ସ୍ବାଧୀନତା ସଂଗ୍ରାମୀ ବୈଷ୍ଣବ ଚରଣ ନାୟକଙ୍କ ପ୍ରତିମୂର୍ତ୍ତି ଭଙ୍ଗା ଘଟଣା: ଅଭିଯୁକ୍ତଙ୍କୁ ଗିରଫ କରୁନି ପୁଲିସ, ପଡୁଛି କି ଚାପ

ଭଦ୍ରକ: ଭଦ୍ରକ ଜିଲ୍ଲାର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ବୈଷ୍ଣବ ଚରଣ ନାୟକଙ୍କର ପ୍ରତିମୂର୍ତ୍ତିକୁ କେତେକ କେହି ଦୁର୍ବୁତ୍ତ କୌଣସି ଧାରୁଆ ଅସ୍ତ୍ରରେ ଭାଙ୍ଗି ବିକୃତି କରିଛନ୍ତି। ଜଣେ ସ୍ବାଧୀନତା ସଂଗ୍ରାମୀଙ୍କର ପ୍ରତିମୂର୍ତ୍ତିକୁ ଏଭଳି ବିକୃତ କରିବା ଘଟଣାକୁ ନେଇ ସ୍ଥାନୀୟ କାଶିମପୁର ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବ‌ା‌ ପରେ ସ୍ବର୍ଗତ ବୈଷ୍ଣବ ଚରଣ ନାୟକ ସ୍ମୃତି ପରିଷଦ ପକ୍ଷରୁ ସଂପାଦକ ଧୀରେନ୍ଦ୍ର କୁମାର ନାୟକଙ୍କ ଏକ ଅଭିଯୋଗ ଗତ ମାର୍ଚ୍ଚ ୨୨ ତାରିଖରେ ଧୂଷୁରୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ଧୁଷୁରୀ ପୁଲିସ ପକ୍ଷରୁ ପ୍ରତିମୂର୍ତ୍ତି ଭାଙ୍ଗିଥିବା ଦୁର୍ବୁତଙ୍କୁ ଗିରଫ କରିବା ଦିଗରେ ପୁଲିସ ଆନ୍ତରିକତା ପ୍ରକାଶ କଲେ ନାହିଁ।

ଏଇ ଘଟଣାରେ ପୁଲିସ ୫ ଜଣ ଯୁବକଙ୍କୁ ଥାନାକୁ ଡାକି ପଚରା ଉଚରା କରିବ‌ା ପରେ ଥାନାରୁ ସେମାନଙ୍କୁ ଛାଡି ଦେଇଛି। ଏହା ପରେ ଘଟଣାକୁ ନେଇ ପୁଲିସର ଆଉ କିଛି ଖୋଳ ତାଡ ହେଲା ନାହିଁ। ପୁଲିସର ଏଭଳି ନିସ୍କ୍ରିୟତାର ପ୍ରତିବାଦ କରି ସ୍ମୃତି ପରିଷଦ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଡକାଯାଇ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବରିଷ୍ଠ ସଂଗ୍ରାମୀ ଶ୍ୟାମ ସୁନ୍ଦର ବେହେରା ଓ ବରିଷ୍ଠ ସଦସ୍ୟ ବ୍ରଜ କିଶୋର ରାଉତ ପ୍ରମୁଖ ଦାବି କରିଥିଲେ।। ଏହା ପରେ ମଧ୍ୟ ଏଇ ଘଟଣାକୁ ଧୂଷୁରୀ ପୁଲିସ ଗୁରୁତ୍ବ ଦେଲା ନାହିଁ।

ସ୍ବାଧୀନତା ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତି ଭଙ୍ଗା ଯିବା ଘଟଣାକୁ ଧୁଷୂରୀ ପୁଲିସ ଅତି ହାଲକା ଭାବେ ନେଇଥିବା ବେଳେ ଏଇ ଘଟଣାରେ ପୁଲିସ ଉପରେ କିଛି ରାନ‌ୈତିକ ଚାପ ରହିଛି କି ବୋଲି ସ୍ମୃତି ପରିଷଦର କର୍ମକର୍ତ୍ତା ପ୍ରଶ୍ନ ଉଠାଇଛନ୍ତି। ଯଦି ଚାପ ନାହିଁ। ତେବେ ପୁଲିସ ଘଟଣାର ତଦନ୍ତ କରୁ ନାହିଁ କାହିଁକି! ପ୍ରତିମୁର୍ତ୍ତି ଭଙ୍ଗା ଘଟଣାରେ ଯେଉଁମାନେ ପ୍ରକୃତରେ ଦୋଷୀଙ୍କୁ ସେମାନଙ୍କୁ ଗିରଫ କରିବା ପାଇଁ ଧୁଷୁରୀ ପୁଲିସ ସାହସ ଜୁଟାଇ ପାରୁ ନାହିଁ କାହିଁକି! କାହାକୁ ଡରୁଛି ପୁଲିସ ! ନା ଜଣେ ସ୍ବାଧୀନତା ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତି ଭଙ୍ଗା ଘଟଣା ଧୁଷୁରୀ ଆଇଆଇସିଙ୍କ ପାଇଁ ଆଦୌ ଗୁରୁତ୍ବପୂର୍ଣ୍ଣ ଘଟଣା ନୁହେଁ। ଏପରି ପ୍ରଶ୍ନ ଏବେ ସ୍ମୃତି ପରିଷଦର କର୍ମକର୍ତ୍ତାମାନେ ଉଠାଇଛନ୍ତି।

Sambad

ଗତ ୨୦୦୦ ମସିହାରେ ଭଦ୍ରକ ଜିଲ୍ଲାର ଧାମନଗର ବ୍ଲକ ଅନ୍ତର୍ଗତ କାଶିମପୁର ଠାରେ ସ୍ବର୍ଗତ ବୈଷ୍ଣବ ଚରଣ ନାୟକଙ୍କର ପ୍ରତିମୂର୍ତ୍ତି ଅନାବରଣ କରାଯାଇଥିଲା। ତତ୍କାଳୀନ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଢେଇ ଓ ମନ୍ତ୍ରୀ ମନମୋହନ ସାମଲ ଏହି ପ୍ରତିମୁର୍ତ୍ତିକୁ ଉନ୍ମୋଚନ କରିଥିଲେ। ଗତ ମାର୍ଚ୍ଚ ୨୧ ତାରିଖ ବିଳମ୍ବିତ ରାତିରେ କେହି ଦୁର୍ବୁତ ଏହି ପ୍ରତିମୁର୍ତ୍ତିକୁ ଭାଙ୍ଗି ଦେଇଛନ୍ତି। ଏବେ ପ୍ରତିମୂର୍ତ୍ତି ବିକୃତ ଅବସ୍ଥାରେ ରହିଥିବା ବେଳେ ପ୍ରତିମୂର୍ତ୍ତିକୁ ବିକୃତ କରିଥିବା ଦୁର୍ବତଙ୍କୁ ପୁଲିସ ଗିରଫ କରୁ ନଥିବା ବେଳେ ଭଙ୍ଗା ପ୍ରତିମୂର୍ତ୍ତିକୁ କିଭଳି ମରାମତି କରାଯିବ। ସେନେଇ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ଆନ୍ତରିକତା ପ୍ରକାଶ ପାଇ ନାହିଁ। ଭଦ୍ରକ ଜିଲ୍ଲାରେ ପୁଲିସ ଓ ପ୍ରଶାସନ ପକ୍ଷରୁ ଜଣେ ସ୍ବାଧୀନତା ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତି ପ୍ରତି ଏଭଳି ଆଚରଣ ପ୍ରଦର୍ଶନ କରାଯାଉଛି। ତେବେ ସାଧାରଣ ଲୋକଙ୍କୁ କିଭଳି ଏଠାକାର ପୁଲିସ ଓ ପ୍ରଶାସନ ନ୍ୟାୟ ଦେଉଥିବ ତାହାକୁ ନେଇ ପ୍ରଶ୍ନ ଉଠିଛି। କର୍ଣ୍ଣାଟକରେ ୨୦୨୧ ଡିସେମ୍ବର ୧୮ ତାରିଖରେ ଅନୁରୂପ ଘଟଣାରେ ସେଠାକାର ପୁଲିସ ୨୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଯେଉଁମାନେ ଏବେ ମଧ୍ୟ ଜେଲ ଭିତରେ ରହିଛନ୍ତି।

ଦେଶରେ ଅନେକ ସ୍ଥାନରେ କୌଣସି ପ୍ରତିମୂର୍ତ୍ତିକୁ ଅସମ୍ମାନ କରାଯିବା ଘଟଣାରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନିଆଯାଇ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ମାତ୍ର ଓଡ଼ିଶାରେ ରାଜ୍ୟ ସରକାର ଭଦ୍ରକର ଏଇ ଘଟଣାକୁ କାହିଁକି ଗୁରୁତର ସହ ନେଉ ନାହାନ୍ତି। ଭଦ୍ରକ ଏସପି ଓ ଜିଲ୍ଲାପାଳ ଏଇ ଘଟଣାରେ ତୁରନ୍ତ ପଦକ୍ଷେପ ନେବାପାଇଁ ସ୍ମୃତି କମିଟିର କର୍ମକର୍ତ୍ତା ମାନେ ଦାବି କିରିଛନ୍ତି। ଯଦି ପୁଲିସ ଓ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ। ତେବେ କମିଟି ପକ୍ଷରୁ ଭଦ୍ରକ ଏସପି ଓ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଆଗରେ ପ୍ରତିବାଦ କରାଯିବା ସହ ଏଇ ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକଷର୍ଣ କରାଯିବ ଆବଶ୍ୟକ ହେଲେ ରାଜଧାନୀରେ ବିଧାନସଭା ଆଗରେ ବିକ୍ଷୋଭ କରାଯିବ ବୋଲି କମିଟି ପକ୍ଷରୁ କୁହାଯାଇଛି। ପ୍ରତିମୂର୍ତ୍ତି ଭଙ୍ଗା ଘଟଣା ସଂପର୍କରେ ‘ସମ୍ବାଦ’ ପକ୍ଷରୁ ଧୁଷୂରୀ ଥାନା ଅଧିକାରୀ ପ୍ରକାଶ ପୃଷ୍ଟିଙ୍କୁ ପଚାରିବାରୁ ସଂପୃକ୍ତ ଥାନା ଅଧିକାରୀ ଏଇ ଘଟଣାରେ କେବଳ ଏକ ଏତଲା ଗ୍ରହଣ କରିଥିବା‌ କଥା ସ୍ବୀକାର କରିଥିବା ବେଳେ କାହାରିଙ୍କୁ ଗିରଫ କରି ନାହାନ୍ତି ବୋଲି କହିଛନ୍ତି। ଏଭଳି ଏକ ଘଟଣାରେ ଭଦ୍ରକ ଏସପି କୌଣସି ଉଚ୍ଚସ୍ତରୀୟ ପୁଲିସ ଅଧିକାରୀଙ୍କ ଦ୍ବାରା ଏହାର ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ବୋଲି ଜିଲ୍ଲାର ବୁଦ୍ଧୀବୀଜୀ ମହଲରେ ମତ ପ୍ରକାଶ ପାଇଛି।

 

ସମ୍ବନ୍ଧିତ ଖବର