ରାଉରକେଲା: ସ୍ଥାନୀୟ ବିଜୁ ପଟ୍ଟନାୟକ ଇନ୍ଡୋର ଷ୍ଟାଡିୟମରେ ଶୁକ୍ରବାର ସକାଳେ ରାଜ୍ୟ ବରିଷ୍ଠ ରୢାଙ୍କିଂ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ମୁଖ୍ୟଅତିଥି ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ବିଧାୟକ ସାରଦା ପ୍ରସାଦ ନାୟକ ପ୍ରତିଯୋଗିତା ଉଦ୍ଘାଟନକରି ନିଷ୍ଠାପର ଓ ଖେଳୁଆଡ୍ ମନୋଭାବ ନେଇ ପ୍ରତିଦ୍ବନ୍ଦିତା କରିବାକୁ କ୍ରୀଡ଼ାବିତ୍ଙ୍କୁ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ରୋଟାରିଆନ ଫକୀର ଚରଣ ମହାନ୍ତି, ଆର୍ଏସ୍ପି ଅଫିସର ସଂଘ ପୂର୍ବତନ ସଭାପତି ବିମଳ ବିଶି ମଞ୍ଚାସୀନ ଥିଲେ।
ସୁନ୍ଦରଗଡ଼ ଜିଲ୍ଲା ବ୍ୟାଡମିଣ୍ଟନ ସଂଘ ସଭାପତି ମିହିର ରାୟ ସ୍ୱାଗତ ଭାଷଣ ଦେଇଥିଲେ। ଓଡିଶା ଷ୍ଟେଟ୍ ବ୍ୟାଡମିଣ୍ଟନ ଆସୋସିଏସନର ଓ ସୁଦରଗଡ଼ ଜିଲ୍ଲା ବ୍ୟାଡମିଣ୍ଟନ ସଂଘ ଆୟୋଜିତ ଏହି ପ୍ରତିଯୋଗିତାରେ ରାଜ୍ୟର ସମସ୍ତ ଆଗଧାଡ଼ିର ଖେଳାଳିଙ୍କ ସମେତ ମୋଟ୍ ୧୪୦ ଜଣ ଖେଳାଳି ଅଂଶଗ୍ରହଣ କରିଛନ୍ତି। ପ୍ରତିଯୋଗିତା ଆସନ୍ତା ରବିବାର ପର୍ଯ୍ୟନ୍ତ ଚାଲିବ। ପ୍ରତିଯୋଗିତା ଆୟୋଜନରେ ସଂଘର ଜେମ୍ସ କୁଜୁର, ରାଜୀବ ନାୟକ, ସୌମେନ ଦାସ, ଶୁଭମ ନାୟକ, ଲଲାଟ ବେହେରା, ମହମ୍ମଦ ହାସୀମ, ପ୍ରଶାନ୍ତ ବେହେରା, ମହମ୍ମଦ ରସିଦ, ଧନଞ୍ଜୟ ଦଣ୍ଡପାଟ, ଦେବାଶିଷ ପରିଡ଼ା, ବଳରାମ ନାୟକ, ଗୌତମ ମହାନ୍ତି, ନିଖିଳ ଅଗ୍ରୱାଲ ପ୍ରମୁଖ ଭୂମିକା ତୁଲାଉଛନ୍ତି। ସାଧାରଣ ସମ୍ପାଦକ ବିଶ୍ୱେଶ ଚନ୍ଦ୍ର ମିଶ୍ର ଧନ୍ୟବାଦ ଦେଇଥିଲେ।