ଖୋର୍ଦ୍ଧା : ଆଜି ପବିତ୍ର କାର୍ତିକ ମାସର ଚତୁର୍ଦ୍ଦଶୀ । ଏହି ଦିନ ମାନସିକଧାରୀ କାର୍ତିକ ଓ ପଂଚୁକ ବ୍ରତ ପାଳୁଥିବା ଭକ୍ତମାନେ ଶିବାଳୟରେ ପୂଜାର୍ଚ୍ଚନା କରିଥାନ୍ତି । କିନ୍ତୁ କରୋନା ସଂକ୍ରମଣ ଆଳରେ ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ୧୪୪ ଧାରା ଯୋଗୁଁ ଖୋର୍ଦ୍ଧା ଓ ଆଖପାଖର ଶିବାଳୟଗୁଡ଼ିକ ଖାଲି ଖାଲି ଲାଗୁଛି । ଖୋର୍ଦ୍ଧା ଉପକଣ୍ଠ ଗୁରୁଜଙ୍ଗ ଧବଳେଶ୍ୱର ପୀଠରେ ଆଜି ଭକ୍ତମାନେ ପ୍ରସିଦ୍ଧ ଗଜ ଓ ଅଟକାଳି ଭୋଗରୁ ବଂଚିତ ହୋଇ ଫେରିଛନ୍ତି ।
୧୫ ତାରିଖରେ ଖୋର୍ଦ୍ଧା ଉପଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପଂଚୁକ ଓ ବଡ଼ଓଷାରେ ଗହଳି ଓ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତ ଦେବାଳୟ ବିଶେଷତଃ ଶିବାଳୟରେ କଟକଣା ଜାରି କରାଯାଇଥିଲା । ବିଜ୍ଞପ୍ତି ଅନୁସାରେ, ୧୭ ତାରିଖ ଠାରୁ କାର୍ତିକ ପୂର୍ଣ୍ଣମା ଯାଏଁ ଶିବାଳୟଗୁଡ଼ିକରେ ୧୪୪ ଧାରା ଜାରି କରାଯିବା ସହ ସାମୂହିକ ପୂଜାର୍ଚ୍ଚନା, ସାଂସ୍କୃତିକ କାର୍ଯ୍ୟକ୍ରମ, ଭୋଗ ଆଦି ପ୍ରସ୍ତୁତ ଉପରେ ନିଷେଧ କରାଯାଇଥିଲା । ଏଣୁ ଆଜି ବଡ଼ ଓଷାରେ ପ୍ରସିନ୍ଧ ଧବଳେଶ୍ୱର ପୀଠରେ ଭକ୍ତଙ୍କ ଗହିଳି ହ୍ରାସ ପାଇଥିଲା । ବ୍ରତଧାରୀମାନେ ମନ୍ଦିର ବାହାରେ ଦୀପ ଜାଳି ଭଗବାନଙ୍କୁ ମୁଣ୍ଡିଆ ମାରି ଫେରିବା ଦେଖାଯାଇଥିଲା । କେବଳ ଏହାନୁହେଁ ଭୋଗ ଉପରେ କଟକଣା ଥିବାରୁ ଧବଳେଶ୍ୱର ପୀଠର ପ୍ରସିନ୍ଧ ଗଜ ଓ ଅଟକାଳି ଭୋଗ ଚଳିତ ବର୍ଷ ହୋଇନଥିଲା ଫଳରେ ଭକ୍ତମାନେ ଏଥିରୁ ବଂଚିତ ହୋଇଥିଲେ ।