ରାୟଗଡା: ଗ୍ରାମରେ ସରକାରୀ ଯୋଜନାର ସଫଳ ରୂପାୟନ ପାଇଁ ସରକାର ବିକାଶର ଡିଣ୍ଡିମ ପିଟୁଥିବା ବେଳେ ବାସ୍ତବ ସ୍ଥିତି କିନ୍ତୁ ସମ୍ପୂର୍ଣ୍ଣ ଅଲଗା। ଗ୍ରାମାଞ୍ଚଳକୁ ଯାଇ ସେଠାର ସ୍ଥିତି ନ ପରଖିଲେ ଲୋକଙ୍କର ଦୁର୍ଦ୍ଦଶା ସମ୍ପର୍କରେ ଜାଣିବା ମୁସକିଲ। ରାୟଗଡା ଜିଲ୍ଲାର ବହୁ ଦୁର୍ଗମ ଗ୍ରାମ ଆଜି ବି ଅବହେଳିତ ହୋଇ ପଡି ରହିଛି। ବହୁ ଗ୍ରାମକୁ ପାହାଡିଆ ନଦୀ ସହ ନାଗାବଳୀ, ଝଞ୍ଜାବତୀର ଶାଖା ନଦୀ ଗୁଡିକ ବାଟ ଓଗାଳୁଛି। ସେଭଳି ଏକ ଗ୍ରାମ ହେଉଛି କାଶୀପୁର ବ୍ଲକର ଡଙ୍ଗାସିଲ ଗ୍ରାମ ପଞ୍ଚାୟତର ୭ଟି ଗ୍ରାମ। ସେହି ଗ୍ରାମ ଗୁଡିକ ହେଲା ବଣ୍ଡାଦୋରା, ବୁର୍କା, କକ୍ଡିସେମି, ଟିକରାପଦର, ତରାଖାସ, ଧାଙ୍ଗିଡିସିଲ, ବଡଫାସ। ଏହି ଗ୍ରାମକୁ ବଡନଦୀ ବାଟ ଓଗାଳିଛି। ବର୍ଷାଦିନ ହେଲେ ଏହି ନଦୀର ଜଳସ୍ତର ବଢୁଥିବାରୁ ଏହି ୭ଟି ଗ୍ରାମ ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ବିଛିନ୍ନ ହୋଇ ଯାଇଛି। ଏହି ଗ୍ରାମଗୁଡିକ ପଞ୍ଚାୟତ ସଦର ମହକୁମାଠାରୁ ୮ରୁ ୧୫ କିଲୋମିଟର ଭିତରେ ରହିଛି। ତେବେ ଗ୍ରାମବାସୀ ପଞ୍ଚାୟତକୁ ଯିବାକୁ ହେଲେ ଏହି ବଡନଦୀକୁ ପାର କରିବାକୁ ପଡିବ। ବୃଦ୍ଧ ଓ ବୃଦ୍ଧାମାନେ ଭତ୍ତା ପାଇଁ ଏହି ନଦୀ ପାର କରିବାକୁ ବାଧ୍ୟ ହେଉଛନ୍ତି। ସେହିପରି ରୋଗୀକୁ କିମ୍ବା ପ୍ରସୂତିକୁ ନେବାକୁ ହେଲେ ବଡନଦୀ ପାର କରି ପ୍ରାୟ ୪ କିଲୋମିଟର ବାଟ ବୋହି ନେବା ପରେ ହିଁ ମୁଖ୍ୟ ସଡକକୁ ଆସିବା ପରେ ଆମ୍ବୁଲାନ୍ସ ଯୋଗେ ମେଡିକାଲକୁ ନିଆ ଯାଉଥିବା ସ୍ଥାନୀୟ ବାସିନ୍ଦା ଅନୀଲ ନାୟକ ପ୍ରକାଶ କରିଛନ୍ତି।
/sambad/media/post_attachments/wp-content/uploads/2023/07/Rgda-river-take-problem-for-7-vilage-2.jpg)
ବଡନଦୀ ନାଗାବଳୀଠାରୁ ମଧ୍ୟ ବଡ ବୋଲି ସ୍ଥାନୀୟ ଲୋକେ ଦାବି କରନ୍ତି। ତେଣୁ ଏହି ନଦୀ ପାର କରିବା ବିପଦପୂର୍ଣ୍ଣ ହୋଇଥିବାରୁ ବର୍ଷାଦିନେ ଏହି ଗ୍ରାମ ଗୁଡିକ ବାହ୍ୟ ଜଗତରୁ ଏକ ପ୍ରକାର ବିଛିନ୍ନ ହୋଇ ରହୁଥିବା ଗ୍ରାମବାସୀ କହନ୍ତି। ତେବେ ଏହି ନଦୀରେ ଖରାଦିନେ ପାଣି ରହୁଥିବାରୁ ଗ୍ରାମବାସୀ ମାନେ କାଠରେ ପୋଲ ନିର୍ମାଣ କରି ତାହାରି ଉପରେ ଯିବା ଆସିବା କରୁଥିବା କହନ୍ତି। ତେବେ ବର୍ଷାରେ ସେହି ପୋଲକୁ ପାଣି ଭସାଇ ନେଇ ଯାଇଥାଏ। ଯାହାଦ୍ବାରା ଯିବା ଆସିବା ସମ୍ପୂର୍ଣ୍ଣ ରୂପେ ଠପ୍ ହୋଇ ଯାଇଥାଏ। ବଣ୍ଡାଦୋରା ଗ୍ରାମରେ ପ୍ରାୟ ୧୧୦ ଘର ରହିଛି। ନଦୀ ନିକଟରେ ରହିଥିବା ଏହି ଗ୍ରାମଟି ସବୁବେଳେ ବିପଦପୂର୍ଣ୍ଣ ରହିଥାଏ। ଗ୍ରାମରେ ପିଇବା ପାଣିର ସମସ୍ୟା ରହି ଥିବାରୁ ଏହି ନଦୀ ହିଁ ସାହା ଭରସା ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି। ବଡନଦୀରେ ବ୍ରିଜ ନିର୍ମାଣ ନେଇ ବାରମ୍ବାର ସରକାର ଏବଂ ପ୍ରଶାସନକୁ ଗୁହାରି କରି ଆସୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁ ନଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ। ବର୍ଷାଦିନେ ଅତି ଦୟନୀୟ ଅବସ୍ଥାରେ ରହୁଥିବା ସେମାନେ କହନ୍ତି। ନିର୍ବାଚନ ସମୟରେ ବହୁ ନେତା ବଡନଦୀରେ ବ୍ରିଜ ନିର୍ମାଣ ନେଇ ପ୍ରତିଶ୍ରୁତି ଦେଇ ଆଉ ଗାଁକୁ ପାଦ ପକାଉ ନଥିବା ମଧ୍ୟ କହନ୍ତି।
/sambad/media/post_attachments/wp-content/uploads/2023/07/Rgda-river-take-problem-for-7-vilage-3.jpg)
ଆଗକୁ ନିର୍ବାଚନ ଆସୁଥିବାରୁ ଏହି ଗ୍ରାମର ଲୋକେ ନିର୍ବାଚନକୁ ବର୍ଜନ କରିବା ନେଇ ଏବେଠାରୁ ନିଷ୍ପତ୍ତି ନେଲେଣି। ବ୍ରିଜ ହେବ ନାହିଁ ତ, ଭୋଟ ମଧ୍ୟ ଦିଆଯିବ ନାହିଁ ବୋଲି ସଫା ସଫା କହୁଛନ୍ତି। ସରକାରୀ ବାବୁଙ୍କ ପାଦ ଏହି ଗ୍ରାମ ଗୁଡିକରେ କେବେ ପଡେ ନାହିଁ। ତେଣୁ ଏଭଳି ଅବସ୍ଥାରେ ରହୁଥିବା ଲୋକେ କହନ୍ତି। କେବଳ ବଡନଦୀରେ ବ୍ରିଜ ନୁହେଁ ଏଥିସହ ପକ୍କା ରାସ୍ତା ମଧ୍ୟ ନିର୍ମାଣ ପାଇଁ ଦାବି କରି ଆସୁଥିବା କହିଥିଲେ। ନଦୀ ଆରପାରିରେ ରହିଥିବା ଗାଁ ଗୁଡିକରେ ଅବ୍ୟବସ୍ଥା ମାଳ ମାଳ। ଲୋକେ ଭଗବାନଙ୍କ ଭରସାରେ ପଡି ରହିଛନ୍ତି। ଆଗକୁ ଲଗାଣ ବର୍ଷା ଆରମ୍ଭ ହେବାକୁ ଥିବା ବେଳେ ଲୋକେ ଏବେ ଠାରୁ ନିଜ ପାଖରେ ଖାଦ୍ୟଦ୍ରବ୍ୟ ସଂରକ୍ଷିତ କଲେଣି। ନଦୀରେ ପାଣି ନ କମିବା ପର୍ଯ୍ୟନ୍ତ ଲୋକେ ବାହାରକୁ ବାହାରି ପାରିବେ ନାହିଁ। ସରକାର ଏଭଳି ଦୁର୍ଗମ ଗ୍ରାମରର ଦୁଃଖ କେବେ ଦୂର କରିବେ ଦେଖବାକୁ ବାକି ରହିଲା।