ଶିଶୁ ନାଟକ ପ୍ରତିଯୋଗିତାରେ ବାଦାମୀ ବାଇ ବିଦ୍ୟାଳୟର ସଫଳତା

ରାଇରଙ୍ଗପୁର: ବାଲେଶ୍ଵର ଟାଉନ ହଲଠାରେ କଳାକାରଙ୍କ ଦ୍ଵାରା ଆୟୋଜିତ ରାଜ୍ୟସ୍ତରୀୟ ଶିଶୁ ନାଟକ ପ୍ରତିଯୋଗିତାରେ ରାଇରଙ୍ଗପୁରର ଅଗ୍ରଣୀ ବିଦ୍ୟାଳୟ ବାଦାମୀବାଇ ତାହାର ଶ୍ରେଷ୍ଠତା ପ୍ରଦର୍ଶନ କରି ଜିଲ୍ଲାରେ ପ୍ରଶଂସିତ ହୋଇଛି । ପ୍ରତିବର୍ଷ ପରି ସେପ୍ଟେମ୍ବର ୨୧ ରୁ ୨୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଗ୍ରଣୀ ନାଟ୍ୟ ସଂସ୍ଥା କଳାକାରର ୨୩ତମ ଶିଶୁ ନାଟକ ପ୍ରତିଯୋଗିତା ବାଲେଶ୍ଵର ଟାଉନ ହଲଠାରେ ଆୟୋଜନ କରିଥିଲା । ଏଥିରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ କନିଷ୍ଠ ଏବଂ ବରିଷ୍ଠ ବିଭାଗରେ ବହୁ ବିଦ୍ୟାଳୟ ଭାଗ ନେଇଥିଲେ । ଏ ପରିପ୍ରେକ୍ଷୀରେ ବାମନଘାଟି ଉପଖଣ୍ଡର ବାଦାମୀ ବାଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତାହାର ନାଟକ ‘ଆଜି ବି ଡାହାଣୀ’ ମଞ୍ଚସ୍ଥ କରିଥିଲା । ଏଥିରେ ସର୍ବମୋଟ ୭ ଜଣ ବାଳିକା, ତିନିଜଣ ବାଳକ ଅଂଶ ଗ୍ରହଣ କରିଥିଲେ ।

ସେଥି ମଧ୍ୟରୁ ଦେବ କହ୍ଲ ଶ୍ରେଷ୍ଠ ପାର୍ଶ୍ବ ଅଭିନେତା ଭାବେ ସମ୍ମାନିତ ହୋଇଛନ୍ତି । ସ୍ଵତନ୍ତ୍ର କଳାକାର ଭାବେ ନିବେଦିତା ପରିଡ଼ା ଏବଂ ନେହା ମହାନ୍ତଙ୍କୁ ପୁରସ୍କାର ମିଳିଥିବାବେଳେ ସବୁଠାରୁ ଉଲ୍ଲେଖନୀୟ ବିଷୟ ନାଟକରେ ଶ୍ରେଷ୍ଠ ଶୃଙ୍ଖଳିତ ଦଳ ଭାବେ ବାଦାମୀ ବାଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଶ୍ରେଷ୍ଠ ଦଳ ଭାବେ ସମ୍ମାନିତ କରାଯାଇଛି ।

ସୂଚନାଯୋଗ୍ୟ କି ବାଦାମୀ ବାଇ ଗତ ୨ ବର୍ଷ ହେବ ସରକାରୀ ତଥା ବେସରକାରୀ ସ୍ତରରେ ଆୟୋଜିତ କାର୍ଯ୍ୟକ୍ରମ ଯଥା ବୃକ୍ଷରୋପଣ, ସ୍ବାଧୀନତାର ଅମୃତ ମହୋତ୍ସବ ,ଶିକ୍ଷା ପାଇଁ ସଚେତନତା,ଶିଶୁ ମହୋତ୍ସବ ,ବିଜ୍ଞାନ ମେଳା ସବୁଥିରେ ଶିକ୍ଷକ ତଥା ଛାତ୍ରଛାତ୍ରୀମାନେ ସମ୍ବର୍ଦ୍ଧିତ ହୋଇ ଆସୁଛନ୍ତି ।ରାଜ୍ୟସ୍ତରୀୟ ଶିଶୁ ନାଟକ ‘ ଆଜି ବି ଡାହାଣୀ’ , କ୍ଷୁଦ୍ର ସଚେତନତାଧର୍ମୀ ନାଟକକୁ ରଚନା କରିଥିଲେ ଉକ୍ତ ଅନୁଷ୍ଠାନର ପ୍ରଧାନଶିକ୍ଷକ ସୁରଥ କୁମାର ପଟ୍ଟନାୟକ । ନିର୍ଦ୍ଦେଶନା ଦେଇଥିଲେ ସାରଦା ପ୍ରସାଦ ସାହୁ ଏବଂ ସୁରଥ କୁମାର ପଟ୍ଟନାୟକ । ଉଲ୍ଲେଖନୀୟ କରୋନା ପୂର୍ବରୁ ୨୦୧୮ରେ ଅନୁଷ୍ଠିତ ହୋଇଥିବା ଶିଶୁ ନାଟକରେ ମଧ୍ୟ ସୁରଥ ପଟ୍ଟନାୟକ ଏବଂ ସାରଦା ସାହୁଙ୍କ ଦ୍ଵାରା ଲିଖିତ ଏବଂ ନିର୍ଦ୍ଦେଶିତ ‘ ବସ୍ତିର ଝିଅ ବେବିନା ‘ ମଧ୍ୟ ଶ୍ରେଷ୍ଠ ନାଟକ ଭାବେ ସମ୍ବର୍ଦ୍ଧିତ ହୋଇଥିଲା । ଆଦିବାସୀ ବହୁଳ ଉପଖଣ୍ଡର ପିଲାମାନେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଶ୍ରେଷ୍ଠତା ହାସଲ କରିବା ନିଶ୍ଚିତ ଭାବେ ଏ ଅଞ୍ଚଳର ପିଲାଙ୍କୁ ଆହୁରି ଉତ୍ସାହିତ କରିବା ସଙ୍ଗେସଙ୍ଗେ ଓଡ଼ିଆ ଭାଷାର ପ୍ରସାର, ପ୍ରଚାରରେ ସହାୟକ ହେବ ।

ସମ୍ବନ୍ଧିତ ଖବର