ରାଇରଙ୍ଗପୁରରେ ବାହୁଡ଼ା ଯାତ୍ରା: ମହିଳା ଟାଣିଲେ ରଥ, ସମ୍ପନ୍ନ ହେଲା ସୁନାବେଶ

ରାଇରଙ୍ଗପୁର: ରାଇରଙ୍ଗପୁର ଶ୍ରୀଜଗନ୍ନାଥ ମନ୍ଦିରର ମୁଖ୍ୟ ସେବକ ଦେବବ୍ରତ ରଥଙ୍କ ତତ୍ୱାବଧନରେ ମହାପ୍ରଭୁଙ୍କ ପବିତ୍ର ବାହୁଡ଼ା ଯାତ୍ରା ସମ୍ପନ ହୋଇଛି। ମହାପ୍ରଭୁ ନବଦିନ ଯାତ୍ରା ସାରି ଭାଇ ଭଉଣୀଙ୍କ ସହ ଆଡ଼ପ ମଣ୍ଡପରୁ ରତ୍ନବେଦୀକୁ ବାହୁଡ଼ିଛନ୍ତି। ଠାକୁରଙ୍କ ରୀତିନୀତି, ଦ୍ୱାରପାଳ ପୂଜା, ସୂର୍ଯ୍ୟପୂଜା ଏବଂ ଅନ୍ୟାନ୍ୟ ପୂଜାର୍ଚ୍ଚନା ସମ୍ପନ କରିବା ପରେ ଗୋଟି ପହଣ୍ଡିରେ ଚକ୍ରରାଜ ସୁଦର୍ଶନ, ପ୍ରଭୁ ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ନୀତି ସମ୍ପନ୍ନ ହୋଇଥିଲା। ରଥାରୂଢ ହୋଇଥିଲେ ଚତୁର୍ଦ୍ଧାମୂର୍ତି। ରଥ ଟଣା ସମାପ୍ତ ପରେ ସନ୍ଧ୍ୟା ବେଳେ ମହାପ୍ରଭୁଙ୍କ ସୁନାବେଶ ହୋଇଥିଲା, ହଜାର ହଜାର ଶ୍ରଦ୍ଧାଳୁ ସୁନାବେଶ ଦର୍ଶନ କରିଥିଲେ। ରଥ କମିଟିର ଉପଜିଲ୍ଲାପାଳ ସରୋଜ କୁମାର ଦାସ, ପୌରାଧକ୍ଷ ଅଭିଷେକ ପଟ୍ଟନାୟକ, ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ, ଏସଡ଼ିପିଓ ଗକୁଳାନନ୍ଦ ସାହୁ, ଟାଉନ ଥାନା ଅଧିକାରୀ ସ୍ୱର୍ଣ୍ଣଲତା ମିଞ୍ଜ, ବହଲାଗଡା ବିଧାୟକ ସମୀର ମହାନ୍ତିଙ୍କ ସମେତ ବହୁ ମାନ୍ୟଗଣ ବ୍ୟକ୍ତି ଉପସ୍ଥିତ ଥିଲେ।

Sambad

ସେହିପରି ରଞ୍ଜନ କୁମାର ନନ୍ଦ, ତିମୀର ରଞ୍ଜନ ପଣ୍ଡା, ଲଳିତ ମହାନ୍ତ, ଡ଼ଃ. ଦିଗମ୍ବର ଗିରି, ବିଜୟ କୁମାର ରାମ, ପୁଷ୍ପଳତା ମହାନ୍ତି, ସଚ୍ଚିକାନ୍ତ କର, ଡ଼ଃ. ତନ୍ମୟୀ ରଥ ପ୍ରମୁଖ ଧାରା ବିବରଣୀ ପ୍ରଦାନ କରାଯାଇଥିଲା। ତେବେ ରଥଯାତ୍ରା କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା। ତେବେ ଆଜି ଗୁରୁବାର କେବଳ ମହିଳା ମାନେ ରଥ ଟାଣିଲେ। ସେହିପରି ପ୍ରତ୍ୟେକ ଦିନ ସନ୍ଧ୍ୟାରେ ମାଉସି ବାଡି ଠାରେ ସପ୍ତାହେ ବ୍ୟାପି ଆଧ୍ୟାତ୍ମିକ ଭଜନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ରାଇରଙ୍ଗପୁର ବିଧାୟକ ନବଚରଣ ମାଝୀ, ମନୋଜ ଦାସ, ସୁବାଷ ମଣ୍ଡଳ ପ୍ରମୁଖଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପରିଚାଳନା କରିବାରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର