ମାଲକାନଗିରି: ମାଲକାନଗିରିରେ ଆଜି ଠାରୁ ଆରମ୍ଭ ହେଉଛି ଗଣପର୍ବ ବଡଯାତ୍ରା। ଚାରି ରାଜ୍ୟର ହଜାର ହଜାର ଭକ୍ତ ଏବେ ମାଲକାନଗିରିରେ ପହଞ୍ଚି ସାରିଲେଣି। ବଡଯାତ୍ରା ପାଇଁ ପ୍ରଶାସନ ତରଫରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିବା ବେଳେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ପୁଲିସ ମୁତୟନ କରାଯାଇଛି। ଆଜି ଚାରି ଠାକୁର କାମରାଜୁ, ପୋତରାଜୁ, ବାଲାରାଜୁ ଓ ମା’ ମୁତ୍ୟାଲ୍ମା ମାଲାକନଗିରି ସ୍ଥିତ ଏସ୍‌ପି ଅଫିସ ନିକଟରେ ରହିଥିବା କାନ୍ୟା ମାଝିବନ୍ଧ ନିକଟରେ ପୂଜା ପାଇଛନ୍ତି। ମା’ଙ୍କୁ ଦର୍ଶନ କରିବା ପାଇଁ ହଜାର ହଜାର ଲୋକେ ସକାଳରୁ ହିଁ ଭିଡ ଜମାଇଥିବା ଦେଖିବାକୁ ମିଳିଥିଲା।

Advertisment

ମାଲକାନଗିରି ଜିଲ୍ଲାରେ ପାଳନ କରାଯାଉଥିବା ଏହି ବଡଯାତ୍ରା ମୁଖ୍ୟତଃ କୋୟା ସଂପ୍ରଦାୟର ଏକ ମୁଖ୍ୟଯାତ୍ରା କହିଲେ ଅତ୍ୟୁକ୍ତି ହେବ ନାହିଁ। ମାଲକାନଗିରି ଜିଲ୍ଲାରେ ବସବାସ କରୁଥିବା ସମସ୍ତ ପ୍ରକାର ଆଦିବାସୀ ସମେତ ପଡୋଶୀ ଛତିଶଗଡ, ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାର ଭକ୍ତମାନେ ଏହି ଦିନରେ ଏକାଠି ହୋଇଥାନ୍ତି। ବଡଯାତ୍ରା ନାମକରଣ ପଛରେ ମଧ୍ୟ ବହୁ କିମ୍ବଦନ୍ତୀ ରହିଛି। ମାଲକାନଗିରି, ବସ୍ତର, ଆନ୍ଧ୍ରପ୍ରଦେଶର ଗୋଦାବରୀ ଅବବାହିକାରେ ବସବାସ କରୁଥିବା କୋୟାମାନେ ଗଣ୍ଡ ସମାଜର ଏକ ଶାଖା ବୋଲି ପ୍ରମାଣିତ ହୋଇଛି। ଗଣ୍ଡମାନେ ପୂଜା କରୁଥିବା ମୁଖ୍ୟ ଦେବତା ହେଉଛନ୍ତି ‘ବଡାଦେବ’। ଆବାହନ କାଳରୁ ଗଣ୍ଡମାନେ ଏହି ଦେବତାଙ୍କୁ ଆରାଧ୍ୟଦେବତା ରୂପେ ପୂଜା କରିଆସୁଛନ୍ତି। ସେମାନଙ୍କର ବିଶ୍ବାସ ବଡାଦେବ ହେଉଛନ୍ତି ସକଳ ସଂସାରର ସୃଷ୍ଟି କର୍ତ୍ତା। ବଡାଦେବଙ୍କ ଚିହ୍ନ ହେଉଛି ଗୟଳର ଶିଙ୍ଗ ଥିବା ମୁଣ୍ଡ, ଯାହାକୁ କୋୟା ଜାତିର ସଂକେତ ରୂପେ ବ୍ୟବହାର କରାଯାଏ।

publive-image Sambad

ଗଣ୍ଡ ଜାତି ସହ କୋୟା ଜାତିର ସିଧାସଳଖ ସଂପର୍କ ରହିଛି। ତେଣୁ ବଡାଦେବଙ୍କ ନାମ ଅନୁସାରେ ହୁଏତ ବଡଯାତ୍ରାର ନାମକରଣ କରାଯାଇଥାଇପାରେ ବୋଲି କୁହାଯାଇଛି। ସେହିପରି ବଡଯାତ୍ରାରେ ପୂଜିତ ହେଉଥିବା ଦେବତାମାନଙ୍କର ନାମକରଣ ଦ୍ରାବିଡ ଭାଷା ପରିବାରର ତେଲୁଗୁ ଓ କୋୟା ଭାଷାର ଶଦ୍ଦ ଅଟେ।କାନମରାଜୁ (କୃଷ୍ଣ), ବାଲରାଜୁ( ଅର୍ଜୁନ), ପୋତରାଜୁ(ଭୀମ), ମୁତ୍ୟାଲମ୍ମା(ଦୁର୍ଗା)। ମୁତ୍ୟାଲମ୍ମଙ୍କୁ କେହି କେହି ଦ୍ରୋପଦୀ ବୋଲି ମଧ୍ୟ କହିଥାନ୍ତି।

କୋୟା ସଂପ୍ରଦାୟର ଲୋକେ କୃଷ୍ଣ, ଭୀମ ଓ ଅର୍ଜନକୁ କାହିଁକି ପୂଜା କରନ୍ତି, ତାହାର କିଛି ରହସ୍ୟ ରହିଥିବା କୁହଯାଏ। ଅବଶ୍ୟ ମାଲକାନଗିରିର ଦକ୍ଷିଣ ଭାଗର ଗୋଦାବରୀରେ ଲୋକେ ପୋତରାଜୁ ବା ଭୀମଙ୍କୁ ପୂଜା କରୁଥିବା ଅତି ପ୍ରାଚୀନ। ପୁରାଣ ବର୍ଣ୍ଣିତ ଅନୁସାରେ ମାଲାକନଗିରି ବା ସେତେବେଳର ଦଣ୍ଡକାରଣ୍ୟ ଅଂଚଳକୁ ମହାଭାରତ ଯୁଗର ପାଣ୍ଡବମାନେ ଅଜ୍ଞାତ ବାସରେ ଆସିଥିଲେ। ତେବେ ଭୀମଙ୍କ ରୂପ ଓ ବଳିଷ୍ଠ ଚେହେରାରେ ମୁଗ୍ଧ ହୋଇ କୋୟା ସଂପ୍ରଦାୟର କନ୍ୟା ହିଡମ୍ବା ଭୀମଙ୍କ ସହ ବିବାହ କରିଥିଲେ। ବଡଭାଇ ଯୁଧିଷ୍ଠିର ଭୀମଙ୍କୁ ଦିନବେଳା ହିଡମ୍ବା ସହିତ ରହିବାକୁ ନିର୍ଦେଶ ଦେଇଥିଲେ। ଭୀମଙ୍କ ଔରସରୁ ଘୋଟତ୍କଚ ଜନ୍ମ ହୋଇଥିଲେ। ସେ ବହୁତ ବଳିୟାନ ଥିଲେ।ତେବେ ଭୀମ ପ୍ରଥମେ ଏହି ଅଂଚଳର ଲୋକଙ୍କୁ ଚାଷ କାମ ଶିକ୍ଷା ଦେଇଥିଲେ। ତେଣୁ ଗାଁ ଗାଁରେ କୋୟା ସଂପ୍ରଦାୟର ଲୋକେ ଚାଷ କାମ ଆରମ୍ଭ କରିବା ପୂର୍ବରୁ ଭୀମଙ୍କ ମୂର୍ତ୍ତି ସ୍ଥାପନ କରି ପୂଜାର୍ଚ୍ଚନା କରନ୍ତି।

publive-image Sambad

ତେବେ କୃଷ୍ଣ, ଅର୍ଜନ ଏବଂ ଭୀମଙ୍କୁ ଏହି ଯାତ୍ରାରେ କାହିଁକି ପୂଜା କରାଯାଏ ତାହାର ଅଧିକା ଗବେଷଣା ଦରକାର ପଡୁଥିବା ବେଳେ କିନ୍ତୁ ଲୋକଙ୍କ ବିଶ୍ବାସ ଓ ଭକ୍ତି ଯୋଗୁଁ ଏହି ଯାତ୍ରାର ମହତ୍ବ ବଢିୟାଇଛି। ଲୋକେ ନିଜର ମାନସିକ ପୂରଣ ହେଲେ ଏଠାରେ ବିଭିନ୍ନ ପଶୁପକ୍ଷୀର ବଳି ଦେଇଥାନ୍ତି। ମା’ମୁତ୍ୟାଲ୍ପାଙ୍କ ନିକଟରେ ପାଦ ପାଦକେ ବଳି ପଡିଥାଏ। ମାଲକାନଗିରି ରକ୍ତରଂଜିତ ହୋଇଯାଇଥାଏ। ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଏହି ଯାତ୍ରା ଚାଲିବ।ଯାତ୍ରାକୁ ଆଖିଆଗରେ ରଖି ବ୍ୟବସାୟୀମାନେ ମଧ୍ୟ ବିଭିନ୍ନ ଅଂଚଳରୁ ଆସି ପହଞ୍ଚିଥିଲେ ମଧ୍ୟ ପ୍ରଶାସନ ତରଫରୁ ସେମାନଙ୍କୁ ଫୁଟଫାଥରେ ବସିବାକୁ ମନା କରାଯାଇଛି। ଚଳିତ ବର୍ଷ ମୀନାବଜାର କିମ୍ବା ସାଂସ୍କୃତିକ କାର୍ଯ୍ୟକ୍ରମକୁ ବନ୍ଦ ରଖାଯାଇଛି। ଲୋକଙ୍କୁ ମାସ୍କ ପିନ୍ଧିବାକୁ ବାଧ୍ୟ କରାଯାଇଛି। କୋଭିଡ ନିୟମ ଅନୁଯାୟୀ ସମସ୍ତ ପୂଜାର୍ଚ୍ଚନା ଚାଲିଛି। ଆସନ୍ତାକାଲି ମାଣ୍ଡିଆ ଭଟ୍ଟାରେ ଠାକୁର ପୂଜା ପାଇବେ। ତାପର ଦିନ ମାଉଲିମା ମନ୍ଦିରରେ ଠାକୁର ପୂଜା ପାଇବେ। ୩୧ ତାରିଖ ଦିନ ସକାଳ ଠାକୁର ଫେରିଯିବେ।