ଜୟପୁର: ରାଜରାଜୁଡା ଅମଳର ପରମ୍ପରା ପାଳନ ଜାରି ରହିଛି। ଜୟପୁର ସହରରେ ଦୁଇ ଦିନିଆ ରଥଯାତ୍ରା ଓ ବାହୁଡା ଜାରି ରହିଛି। ଆଜି ରଥ ପୂଜା ଆଦି ସରିବା ପରେ ଧାଡ଼ି ପହଣ୍ଡି କରି ଚାରି ଠାକୁରଙ୍କୁ ରଥାରୁଢ଼ କରାଯାଇଥିଲା। ରଥକୁ ନାଚଗୀତ, ସଂକୀର୍ତ୍ତନ, ବାଜାବାଜଣା, ଜୟଜଗନ୍ନାଥ ସ୍ଲୋଗାନ ମଧ୍ୟରେ ଶ୍ରଦ୍ଦାଳୁ ଭକ୍ତ ମାନେ ରଥ ବାଙ୍କମଠରୁ ଠାଣି ସୌରାସାହି ଛକ ଚୈତନ୍ୟ ମନ୍ଦିର ପର୍ଯ୍ୟନ୍ତ ମାଉସୀ ମା’ ଘର ପର୍ଯ୍ୟନ୍ତ ଆଣିଥିଲେ। ଏଠାରେ ସନ୍ଧ୍ୟାରେ ପହଞ୍ଚିବା ପରେ ଶ୍ରଦ୍ଧାଳୁ ଭକ୍ତ ମାନେ ରାତି ପର୍ଯ୍ୟନ୍ତ ଚାରି ଠାକୁରଙ୍କ ସର୍ବଜନନୀ ଦର୍ଶନ କରିଥିଲେ। ଆସନ୍ତାକାଲି ଅପରାହ୍ନରେ ପୁଣି ରଥ ଟାଣି ରାଜନଅର ରଥଖଳା ପର୍ଯ୍ୟନ୍ତ ରଥକୁ ଟଣାଯିବ। ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ‌ଉପଜିଲ୍ଲାପାଳ ବେଦବର ପ୍ରଧାନ, ତହସିଲଦାର ତଥା ଦେବୋତ୍ତର ଅଧିକାରୀ ସୁଶ୍ରୀସାଗରିକା ଷଡଙ୍ଗୀ ଯୋଗ ଦେଇଥିଲେ।

Advertisment

publive-image Sambad

ଜୟପୁର ବିଡିଓ ରାଜୀବ ଦାସ, ଏସଡିପିଓ ହରିଶ. ବି.ସି. ଟାଉନଥାନା ଅଧିକାରୀ ସମ୍ବିତ ବେହେରା, ସଦରଥାନା ଅଧିକାରୀ ଇଶ୍ବର ତାଣ୍ଡି, ମହିଳା ଥାନା ଅଧିକାରୀ ମମତା ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇ ରଥଯାତ୍ରାକୁ ପରିଚାଳନା କରିଥିଲେ। ବିଧାୟକ ଭାଗ ନେଇ ଘଣ୍ଟ ବଜାଇବା ସହ ଉଭୟ ରଥକୁ ଟାଣିଥିଲେ। ଶ୍ରଦ୍ଧାଳୁ ମହିଳା ଭକ୍ତ ମାନେ ପତିତପାବନ ରଥକୁ ଟାଣିଥିଲେ। ରଥଯାତ୍ରା ପରି ବାହୁଡାରେ ବି କିଛି ଦୁର୍ବତ୍ତ ମାତିବା ସହ ଗହଳିର ସୁଯୋଗ ନେଇ ବ୍ୟାଗ ଓ ମୋବାଇଲ ଝାମ୍ପି ନେବା ଅଭିଯୋଗ ହୋଇଛି। ଏଭଳି ୫ଜଣଙ୍କର ହୋଇଥିବାକୁ ନେଇ ଅଭିଯୋଗ କରାଯାଇଛି। ସେଭଳି ଆଜି ପୁରୁଣାଗଡ, ବାରିଣୀପୁଟ, ଆମ୍ବାଗୁଡା, ପୁଜାରୀପୁଟ ଓ ବାଟଜଗନ୍ନାଥପୁରରେ ଶାନ୍ତି ଶୃଙ୍ଖଳାର ସହ ବାହୁଡା ଯାତ୍ରା ଓ ଚାରି ଠାକୁରଙ୍କ ରତ୍ନସିଂହାସନ ବିଜେ ଅନୁଷ୍ଠିତ ହୋଇଥିଲା।