ଫୁଲବାଣୀ: କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀଠାରେ ଶୁକ୍ରବାର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାହୁଡାଯାତ୍ରା ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ଆଜି ସକାଳେ ମାଦିକୁନ୍ଦା ଛକସ୍ଥିତ ମାଉସୀମା ଦଧିବାମନ ଜୀଉ ମନ୍ଦିରରେ ଯଥା ରୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିଲା। ତା’ପରେ ଠାକୁରଙ୍କୁ ପହଣ୍ଡି ବିଜେ କରାଯାଇଥିଲା। ଝିପିଝିପି ବର୍ଷାରେ ଦିନ ୧୧ଟାରେ ଭକ୍ତଙ୍କ ଗହଣରେ ୩ ଠାକୁର ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ରଥକୁ ବିଜେ କରିଥିଲେ।
ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ ଦିନ ୧୨ଟାରେ ଛେରା ପହଁରା କରିଥିଲେ। ତା’ପରେ ରଥ ଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା। ଛୋଟପିଲା ଓ ମହିଳାମାନେ ପ୍ରଥମ ରଥଟଣାରେ ସାମିଲ ହୋଇଥିଲେ। ଅଳ୍ପ ରଥ ଟଣା ହୋଇ ବନ୍ଦ ହେବା ପରେ ଅପରାହ୍ନ ୨ଟାରୁ ପୁଣି ରଥଟଣା ଆରମ୍ଭ ହୋଇଥିଲା। ପହଣ୍ଡି ବିଜେ ସମୟରେ ଝିପିଝିପି ବର୍ଷା ହୋଇଥିଲା। ବର୍ଷା ଲାଗି ରହିବ ବୋଲି ଆଶଙ୍କା ଥିଲା। ହେଲେ ମହାପ୍ରଭୂ ଜଗନ୍ନାଥଙ୍କ ଅପରା କରୁଣାରୁ ଅପରାହ୍ନ ୨ଟା ପରେ ସବୁ କିଛି ଠିକାଠକ ହୋଇ ଯାଇଥିଲା।
/sambad/media/post_attachments/wp-content/uploads/2019/07/phulbani1-300x169.jpg)
ପାଗ ଅନୁକୂଳ ଥିବାରୁ ଦଧିବାମନଜୀଉ ମନ୍ଦିରଠାରୁ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା। ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ମହାପ୍ରଭୂ ଜଗନ୍ନାଥ ଢଳିଢଳି ଭକ୍ତଙ୍କ ଗହଣରେ ମନ୍ଦିର ଅଭିମୁଖେ ମାଡି ଚାଲିଥିଲେ। ଆଗରେ କୀର୍ତ୍ତନ ଓ ସାଂସ୍କୃତିକ ଦଳ କଳା ନୈପୁଣ୍ୟ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଥିଲା।
ସନ୍ଧ୍ୟା ୫ଟା ସୁଦ୍ଧା ରଥ କୋର୍ଟ ଛକରେ ପହଞ୍ଚି ଥିଲା।ବାହୁଡା ଯାତ୍ରା ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ବ୍ୟାପକ ପୁଲିସ ମୃତୟନ ହୋଇଥିଲେ। ଜିଲ୍ଲାର ବିଭିନ୍ନ ଥାନାରୁ ପୁଲିସ ଅଧିକାରୀ ଓ କର୍ମଚାରୀ ଏଠାରେ ମୃତୟନ ହୋଇଥିବା ବେଳେ ପଦସ୍ଥ ଅଧିକାରୀ ଉପସ୍ଥିତ ଆଇନଶୃଙ୍ଖଳାର ତଦାରଖ କରିଥିଲେ। ଫୁଲବାଣୀ ଉପଜିଲ୍ଲାପାଳ ସୁଚାରୂ କୁମାର ବଳ, ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ସଭାପତି ସୁନାଶିର ମହାପାତ୍ର, ଉପସଭାପତି ବିଜୟ କୁମାର ମହାନ୍ତି, ସମ୍ପାଦକ ହରିଶ୍ଚଚନ୍ଦ୍ର ମହାରଣା, କୋଷାଧ୍ୟକ୍ଷ ଶଙ୍କର କୁମାର ବେହେରା, ସୁରେଶ କୁମାର ମହାପାତ୍ର, ରଜତ କୁମାର ମହାନ୍ତିଙ୍କ ସମେତ ଅନ୍ୟମାନେ ରଥଯାତ୍ରା ପରିଚାଳନା ଓ ଶାନ୍ତିଶୃଙ୍ଖଳାର ତଦାରଖ କରିଥିଲେ। ଆଜି ଫୁଲବାଣୀରେ ବାହୁଡା ଯାତ୍ରାରେ ୫୦ ହଜାରରୁ ଉର୍ଦ୍ଧ୍ଵ ଭକ୍ତ ସମାଗମ ହୋଇଥିବା କୁହାଯାଇଛି। ଜିଲ୍ଲା ସଦର ମହକୁମା ଫୁଲବାଣୀ ଭଳି ଜିଲ୍ଲାର ବିଭିନ୍ନ ସ୍ଥାନରେ ଶାନ୍ତିଶୃଙ୍ଖଳାର ସହ ମହାପ୍ରଭୁଙ୍କ ବାହୁଡା ଯାତ୍ରା ଅନୁଷ୍ଠିତ ହୋଇ ଯାଇଛି। ପାଗ ଅନୁକୂଳ ଥିବାରୁ ସବୁଠି ଭକ୍ତିମୟ ପରିବେଶ ଦେଖିବାକୁ ମିଳିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/07/phulbani-1.jpg)