ବ୍ୟାସନଗର : ପରିତ୍ୟକ୍ତ ଅବସ୍ଥାରେ ଥିବା ମାଲବାହୀ ଟ୍ରେନ୍ର ଇଞ୍ଜିନ୍ ବିହୀନ ୧୪ଟି ୱାଗନ୍ ଅଲଗା ହୋଇ ଆପଣା ଛାଏଁ ଗଡ଼ିଲା। ବର୍ଷା ପାଇଁ ତଳେ ଆଶ୍ରୟ ନେଇଥିବା ୬ ଶ୍ରମିକଙ୍କ ଜୀବନ ଚାଲିଗଲା। ହେଲେ ସେହି ଟ୍ରାକ୍ରେ ସାମାନ୍ୟ ଆଗରେ ଥିବା ଗୋଟିଏ ଯାତ୍ରୀବାହୀ ବଗି ଏକଇଞ୍ଚ ମଧ୍ୟ ଗଡ଼ିଲାନି। ଖାଲି ସେତିକି ନୁହେଁ, ପାଖରେ ଥିବା ଗାନ୍ଧୀନଗର ବସ୍ତିରେ ୫ଶହ ପାଖାପାଖି ଝାଟିମାଟି ଘର, କୁଡ଼ିଆ ଥିଲେ ବି କାହାର ଛପର ଉଡ଼ିବା ତ ଦୂରର କଥା, ସାମାନ୍ୟ କ୍ଷୟକ୍ଷତି ହୋଇନାହିଁ। ନିକଟରେ କୌଣସି ଗଛ ଉପୁଡ଼ି ନାହିଁ କିମ୍ବା ଡାଳଖଣ୍ଡେ ମଧ୍ୟ ଭାଙ୍ଗିନାହିଁ। ଏସବୁ ପାରିପାର୍ଶ୍ବିକ ପରିବେଶକୁ ଦୃଷ୍ଟି ପକାଇଲେ କାଲବୈଶାଖୀର ପ୍ରଭାବ ବିଶେଷ ନଥିବା ସ୍ପଷ୍ଟ ବାରି ହୋଇପଡ଼ୁଛି। ଅଥଚ ରେଳ ବିଭାଗ ସୁରକ୍ଷା ଅଧିକାରୀ ତଦନ୍ତ କରିବା ପରେ କେହି ଲକ୍ ଖୋଲିଦେବାରୁ ମାଲ୍ ବୋଝେଇ ୱାଗନଗୁଡ଼ିକ ପବନରେ ଗଡ଼ିଯାଇ ଦୁର୍ଘଟଣା ଘଟିଲା ବୋଲି ବିବୃତି ଦେବା ବିଷୟକୁ କେହି ସହଜରେ ଗ୍ରହଣ କରିପାରୁ ନାହାନ୍ତି। ବାହନଗା ଭୂତ ଯାଜପୁରରୋଡରେ ପହଞ୍ଚି ଏଭଳି କାଣ୍ଡ ଘଟାଇଲା କି ବୋଲି କଟୁ ମନ୍ତବ୍ୟ ଦେଉଛନ୍ତି ସ୍ଥାନୀୟ ଲୋକେ।
ଯାଜପୁର-କେନ୍ଦୁଝରରୋଡ୍ ରେଳଷ୍ଟେସନରେ ପରିତ୍ୟକ୍ତ ତଥା ଅବ୍ୟବହୃତ ରେଳଡବାଗୁଡ଼ିକରେ ଡଷ୍ଟ ବୋଝେଇ ହୋଇ ବର୍ଷବର୍ଷ ଧରି ରହିଥିଲା। ସେଥିରେ ଗଛଲତା ମଧ୍ୟ ଉଠିଯାଇଛି। ପୂର୍ବରୁ ଅନେକଥର ପ୍ରବଳ ଝଡ଼ବର୍ଷା ହୋଇଛି। ମାତ୍ର ତାହା କେବେ ସେ ଜାଗାକୁ ହଲି ନଥିଲା। ସେଦିନ ସାମାନ୍ୟ ବର୍ଷାପବନ ହେବାରୁ ସଂପୃକ୍ତ ଶ୍ରମିକମାନେ ତା ତଳେ ସୁରକ୍ଷା ନେବାକୁ ଉଚିତ ମଣିଥିଲେ। ମାତ୍ର ତାହା ହଠାତ ସେମାନଙ୍କ ସୁରକ୍ଷା କବଚରୁ ମୃତ୍ୟୁଦୂତ ପାଲଟିଗଲା, ଯାହାର ରହସ୍ୟ କେହି ଭେଦ କରିପାରୁ ନାହାନ୍ତି। ରେଳ ବିଭାଗ ମଧ୍ୟ ଏହି ରହସ୍ୟ ଉନ୍ମୋଚନ କରିବାକୁ ଯେମିତି ଅନିଚ୍ଛୁକ। ସେମିତି କ୍ଷତିପୂରଣ କିମ୍ବା ଅନୁକମ୍ପା ରାଶି ଦେବାକୁ ମଧ୍ୟ କୁଣ୍ଠିତ। ଏହା ବିଭାଗୀୟ ଅବହେଳାକୁ ଲୁଚାଇବାକୁ ପ୍ରୟାସ ନା ତଦନ୍ତକୁ ଆଗକୁ ନବଢ଼ାଇବାକୁ ସୁଚିନ୍ତିତ ଯୋଜନା ତାହା ଅସ୍ପଷ୍ଟ।
