ପଞ୍ଚମ ଶ୍ରେଣୀ ପାଠ ପଢ଼ିଥିଲେ ବଦରୁ, ମାଓ କମାଣ୍ଡରରୁ ପୁଲିସ ଇନ୍ସପେକ୍ଟର

ମାଲକାନଗିରି: ପଞ୍ଚମ ଶ୍ରେଣୀ ପଢି ପୁଲିସ ଇନ୍ସପେକ୍ଟର। କଥାଟା ଶୁଣିଲେ ଟିକେ ଅଜବ ଲାଗିବ ନିଶ୍ଚୟ। ଆତ୍ମସମର୍ପଣ ମାଓବାଦୀ ହେଲେ ପୁଲିସ ଇନ୍ସପେକ୍ଟର। ଭଲ କାମ କରି ରାଷ୍ଟ୍ରପତି ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଦନ୍ତେୱାଡା ଜିଲ୍ଲାରେ। ଏ କଥା କେହି ନ ଶୁଣିଲେ ଟିକେ ଚକିତ ହେବା ସ୍ୱଭାବିକ। ଏହା କୌଣସି ଚଳଚିତ୍ରର କାହାଣୀ ଠାରୁ କମ୍‌ ନୁହେଁ। ମାଓ ସଙ୍ଗଠନର ଟପ୍‌ ମାଓ ନେତା ସଞ୍ଜୟ ପୋଟାମ୍‌ ଓରଫ ବଦରୁ। ଦରଭା ଡିଭିଜନ ମାଓ ସଙ୍ଗଠନର କମାଣ୍ଡର ରହିଥିଲେ। ପୁଲିସର ମୋଷ୍ଟ ୱାନଟେଡ଼୍‌ ଲିଷ୍ଟରେ ନାଁ ରହିଥିବାବେଳେ ନାଁ ରେ ୮ ଲକ୍ଷ ଟଙ୍କା ପୁରସ୍କାର ରହିଥିଲା।

ମାଓ ସଙ୍ଗଠନରେ ଦୀର୍ଘ ୭ ବର୍ଷ ସକ୍ରିୟ ସଦସ୍ୟ ଭାବେ କାର୍ଯ୍ୟ କରିଥିଲେ ବଦରୁ। ପୁଲିସକୁ ଟାର୍ଗେଟ କରି ଅନେକ ବଡ଼ବଡ଼ ହିଂସାକାଣ୍ଡ ଘଟାଇ ବନିଯାଇଥିଲେ ମାଓ କମାଣ୍ଡର। ଦୀର୍ଘ ସାତବର୍ଷ ନିରୀହ ଲୋକଙ୍କ ସହ ରକ୍ତର ହୋଲି ଖେଳୁଥିଲା ବଦରୁ। ୨୦୧୩ ମସିହାରେ ମାଓ ସଙ୍ଗଠନରୁ ମୁହଁ ମୋଡି ପୁଲିସ ଆଗରେ ଆତ୍ମସମର୍ପଣ କରିଥିଲେ।କାରଣ ମାଓ ସଙ୍ଗଠନରେ ଧୀରେଧୀରେ ନିଜ ଆଦର୍ଶରୁ ହଟି ନିରୀହ ଲୋକଙ୍କୁ ହତ୍ୟା ଅତ୍ୟାଚାର ଭଳି ନୃଶଂସ କାର୍ଯ୍ୟ ଦିନକୁ ଦିନ ବଢି ଚାଲିଥିବା ବେଳେ ଏହାକୁ ରୋକିବାକୁ ଯାଇ ବଦରୁକୁ ମାଓ ସଙ୍ଗଠନରେ ବିରୋଧାଭାଷର ସାମ୍ନା କରିବାକୁ ପଡିଥିଲା। ତେଣୁ ବାଧ୍ୟ ହୋଇ ସେ ମାଓ ସଙ୍ଗଠନ ଛାଡିଥିଲେ। ମାଓ ନେତା ବଦରୁ। ଶେଷରେ ପୁଲିସର ଆତ୍ମସମର୍ପଣ ନୀତିରେ ଆକର୍ଷିତ ହୋଇ ଦନ୍ତେୱାଡା ପୁଲିସ ଆଗରେ ଆତ୍ମସମର୍ପଣ କରିଥିଲେ। ଉଦ୍ଦେଶ୍ୟ ଥିଲା ବସ୍ତର ଅଞ୍ଚଳରୁ ମାଓବାଦୀଙ୍କୁ ମୂଳପଛ କରିବା। ଆଉ ନିଜ ଅଞ୍ଚଳକୁ ଶାନ୍ତି ପ୍ରତିଷ୍ଠା କରିବା।

