକ୍ଷା ଦାୟିତ୍ବରେ ଥିବା ଏଏନ୍‌ଏମ୍‌ଙ୍କ ଘରକୁ ଯାଇ ତାଙ୍କୁ ଡାକିଆଣିଥିଲେ। ହେଲେ ସେ ଆସିଲା ବେଳକୁ ବେଦମତୀ ଡାକ୍ତରଖାନା ବାରଣ୍ତାରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇ ସାରିଥିଲେ। ମା’ ଶିଶୁ ଉଭୟ ସୁସ୍ଥ ଥିବାରୁ ସନ୍ଧ୍ୟାରେ ଘରକୁ ଫେରିଥିଲେ।

ଏହି ଡାକ୍ତରଖାନାରେ ଦୁଇଜଣ ଡାକ୍ତର, ଜଣେ କମ୍ପାଉଣ୍ତର, ଜଣେ ଷ୍ଟାଫ୍‌ନର୍ସ, ଏଏନ୍‌ଏମ୍‌ ଥିବା ବେଳେ ଗତକାଲି ଗର୍ଭବତୀ ପହଞ୍ଚିଲା ବେଳକୁ ଜଣେ ବି ଉପସ୍ଥିତ ନଥିଲେ। ଏ ବାବଦରେ ସିଡିଏମ୍‌ଓ ଡା. ପୂର୍ଣ୍ଣଚନ୍ଦ୍ର ସାହୁଙ୍କୁ ଯୋଗାଯୋଗ କରିବାରୁ ସେ କହିଲେ, ଘଟଣା ସର୍ମ୍ପକରେ ନିଜେ ତଦନ୍ତ କରିବେ। ଯାହାଙ୍କ ପାଇଁ ଏଭଳି ଅବସ୍ଥା ଉପୁଜିଛି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଥିଲେ।