ବିଶୋଇ:ନିଜ ଜନ୍ମ କଲା ମା' ନିଜ ଠାରୁ ଅଲଗା କଲାପରେ ବନ ବିଭାଗ ଦ୍ୱାରା ଗୁରୁତର ଅବସ୍ଥାରେ ଉଦ୍ଧାର ହେଲା ୩ ଦିନର ମାଈ ହାତୀ କୁନି ଶାବକ "ଟୁମୁକି"। ଏହିପରି ଏକ ଘଟଣା ମୟୂରଭଞ୍ଜ ଜିଲ୍ଲା ବିଶୋଇ ବନ୍ୟପ୍ରାଣୀ ଅନ୍ତର୍ଗତ ଟୁଙ୍ଗୁରୁ ସଂରକ୍ଷିତ ଜଙ୍ଗଲର କଳାଟମକ ଗ୍ରାମ ନିକଟରେ ଦେଖିବାକୁ ମିଳିଛି।
ସୂଚନାଥାଉକି,ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡ ଅନ୍ତର୍ଗତ ବିଶୋଇ ବନ୍ୟପ୍ରାଣୀ ରେଞ୍ଜର କଳାଟମକ ଗ୍ରାମ ଜଙ୍ଗଲ ନିକଟରେ ଧ୍ରୁବ ଦେହୁରୀଙ୍କ ଜମିରେ ଏକ ମାଈ ହାତୀ ଜନ୍ମ ନେଇଥିଲା।ଜନ୍ମ ପରେ ୨ ମାଈ ହାତୀ,ଗୋଟିଏ ଛୁଆ ମାଈହାତୀ ଉକ୍ତ ହାତୀ ଶାବକକୁ ଜଗି ରହିଥିଲେ।ତେବେ ଉକ୍ତ ଜମିର ମାଲିକ ଧ୍ରୁବ ଦେହୁରୀ ଶନିବାର ସକାଳେ ଏହି ମାଈ ହାତୀକୁ ଦେଖିବାପରେ ସରଗଡ଼ା ସେକ୍ସନର ବନ୍ୟପ୍ରାଣୀ ଜଗୁଆଳି ସନ୍ତୋଷ କୁମାର ଦାସ,ଜିତୁ ମାଝୀ,ଗବିନ୍ଦ ମୁଣ୍ଡା, ମଙ୍ଗଲ ମୁଣ୍ଡାଙ୍କୁ ଖବର ଦେଇଥିଲେ। ପରେ ଜଗୁଆଳିମାନେ ଏହି ବିଷୟରେ ରାଇରଙ୍ଗପୁର ବନ ଉପଖଣ୍ଡ କାର୍ଯ୍ୟାଳୟରେ ଜଣାଇବା ପରେ ଡି.ଏଫ.ଓ ଅରୁଣ କୁମାର ମିଶ୍ରଙ୍କ ତତ୍ତ୍ୱାବଧାନରେ ଏସ.ସି.ଏଫ ବୈଦ୍ୟନାଥ ମାଝୀ,ଵନପାଳ ସତ୍ୟବ୍ରତ ପଟନାୟକ,ଚଢ଼େଇପାହାଡ଼ି ଫରେଷ୍ଟର ଜୀବନ ବଲ୍ଲଭ ପାତ୍ର,ସରଗଡ଼ା ଫରେଷ୍ଟର ମନରଞ୍ଜନ ମହାନ୍ତ,ବନରକ୍ଷୀ ତରଙ୍ଗିନି ମହାନ୍ତ ପ୍ରମୁଖ ଘଟଣାସ୍ଥଳକୁ ପହଞ୍ଚିଥିଲେ।
ହାତୀ ଶାବକ ଓ ଜଗିରହିଥିବା ୩ ମାଈ ହାତୀକୁ ସୁରକ୍ଷା ପ୍ରଦାନ କରିଥିଲେ। ଶନିବାର ଦିନ ତମାମ ଏହି ୩ ଗୋଟି ମାଈ ହାତୀ ଶାବକକୁ ଜଗିବା ପରେ ରବିବାର ଦିନ ସକାଳ ସମୟରେ ହାତୀ ଛୁଆକୁ ଛାଡି ନିକଟସ୍ଥ ଜଙ୍ଗଲକୁ ପଳାଇଥିଲେ। ପରେ ବନବିଭାଗର ଅଧିକାରୀମାନେ ମା' ହାତୀର ଆସିବା ବାଟକୁ ଚାହିଁ ବସିଥିଲେ। ମାତ୍ର ୧୦ ଘଣ୍ଟା ବିତି ଯାଇଥିଲେ ସୁଦ୍ଧା ମା'ହାତୀ ଆସିବାର ନ ଦେଖି ଶେଷରେ ବନରକ୍ଷୀ ଓ ଜଗୁଆଳିମାନେ ଶାବକ ହାତୀକୁ କ୍ଷୀର ଓ ଲାକଟଜେନ ଖାଇବାକୁ ଦେଇଥିଲେ। ମାତ୍ର ପରବର୍ତ୍ତୀ ଅବସ୍ଥାରେ ଶାବକ ହାତୀର ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବାରୁ ଡିଏଫଓ ଡ଼. ମିଶ୍ରଙ୍କ ନେତୃତ୍ୱରେ ବିଶୋଇ ବନାଞ୍ଚଳ ଅଧିକାରୀ ପ୍ରଦୀପ୍ତ କୁମାର ପୃଷ୍ଟିଙ୍କ ତତ୍ତ୍ୱାବଧାନରେ ବିଶୋଇ ବନବିଭାଗର ଏକ ଟିମ ଯାଇ ମାଈ ଶାବକ ହାତୀକୁ ବିଶୋଇ ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଆଣିଥିଲେ।
ହାତୀ ଛୁଆଟି ଗୁରୁତର ଥିବାରୁ ହାତୀଟିର ଚିକିତ୍ସା ନିମନ୍ତେ ସ୍ୱତନ୍ତ୍ର ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସାଳୟର ଡ଼ବ୍ଲ୍ୟୁ.ଟି.ଆଇ,ମୁମ୍ବାଇ ଡାକ୍ତର ବିଶାଖା ଓ ଏସ.ଟି.ଆରର ଡକ୍ଟର ପୀୟୂଷ ଗୋଏଲଙ୍କ ନେତୃତ୍ୱରେ ଏକ ଟିମ ଆସି ହାତୀକୁ ଚିକିତ୍ସା କରିଥିଲେ। ତେବେ,ଏହି ହାତୀ ଛୁଆଟିର ଚିକିତ୍ସାରେ ଧ୍ୟାନ ଦିଆଯାଇ ଯଥାଶୀଘ୍ର ହାତୀ ଛୁଆଟିକୁ ସମ୍ପୂର୍ଣ୍ଣ ସୁସ୍ଥ କରିବା ପାଇଁ ବିଶୋଇ ବନାଞ୍ଚଳ ଅଧିକାରୀ ଶ୍ରୀ ପୃଷ୍ଟି ସମ୍ବାଦକୁ ଜଣାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/20210208_121711.jpg)