ଏହା ପରେ ମାଓ କମାଣ୍ଡର ବଦରୁରୁ ବନିଗଲେ ପୁଲିସର ଗୁପ୍ତ ସୈନିକ। ତେବେ ପ୍ରତିବର୍ଷ ବଦରୁ ନିଜ କାର୍ଯ୍ୟ ଦକ୍ଷତା ଯୋଗୁଁ ଗୋଟିଏ ଗୋଟିଏ ପାହାଚ ଚଢି ଚାଲିଲେ। ମାଓ ଦମନରେ ଅନେକ ବଡ଼ ସଫଳତା ବଦରୁ ହାସଲ କରିଥିବାରୁ ୫ ବର୍ଷ ମଧ୍ୟରେ ପାଞ୍ଚଥର ପ୍ରମୋସନ ପାଇ ଗୁପ୍ତ ସୈନିକରୁ ବନିଗ‌ଲେ ପୁଲିସ ଇନ୍ସପେକ୍ଟର। ଦିନେ ଯିଏ ପୁଲିସ ବିରୋଧରେ ଏକେ-୪୭ ବନ୍ଧୁକ ଧରି ଲଢେ଼ଇ କରୁଥିଲା ଏବେ କିନ୍ତୁ ମାଓ ବିରୋଧୀ ଅଭିଯାନରେ ସାମିଲ ହୋଇ ସେହି ସାଥି ମାଓବାଦୀ ବିରୋଧରେ ଲଢେଇ କରିବାକୁ ଧରିଛନ୍ତି ଏକେ-୪୭ ବନ୍ଧୁକ। ମାଓ ସଙ୍ଗଠନରେ ମାଓ କମାଣ୍ଡର ଭାବେ ଥିବାବେଳେ ଅନେକ ଅନେକ ଗୁପ୍ତ ତଥ୍ୟ ହାସଲ କରିସାରିଥିଲେ। ତେଣୁ ମାଓବାଦୀଙ୍କୁ ଟାର୍ଗେଟ କରିବାକୁ ବଦରୁକୁ ସହଜ ହୋଇ ପାରୁଥିଲା।

ମାଓବାଦୀଙ୍କୁ ମୂଳପୋଛ କରିବା ପାଇଁ ଡ଼ିଆରଜି ଯବାନଙ୍କ ଟିମର ନେତୃତ୍ୱ ନେଉଛନ୍ତି ଇନ୍ସପେକ୍ଟର ବଦରୁ। ଦନ୍ତେୱାଡା ଜିଲ୍ଲାରେ ୫୦ରୁ ଅଧିକ ମାଓ ଆକ୍ରମଣ ଘଟଣାରେ ୧୦୦ରୁ ଅଧିକ ମାଓବାଦୀଙ୍କୁ ଏନ୍‌କାଉଣ୍ଟର କରି ମାରିବାରେ ସଫଳ ହୋଇଛନ୍ତି। ଅନେକ ମାଓବାଦୀଙ୍କୁ ଗିରଫ କରିବାରେ ସଫଳ ହୋଇ ପାରିଛି। ଏହି ଏନକାଉଣ୍ଟର ଏବଂ ଗିରଫ ମାଓବାଦୀଙ୍କ ଉପରେ ୫ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ପୁରସ୍କାର ରହିଥିଲା। ଆଜି ଇନ୍ସପେକ୍ଟର ବଦରୁ ମାଓ ନିପାତ ପାଇଁ ଡିଆରଜି ଯବାନଙ୍କୁ ଦେଉଛନ୍ତି ଗରିଲା ଟ୍ରେନିଂ ଆଉ ଲଢ଼ିବାର ନୂଆ ରଣ କୌଶଳ। ତାଙ୍କର ନିଷ୍ଠା ଏବଂ ଲଗନ ପାଇଁ ପାଞ୍ଚ ବର୍ଷରେ ପାଞ୍ଚଟି ପ୍ରମୋସନ। କାନ୍ଧରେ ଲାଗିଛି ତିନୋଟି ତାରା ତାସହ ଖାକି ବର୍ଦ୍ଦି ଆଉ କାନ୍ଧରେ ଏକେ-୪୭ ବନ୍ଧୁକ। ସଞ୍ଜୟ ବଦରୁର କାର୍ଯ୍ୟ ଦକ୍ଷତା ପାଇଁ ଛତିଶଗଡ଼ ପୁଲିସ ମେଡାଲ ପାଇଥିଲେ। ଏବେ ରାଷ୍ଟ୍ରପତି ମେଡାଲ ଯାହାକି ଗ୍ୟାଲେଣ୍ଟ୍ରି ଆୱାଡ଼ରେ ସମ୍ମାନୀତ ହୋଇଛନ୍ତି। ଯାହାକି ସଞ୍ଜୟ ପୋଟାମ ଓରଫ ବଦରୁ ଏଭଳି ଉଚ୍ଚ ଆମ୍ମାନରେ ସମ୍ମାନିତ ହୋଇଥିବାରୁ ନିଜକୁ ଗର୍ବିତ ହେବା ସହ ଆଗକୁ ମାଓ ଦମନ ଲଢେଇ ପାଇଁ ଆହୁରି ଉତ୍ସାହିତ କରିବ ବୋଲି କହିଛନ୍ତି। ନିଜେ ଯେଉଁଭଳି ପୁଲିସ ଆଗରେ ଆତ୍ମସମର୍ପଣ କରି ମୁଖ୍ୟସ୍ରୋତରେ ସାମିଲ ହୋଇ ପାରିଛନ୍ତି ସେହିଭଳି ସାଥୀ ମାଓବାଦୀଙ୍କୁ ମଧ୍ୟ ସରେଣ୍ଡର କରାଇ ସମାଜର ମୁଖ୍ୟଧାରାରେ ଯୋଡି ଜୀବନ ଜିଇଁବାର ବାଟ ଦେଖାଇବେ ବୋଲି ସଞ୍ଜୟ ପୋଟାମ୍‌ ଓରଫ ବଦରୁ କହିଛନ୍ତି।

ସମ୍ବନ୍ଧିତ ଖବର