ବେତନଟୀ ସଦର: ବାରମ୍ବାର ଅନୁରୋଧ ସତ୍ୱେ ଶତାବ୍ଦୀ ପୁରିବାକୁ ବସିଥିବା ବୈଶିଙ୍ଗା ଡାକ୍ତରଖାନା ପ୍ରତି ସରକାରଙ୍କ ବୈମାତୃକ ମନୋଭାବ ପ୍ରତିବାଦରେ "ଆଞ୍ଚଳିକ ବିକାଶ ପରିଷଦ"ର ଆହ୍ୱାନକ୍ରମେ ଆଖପାଖ ୧୯ପଞ୍ଚାୟତର ଶତାଧିକ ଜନପ୍ରତିନିଧି, ବୁଦ୍ଧିଜୀବୀ, ସାମ୍ବାଦିକ, ବରିଷ୍ଠ ନାଗରିକ, ବ୍ୟବସାୟୀ ବନ୍ଧୁ ଓ ସ୍ଥାନୀୟ ଜନସାଧାରଣଙ୍କୁ ନେଇ ବୈଶିଙ୍ଗା ଡାକ୍ତରଖାନା ପାର୍ଶ୍ଵରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆରମ୍ଭ ହେଲା ରିଲେ ଅନଶନ | ସୂଚନା ଅନୁଯାୟୀ ଶହେ ବର୍ଷ ପୁରିବାକୁ ବସିଥିବା ଏହି ଡାକ୍ତରଖାନା କୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର-୨ ର ମାନ୍ୟତା ଦେବା ପାଇଁ ଦୀର୍ଘ ୨୦/୨୫ ବର୍ଷ ଧରି ଅଞ୍ଚଳବାସୀଙ୍କ ସଂଘର୍ଷ ଜାରି ରହିଥିଲେ ମଧ୍ୟ ସରକାର ନ ଶୁଣିବା ପରିତାପର ବିଷୟ ପାଲଟିଛି | ଏହି ସମୟ ମଧ୍ୟରେ କେତେ ବିଧାୟକ, ସାଂସଦ, ମନ୍ତ୍ରୀ, ସଚିବ ଓ ପ୍ରଶାସନିକ ଅଧିକାରୀ ଉକ୍ତ ଡାକ୍ତରଖାନାର ଦୁରାବସ୍ଥା ସମ୍ପର୍କରେ ଭଲ ଭାବରେ ଅବଗତ ହେବାପରେ ଡାକ୍ତରଖାନାର ଉନ୍ନତିକରଣ ନେଇ ଦୃଢ଼ ପ୍ରତିଶ୍ରୁତି ଦେଇ ପରେ ସେଥିରୁ ଓହରି ଯାଇଥିଲେ ଓ ଅଞ୍ଚଳବାସୀଙ୍କୁ ବାରମ୍ବାର ଠକିଚାଲିଥିଲେ | ବୈଶିଙ୍ଗା ଡାକ୍ତରଖାନା ପ୍ରତି ଏହିପରି ବୈମାତୃକ ମନୋଭାବକୁ ଲକ୍ଷ୍ୟ କରି ସ୍ଥାନୀୟ ଅଞ୍ଚଳବାସୀ ଓ ସାମ୍ବାଦିକ ବନ୍ଧୁମାନଙ୍କୁ ନେଇ ଗଠିତ ଆଞ୍ଚଳିକ ବିକାଶ ପରିଷଦ ତରଫରୁ ବୈଶିଙ୍ଗା ଡାକ୍ତରଖାନାକୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର-୨ ବା ଟ୍ରମା କେୟାର ମାନ୍ୟତା ପାଇଁ ଜିଲ୍ଲାପାଳ, ପୁଲିସ ଅଧିକାରୀ, ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଏକ ସପ୍ତାହ ପୂର୍ବରୁ ଗାନ୍ଧୀ ଜୟନ୍ତୀଠାରୁ ଅନଶନ ପାଇଁ ଚେତାବନୀ ଦିଆଯାଇଥିଲା | ମାତ୍ର ପ୍ରଶାସନ ପକ୍ଷରୁ ସେମିତି କିଛି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ |
କୌଣସି ସୁଫଳ ନ ମିଳିବାରୁ ଆଜି ପବିତ୍ର ଗାନ୍ଧୀଜୟନ୍ତୀଠାରୁ ସଭାପତି ପ୍ରବୋଧ କୁମାର ପଣ୍ଡା ଏବଂ ଆବାହକ ବରିଷ୍ଠ ଆଇନଜୀବୀ କ୍ଷେତ୍ରମୋହନ ପଣ୍ଡାଙ୍କ ନେତୃତ୍ଵରେ ଶତାଧିକ ଲୋକ ଡାକ୍ତରଖାନା ପରିସରରେ ଉପସ୍ଥିତ ହୋଇଥିଲେ | ପରେ ଡାକ୍ତରଖାନା ପାର୍ଶ୍ୱରେ କରାଯାଇଥିବା ଅସ୍ଥାୟୀ ଟେଣ୍ଟରେ ମହାପ୍ରଭୁ ଜଗନ୍ନାଥ ଓ ମହାତ୍ମାଗାନ୍ଧୀଙ୍କ ଫୋଟଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନପୂର୍ବକ ଅନିର୍ଦ୍ଦିଷ୍ଟ କାଳପାଇଁ ରିଲେ ଅନଶନରେ ବସିଥିଲେ | ଏହାକୁ ସମର୍ଥନ କରି ବୈଶିଙ୍ଗା ବଜାର କମିଟିର ଦୁଇ ଶହରୁ ଉର୍ଦ୍ଧ୍ବ ବ୍ୟବସାୟୀ ନିଜର ବ୍ୟବସାୟିକ ଅନୁଷ୍ଠାନକୁ ଛଅ ଘଣ୍ଟା ଧରି ବନ୍ଦ ରଖି ଅନଶନରେ ଯୋଗଦାନ କରିଥିଲେ | ଏଥି ସହିତ ବିଭିନ୍ନ ରାଜନୈତିକ ଦଳର ବ୍ୟକ୍ତି, ନାରୀ ସଙ୍ଗଠନ , ବରିଷ୍ଠ ନାଗରିକ, ଛାତ୍ର ସଙ୍ଗଠନ ତଥା ସାଧାରଣ ଚାଷୀମାନେ ଶତାଧିକ ସଂଖ୍ୟାରେ ଯୋଗ ଦେଇଥିଲେ | ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏହି ଅନଶନ ଜାରି ରହିବ ବୋଲି ସଭାପତି ଶ୍ରୀ ପଣ୍ଡା ଦୃଢ ଚେତାବନୀ ଦେଇଥିଲେ |