ରେଳ ବିଭାଗର ଏପରି ଉଦାସୀନତାକୁ ନେଇ ବିଭିନ୍ନ ରାଜନୈତିକ ଦଳ, ସ୍ବେଚ୍ଛାସେବୀ ସଂଗଠନ, ଅନୁକମ୍ପା ରାଶି ପ୍ରଦାନ କରିବାକୁ ଦାବି କରି ଆନ୍ଦୋଳନ ଆରମ୍ଭ କରିଦେଲେଣି। ଏତେ ପରେ ବି ସହାୟତା ଦେବା ପ୍ରସଙ୍ଗରେ ଏଯାଏ କୌଣସି ରେଳ ବିଭାଗ ଅଧିକାରୀ ମୁହଁ ଖୋଲି ନାହାନ୍ତି। ବିଭାଗ ନିଜର ତ୍ରୁଟି ନଥିବା ଦର୍ଶାଇ କ୍ଷତିପୂରଣ ପ୍ରସଙ୍ଗକୁ ଏଡ଼ାଇଯାଉଥିବା ଅସମର୍ଥିତ ସୂତ୍ରରୁ ଜଣାଯାଇଛି। ଅନ୍ୟପଟେ ଘଟଣା ଘଟିବାର ଦୁଇଘଣ୍ଟା ମଧ୍ୟରେ ରାଜ୍ୟ ସରକାର ମୃତବ୍ୟକ୍ତିଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ସହାୟତା ଓ ଆହତକୁ ଚିକିତ୍ସାସେବା ଯୋଗାଇ ଦେବାକୁ ଘୋଷଣା କରି ନିଜ ସମ୍ବେଦନଶୀଳତାର ପରିଚୟ ଦେଇଛନ୍ତି। କିନ୍ତୁ ଏଭଳି ଏକ ସଂପୂର୍ଣ୍ଣ ଅପ୍ରତ୍ୟାଶିତ ଅସ୍ବାଭାବିକ ଦୁର୍ଘଟଣାର ଅନୁସନ୍ଧାନ କରିବାକୁ ଉଚିତ ମଣି ନାହାନ୍ତି ରେଳ ବିଭାଗ ଅଧିକାରୀ।
ବିଡ଼ମ୍ବନା ହେଉଛି ଯାଜପୁର-କେନ୍ଦୁଝର ରୋଡ୍ ଷ୍ଟେସନ ଏକ ବ୍ୟସ୍ତବହୁଳ ଷ୍ଟେସନ ଏବଂ ରେଳ ବିଭାଗକୁ ଏଠାରୁ ଅଧିକ ରାଜସ୍ବ ଯାଉଛି। ଏହାସତ୍ତ୍ବେ ଛୋଟଛୋଟ ତ୍ରୁଟି ସୁରକ୍ଷା ବ୍ୟବସ୍ଥାକୁ ବିପନ୍ନ କରୁଛି। ସେଥିପ୍ରତି ଉତ୍ତରଦାୟିତ୍ବ ନେବାକୁ ବିଭାଗ ନାରାଜ। ବଡ଼କଥା ହେଉଛି ମୃତ ଶ୍ରମିକମାନେ ବର୍ଷବର୍ଷ ଧରି ରେଳ ବିଭାଗ ଠିକାଦାର ଅଧୀନରେ ଠିକା ଶ୍ରମିକ ଭାବେ କାମ କରିଆସୁଥିଲେ। ଏବେ ସେମାନଙ୍କ ମୃତ୍ୟୁ ପରେ ବିପନ୍ନ ପରିବାରକୁ ରେଳ ବିଭାଗ ଅଧିକାରୀ ଭୁଲିଯିବା ମଧ୍ୟ ରହସ୍ୟଜନକ। ଏହି ଦୁର୍ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯାଉ ବୋଲି କଂଗ୍ରେସ, ବିଜେଡି, ସିପିଆଇ, ସିପିଏମ୍, ଏସୟୁସିଆଇ ଏବଂ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ଦାବି ଜୋରଦାର ହେବାରେ ଲାଗିଛି।