ହତ୍ୟା ପୂର୍ବରୁ ଗୋ ଉଦ୍ଧାର କଲେ ବଜରଙ୍ଗ ଦଳ

ବୈପାରିଗୁଡା: ଗୋ ହତ୍ୟା ପୂର୍ବରୁ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କଲେ ବଜରଙ୍ଗ ଦଳ। ଏଭଳି ଏକ ଘଟଣା ଘଟିଛି କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଅନ୍ତର୍ଗତ ପୂଜାରୀଗୁଡା ପଞ୍ଚାୟତର ବାସିନିଗୁଡା ଗ୍ରାମରେ। ଘଟଣା ଅନୁଯାୟୀ ବାସିନିଗୁଡାର କିଛି ବ୍ୟକ୍ତି ଗାଈଟିଏ ନେଇ ନିକଟସ୍ଥ କାଜୁ ଜଙ୍ଗଲରେ ହତ୍ୟା କରିବା ପାଇଁ ପ୍ରସ୍ତୁତ ହୋଇଥିବା ବେଳେ କୈାଣସି ସୂତ୍ରରୁ ଖବର ପାଇ ବଜରଙ୍ଗ ଦଳ, ବିଶ୍ବହିନ୍ଦୁ ପରିଷଦ ଏବଂ ଡମ୍ବ ସମାଜର କର୍ମକର୍ତ୍ତା ମାନେ ଠିକଣା ସମୟରେ ପହଞ୍ଚି ଗାଈଟିକୁ ଉଦ୍ଧାର କରିଥିଲେ। ତେବେ ଦୁବୃର୍ତ୍ତ ମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ବଜରଙ୍ଗ ଦଳ, ବିଶ୍ବହିନ୍ଦୁ ପରିଷଦ ଏବଂ ଡମ୍ବ ସମାଜ ତରଫରୁ ବାସିନିଗୁଡା ଠାରେ ଏକ ବୈଠକ ଆୟୋଜନ କରାଯାଇଥିଲା। ଏହି ବୈଠକରେ ସମସ୍ତ ଗ୍ରାମବାସୀ ଉପସ୍ଥିତ ଥିଲେ।

ବିଶ୍ବହିନ୍ଦୁ ପରିଷଦର ଜିଲ୍ଲା ଉପସଭାପତି ରଜତ କୁମାର ବାଗ୍, ବ୍ଲକ ସଭାପତି ନୀର ସାହୁ, ବଜରଙ୍ଗ ଦଳର ବ୍ଲକ ସଭାପତି ରବିନ୍ଦ୍ର ନାୟକ, ବ୍ଲକ ସଂପାଦକ ରବି ଖିଲ, ବ୍ଲକ ଗୋ ରକ୍ଷା ପ୍ରମୁଖ କାର୍ତ୍ତିକ ଖିଲ, ଡମ୍ବ ସମାଜର ଭାଗିରଥି ମାଛ, ପୂଜାରୀଗୁଡା ପଞ୍ଚାୟତ ସରପଞ୍ଚ ସତ୍ୟ ମାଝୀ, ଓ୍ବାର୍ଡ ସଭ୍ୟା ମଧ୍ୟ ଏହି ବୈଠକରେ ଯୋଗ ଦେଇଥିଲେ। ଗ୍ରାମବାସୀଙ୍କୁ ଗୋ ହତ୍ୟା ନିଷେଧ ସଂପର୍କରେ ବୁଝାଇବା ସହ ଏଥିରୁ ନିବୃତ୍ତ ରହିବା ପାଇଁ ଅନୁରୋଧ କରିଥିଲେ। ପରେ ବଜରଙ୍ଗଦଳ, ବିଶ୍ବହିନ୍ଦୁ ପରିଷଦ ଏବଂ ଡମ୍ବ ସମାଜର କର୍ମକର୍ତ୍ତା ମାନେ ଗାଈଟିକୁ ଆଣି ବୈପାରିଗୁଡା ଥାନାରେ ଜିମା ଦେଇଥିଲେ। ବୈପାରିଗୁଡା ଥାନା ଡିଏସପି ବିରଞ୍ଚିନାରାୟଣ ଜଗତ ଏବଂ ସମସ୍ତ କର୍ମକର୍ତ୍ତାଙ୍କ ସହ ଆଲୋଚନା ହୋଇ ଗାଈଟିକୁ କେନ୍ଦୁଗୁଡା ପଞ୍ଚାୟତର କଦମଗୁଡା ଠାରେ ରହିଥିବା ଗୋ ଶାଳାରେ ରଖାଯିବ ବୋଲି ଡିଏସପି ବିରଞ୍ଚିନାରାୟଣ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର