ମାଧପୁର/ଆଠମଲ୍ଲିକ: ଆଠମଲ୍ଲିକ ବ୍ଲକ୍‌ କିଆକଟା ଥାନା ଟୁସର ଗାଁରେ ସଂଘଟିତ ସଞ୍ଜିତ ବିଶ୍ବାଳ(୧୪) ହତ୍ୟା ଘଟଣାରେ ପୁଲିସ ମା’ ମଙ୍ଗଳା କୋଠିର ମୁଖ୍ୟ ରୀତାଞ୍ଜଳି ବାଘଙ୍କୁ ଆଜି ଗିରଫ କରିଛି। ଏହାସହ ତାଙ୍କ ବଡ଼ ପୁଅ ଦିବ୍ୟରଞ୍ଜନ ବାଘ, ମଝିଆଁ ପୁଅ ଜ୍ୟୋତିରଞ୍ଜନ ବାଘ ଏବଂ ସାନ ପୁଅ ସୌମ୍ୟରଂଜନ ବାଘଙ୍କୁ ବି କୋର୍ଟ ଚାଲାଣ କରାଯାଇଛି। ସଞ୍ଜିତଙ୍କୁ ଅପହରଣ, ଆପରାଧିକ ଷଡ଼୍‌ଯନ୍ତ୍ର ଏବଂ ହତ୍ୟା ନେଇ ଯଦିଓ ପୁଲିସ ଏମାନଙ୍କ ନାଁରେ ମାମଲା ରୁଜୁ କରିଛି, କିନ୍ତୁ ଏ ହତ୍ୟାକାଣ୍ଡ ପଛର କାରଣ କ’ଣ? ମା’ ମଙ୍ଗଳା କୋଠିରୁ ସଞ୍ଜିତଙ୍କୁ ନେଇ କେମିତି ହତ୍ୟା କରାଯାଇଥିଲା? ପୁଲିସ ସେ ସଂଶୟ ଉପରୁ ପରଦା ହଟାଇ ପାରିନାହିଁ। ଘଟଣାର ତଦନ୍ତ ଚାଲିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ, ସାଇଣ୍ଟିଫିକ୍‌ ରିପୋର୍ଟ ଆସିଲା ପରେ ହତ୍ୟାକାଣ୍ଡ ପଛର କାରଣ ସ୍ପଷ୍ଟ ହୋଇପାରିବ ବୋଲି ଅନୁଗୁଳ ଏସ୍‌ପି ସୁଧାଂଶୁ ଶେଖର ମିଶ୍ର କହିଛନ୍ତି।

Advertisment

ମଙ୍ଗଳାକୋଠି ମୁଖ୍ୟ ରୀତାଞ୍ଜଳି ସହ ୩ ପୁଅ ଗଲେ ଜେଲ୍‌
ହତ୍ୟାର କାରଣ ଉପରୁ ହଟିନି ପରଦା

ସୂଚନା ମୁତାବକ, ଯେଉଁଠାରୁ ସଞ୍ଜିତ ଗାଏବ ହୋଇଥିଲା, ପୁଲିସ ସେହିଠାରୁ ତଦନ୍ତ ଆରମ୍ଭ କରିଥିଲା। ପ୍ରଥମ ସନ୍ଦେହ କରିଥିଲା, କୋଠିର ମୁଖ୍ୟ ରୀତାଞ୍ଜଳି ଉପରେ। ତା’ ସହ ଗାଁରେ ଜଳଖିଆ ଦୋକାନ ଦେଇଥିବା ରୀତାଞ୍ଜଳିଙ୍କ ବଡ଼ପୁଅ ଦିବ୍ୟରଞ୍ଜନ, ଗାଡ଼ି ଚାଳକ ଥିବା ମଝିଆଁ ପୁଅ ଜ୍ୟୋତିରଞ୍ଜନ ଏବଂ ମଙ୍ଗଳା କୋଠିରେ ମା’ ସହ ପୂଜାର୍ଚ୍ଚନା କରୁଥିବା ସାନପୁଅକୁ ଉଠାଇ ନେଇ ପୁଲିସ ପଚରା ଉଚରା କରିଥିଲା। ଏଥିରେ ସେମାନଙ୍କର ସମ୍ପୃକ୍ତି ଅଛି ବୋଲି ଅଭିଯୁକ୍ତମାନେ କିଛିଟା ସ୍ବୀକାର କରିଛନ୍ତି ବୋଲି ଅନୁଗୁଳ ଏସ୍‌ପି ଶ୍ରୀ ମିଶ୍ର କହିଛନ୍ତି। କିନ୍ତୁ, ନରବଳି ଅଭିଯୋଗକୁ ସ୍ପଷ୍ଟ କରିନାହାନ୍ତି। କହିଛନ୍ତି, ଗୁଣିଗାରେଡ଼ି ଏବଂ ନରବଳି ଦିଗର ତଦନ୍ତ ଚାଲିଛି। ଶବ ବ୍ୟବଚ୍ଛେଦ ଏବଂ ସାଇଣ୍ଟିଫିକ୍‌ ଟିମ୍‌ର ରିପୋର୍ଟକୁ ଅପେକ୍ଷା କରାଯାଇଛି। ରିପୋର୍ଟ ଆସିଲା ପରେ ଘଟଣା ସ୍ପଷ୍ଟ ହେବ। ପ୍ରାଥମିକ ତଦନ୍ତ ଏବଂ ଅଭିଯୁକ୍ତଙ୍କ ସ୍ବୀକାରୋକ୍ତି ପରେ ଚାରି ଜଣ ମା’ ଓ ପୁଅଙ୍କୁ ଗିରଫ କରାଯାଇଛି। ଅନ୍ୟ ସବୁ ରିପୋର୍ଟ ଆସିଲା ପରେ ଏମାନଙ୍କୁ ରିମାଣ୍ଡରେ ଅଣାଯାଇ ଅଧିକ ପଚରାଉଚରା କରାଯିବ।