କୋରାପୁଟ: ହଜାର ହଜାର ଭକ୍ତଙ୍କ ଭାବ ରଜ୍ଜୁରେ ଟାଣି ହୋଇ ଆଜି ଗୁଣ୍ତିଚା ମନ୍ଦିରରୁ ବାହୁଡିଛନ୍ତି ମହାବାହୁ। ଭାଇଭଉଣୀକୁ ନେଇ ନବଦିନାତ୍ମକ ଯାତ୍ରାରେ ଯାଇଥିବା କାଳିଆ ଠାକୁର ଗହଳି ଲଗାଇ ଶାବର ଶ୍ରୀକ୍ଷେତ୍ରର ଜଗନ୍ନାଥ ମନ୍ଦିର ମୁହାଁ ହୋଇଛନ୍ତି। ନିଜ ଦେଉଳକୁ ଫେରିବା ପାଇଁ ବ୍ୟଗ୍ର ଥିବା ଚତୁର୍ଥାମୂର୍ତ୍ତିଙ୍କ ରଥ ଆଜି ସଅଳ ଆସି ପହଞ୍ଚିଯାଇଛି ରଥ ଚକଡାରେ। ଘଣ୍ଟ, ଘଣ୍ଟା, ଭଜନ, କୀର୍ତ୍ତନ ସାଙ୍ଗକୁ ଜୟ ଜଗନ୍ନାଥ ଧ୍ବନୀରେ କମ୍ପି ଉଠିଛି ଶାବର ଶ୍ରୀକ୍ଷେତ୍ର। ତିନି ଠାକୁର ଆସନ୍ତାକାଲି ରଥ ଉପରୁ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବା ପରେ ଅଧରପଣା ନୀତି ହେବ ବୋଲି ଜଣାପଡିଛି। ଗୁଣ୍ତିଚା ମନ୍ଦିରରେ ଆଜି ସକାଳୁ ଠାକୁରଙ୍କ ବିଭିନ୍ନ ରୀତିନୀତି ଶେଷ ହେବା ପରେ ପୂର୍ବାହ୍ନ ୯ଟାରେ ଆରମ୍ଭ ହୋଇଥିଲା ପହଣ୍ତି।

Advertisment

ନିଜ ମନ୍ଦିରକୁ ଫେରିବାକୁ ଯେମିତି ବ୍ୟଗ୍ର ହୋଇ ପଡିଥିଲେ ତିନି ଠାକୁର। ତେଣୁ ଶୀଘ୍ର ପହଣ୍ତି ହୋଇ ରଥରେ ଆସି ବସି ଯାଇଥିଲେ। ରଥରେ ଭକ୍ତଙ୍କୁ ଠାକୁର ଦର୍ଶନ ଦେଉଥିଲାବେଳେ ବିଭିନ୍ନ ନୀତି ବଢିଥିଲା। ରଥରେ ଛେରା ପହଁରା ହେବା ପରେ ମଧ୍ୟାହ୍ନରେ ଆରମ୍ଭ ହୋଇଥିଲା ରଥଟଣା। ସେତେବେଳକୁ ଗୁଣ୍ତିଚା ବାଡି ଭକ୍ତଙ୍କ ଗହଳିରେ ପୁରି ଉଠିଥିଲା। ହଜାର ହଜାର ଶ୍ରଦ୍ଧାଳୁ ରଥ ଟାଣିବା ପାଇଁ ପହଞ୍ଚିଥିଲେ। ହରିବୋଲ, ହୁଳହୁଳି, ଘଣ୍ଟ, କାହାଳୀ ଧ୍ବନୀ ଭିତରେ ଗଡିଥିଲା ବଡ ଠାକୁରଙ୍କ ରଥ। ପରେ ପରେ ଦେବୀ ସୁଭଦ୍ରାଙ୍କ ରଥ ଓ ପରେ କାଳିଆ ଠାକୁରଙ୍କ ରଥ ଆଗକୁ ଆଗକୁ ଯାଇଥିଲା। ଭକ୍ତଙ୍କ ଭିଡରେ ପ୍ରଭୁ ଟାଣି ହୋଇଯାଇଥିଲେ ମନ୍ଦିର ଆଡକୁ। ହେଲେ ବାଟରେ ମାଉସୀ ମା’ଙ୍କ ପାଖରୁ ପୋଡ ପିଠା ଖାଇବାକୁ ଭୂଲି ନ ଥିଲେ ହଟିଆ ଠାକୁର। ସେଠ‌ାରେ ୩ ରଥ ପହଞ୍ଚିବା ପରେ ରଥରେ ଠାକୁରଙ୍କୁ ପୋଡ ପିଠା ଲାଗି କରାଯାଇଥିଲା। ପରେ ଏହି ଭୋଗ ପାଇ ଭକ୍ତମାନେ ଧନ୍ୟ ହୋଇଥିଲେ। ପିଠା ଖାଇବା ପରେ ବଡ ଠାକୁରଙ୍କ ରଥ ଧିରେ ଧିରେ ଆଗକୁ ବଢିଥିଲା। ଏପଟେ ଦେବୀ ସୁଭଦ୍ରା ଓ ଜଗନ୍ନାଥଙ୍କ ଦୁଇଟି ଯାକ ରଥ ମାଉସୀ ଘର ପାଖରେ ଅଟକି ରହିଥିଲା। ସତେ ଯେମିତି ଭକ୍ତଙ୍କ ମେଳରେ ଅଧିକ ସମୟ ବିତାଇବାକୁ ଚାହୁଁଥିଲେ କାଳିଆ ସାଆନ୍ତ। ହେଲେ ଶ୍ରଦ୍ଧାଳୁଙ୍କ ସଂଖ୍ୟା ଯେତିକି ବଢୁଥିଲା ବଳଭଦ୍ରଙ୍କ ରଥ ସେତିକି ମାଡି ଚାଲୁଥିଲା। ଅପରାହ୍ନ ପ୍ରାୟ ୩ଟା ବେଳେ ରଥ ନିର୍ଧାରିତ ସ୍ଥାନରେ ପହଞ୍ଚି ଯାଇଥିଲା।

publive-image Sambad

ଦେବୀ ସୁଭଦ୍ରାଙ୍କ ରଥ ୪ଟାରେ ଓ ପ୍ରଭୁ ଜଗନ୍ନାଥଙ୍କ ରଥ ୫ଟା ୫ମିନିଟରେ ଯାଇ ପହଞ୍ଚିଥିଲା ଠିକଣା ସ୍ଥାନରେ। ରଥ ଲାଗିବା ପରେ ରଥାରୁଢ ଠାକୁରଙ୍କ ବିଭିନ୍ନ ନୀତି ହୋଇଥିଲା। ଏପଟେ ରଥ ଉପରେ ହିଁ ଠାକୁର ଭକ୍ତଙ୍କୁ ଦର୍ଶନ ଦେଇଥିଲେ। ଠାକୁରଙ୍କ ସନ୍ଧ୍ୟା ଆଳତୀ ପର୍ଯ୍ୟନ୍ତ ହଜାର ହଜାର ଭକ୍ତ ବଡ ଦାଣ୍ତରେ ଠିଆ ହୋଇ ରହିଥିଲେ। ଆଜି ସକାଳୁ ପ୍ରବଳ ବର୍ଷା ହୋଇଥିବାବେଳେ ରଥଟଣା ବେଳକୁ ପାଗ ମୋଟାମୋଟି ଶୁଖିଲା ଥିଲା। ଅନୁକୂଳ ପାଗ ପାଇଁ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଏପଟେ ଭିଡକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ଯାତ୍ରାକୁ ଶୃଙ୍ଖଳିତ କରିବା କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ରଥଟଣା ପୂର୍ବରୁ ଜାତୀୟ ରାଜପଥରୁ ଟ୍ରାଫିକ ହଟାଯିବା ସହ ଏହାକୁ ସିଲ କରି ଦିଆ ଯାଇଥିଲା। ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହି କଟକଣା ଲାଗୁ ହୋଇ ରହିଥିଲା। ଏହା ବ୍ୟତୀତ କିଛି ରାସ୍ତାରେ ଟ୍ରାଫିକ କଟକଣା ଲାଗୁ ହୋଇଥିଲା। ରଥ ଚକଡାରେ ଆଜି ରଥ ପହଞ୍ଚିଥିଲାବେଳେ ଆସନ୍ତାକାଲି ୩ଠାକୁର ରଥ ଉପରେ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ପରେ ସନ୍ଧ୍ୟାଆଳତୀ କରାଯାଇ ଅଧରପଣା ନୀତି ସଂପାଦିତ ହେବ। ସୋମବାର ସନ୍ଧ୍ୟାରେ ଠାକୁର ରଥରୁ ଓହ୍ଲାଇ ଶ୍ରୀମନ୍ଦିରକୁ ପହଣ୍ତି ହୋଇ ଯିବେ। ରାତି ସୁଦ୍ଧା ଠାକୁରଙ୍କୁ ରତ୍ନ ସିଂହାସନରେ ବିଜେ କରାଇବାକୁ ନିର୍ଘଣ୍ଟ ତିଆରି କରିଛି ମନ୍ଦିର ପ୍ରଶାସନ।