ବୈପାରିଗୁଡା: ଯୋଜନା ବୋର୍ଡ ଉପନିର୍ଦ୍ଦେଶକ ସୂର୍ଯ୍ୟନାରାୟଣ ବେହେରା ଆଜି ବୈପାରିଗୁଡା ବ୍ଲକ ଗସ୍ତରେ ଆସି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ତଦାରଖ କରିଥିଲେ। ସହିଦ୍ ପୀଠ ତେନ୍ତୁଳିଗୁମ୍ମା ଠାରେ ପହଞ୍ଚି ସେଠାରେ ଚାଲିଥିବା ବିଏସଏଫ କ୍ୟାମ୍ପ ପାଇଁ ନିର୍ମାଣ କରାଯାଉଥିବା କାମ ଦେଖିବା ପରେ ତେନ୍ତୁଳିଗୁମ୍ମା ଠାରୁ ଦଣ୍ଡାବାଡିକୁ ସଂଯୋଗ କରୁଥିବା ରାସ୍ତା ଉପରେ ନିର୍ମାଣଧୀନ ପୋଲ ତଦାରଖ କରିବା ସହ ଆସନ୍ତା ଜୁନ ମାସ ସୁଦ୍ଧା ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହେବ ବୋଲି ପ୍ରକାଶ କରିଥିଲେ। ପ୍ରକାଶ ଥାଉ କି, ଏହି ରାସ୍ତା ଏବଂ ପୋଲ କାମ ସଂପୂର୍ଣ୍ଣ ହେଲେ ତେନ୍ତୁଳିଗୁମ୍ମା ପଞ୍ଚାୟତ ବାସୀଙ୍କୁ ବୈପାରିଗୁଡା ବ୍ଲକ ସଦର ମହକୁମା ଯାଏ ପହଞ୍ଚିବା ପାଇଁ ସୁବିଧା ହେବ।
ସେମାନଙ୍କୁ ମାଲକାନଗିରି ଜିଲ୍ଲା ଦେଇ ବୈପାରିଗୁଡା ଠାରେ ଯେଉଁ ଅସୁବିଧା ସବୁର ସମ୍ମୁଖୀନ ହେଉଥିଲେ, ସେଥିରୁ ରକ୍ଷା ପାଇବେ। ବୈପାରିଗୁଡା ଠାରେ ମାତୃ ଓ ଶିଶୁ ଯତ୍ନ କେନ୍ଦ୍ରର ନିର୍ମାଣ କାର୍ଯ୍ୟ ପରିଦର୍ଶନ କରିବା ପରେ ରାସ୍ତା ଓ ଗୃହନିର୍ମାଣ ବିଭାଗ ଅଧିନରେ ଗୁପ୍ତେଶ୍ୱର ଯାଏ ନିର୍ମାଣ କାର୍ଯ୍ୟ ତଦାରଖ କରିବା ସହ ଗୁପ୍ତେଶ୍ୱର ଠାରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ବୁଲି ଦେଖିଲେ। ଶ୍ରୀ ବେହେରାଙ୍କ ସହ ବୈପାରିଗୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଭିମନ୍ୟୁ କବି ଶତପଥୀ ଏବଂ ତେନ୍ତୁଳିଗୁମ୍ମା ପିଇଓ ଗତିକୃଷ୍ଣ ପାଙ୍ଗି ବୈପାରିଗୁଡା ଗସ୍ତ କାଳରେ ସହଯୋଗ କରିଥିଲେ।