ବାଜରା ପାଇଁ ଉପଯୋଗୀ ମାଳଭୂମି କୋରାପୁଟ

ପ୍ରୋ୍ତ୍ସାହନ ଓ ସଦିଚ୍ଛା ଅଭାବ ହେତୁ ଫଳୁନି ସୁନାଫଳ

କୋରାପୁଟ(ଶ୍ରୀକାନ୍ତ ସାହୁ): ଦିନ ଥିଲା କୋରାପୁଟିଆଙ୍କ ଏକ ମାତ୍ର ପସନ୍ଦ ଥିଲା ବାଜରା। ବାଜରାରେ ୧୧.୬% ପୁଷ୍ଟିସାର, ୫% ସ୍ନେହସାର, ୬୭% ଶ୍ଵେତସାର, ୨.୭% ଧାତବ ଲବଣ ଏବଂ ୧୨.୪% ଜଳୀୟ ଅଂଶ ରହିଥିବାରୁ ଆଦିବାସୀ ମୂଲକରେ ଏଥିରୁ ପ୍ରସ୍ତୁତ ତରଳ ଖାଦ୍ୟକୁ ଟନିକ ଭାବେ ମଧ୍ୟ ଗଣନା କରାଯାଏ। ୨୫ ବର୍ଷରୁ କୋରାପୁଟ ଜିଲ୍ଲାରେ ଏହି ଖାଦ୍ୟଶଷ୍ୟକୁ ଆଦିବାସୀ ବହୁଳ ମାତ୍ରାରେ ଚାଷ କରୁଥିଲେ। ଖାଲି ଯେ ଚାଷ କରୁଥଲେ ତାହାନୁହେଁ ଓଡ଼ିଶାରେ ରହିଥିବା ବହୁ ଆର୍ୟୁବେଦିକ୍ ମେଡିକାଲକୁ ଏହା ପ୍ରେରଣ କରାଯାଉଥିଲା।

ପୂର୍ବରୁ ଯେପରି ଭାବେ ଏହି ଚାଷ ହେଉଥିଲା ତାହା ଏବେ କିନ୍ତୁ ହେଉ ନାହିଁ। ଆଦିବାସୀ ମୂଲକରେ ରହୁଥିବା ମାଳଭୂମି କୋରାପୁଟରେ କାଁ ଭାଁ ଏହି ଚାଷ କରାଯାଉଛି। ଏପରିସ୍ଥିତି ସୃଷ୍ଟି ହୋଇଛି ଯେ ଏହି ଜିଲ୍ଲାରୁ ରାଜ୍ୟର ଅନ୍ୟ ଅଞ୍ଚଳକୁ ଯାଉଥିବା ବାଜରା ଏବେ ସମୂଳେ ନାଷ ହେବାକୁ ବସିଲାଣି। କାଁ ଭାଁ ଆଦିବାସୀଙ୍କ ନିକଟରେ ଏହି ବାଜରାର ବିହନ ରହିଛି। ପୂର୍ବରୁ ଜିଲ୍ଲାର ଗାଁ ଗାଁରେ ହଜାର ହଜାର ହେକ୍ଟର ଜମିରେ ଏହି ଚାଷ ହେଉଥିବାବେଳେ ଏବେ ତାହା ଦେଖିବାକୁ ମିଳୁନାହିଁ। ଓଡ଼ିଶା ମିଲେଟ୍ ମିସନରେ ଏହାକୁ ସାମିଲ କରାଯାଇଥିବାବେଳେ ମଧ୍ୟାହ୍ନ ଭୋଜନ ଯୋଜନାରେ ମଧ୍ୟ ଏହାକୁ ସାମିଲ କରାଯାଇଛି। କିନ୍ତୁ ପ୍ରଶାସନର ସଦିଚ୍ଛା ଓ ପ୍ରୋତ୍ସାହନର ଅଭାବ ହେତୁ ଏହା ଫଳବତୀ ହୋଇପାରୁନାହିଁ।

ତେବେ ବାଜରା ଶୁଷ୍କାଞ୍ଚଳ ଚାଷୀମାନଙ୍କର ଏକ ମୁଖ୍ୟ ଖାଦ୍ୟଶସ୍ୟ । ଏହା ଆଫ୍ରିକା ଓ ଏସିଆ ମହାଦେଶରେ ଚାଷ କରାଯାଏ। ଆଫ୍ରିକା ମହାଦେଶରେ ବାଲିଆ, ବାଲିଆ ଓ ଶୁଷ୍କ ଜମିରେ ଯେଉଁଠାରେ ଜହ୍ନା ହୋଇପାରିବ ନାହିଁ ସେଠାରେ ବାଜରା ହୁଏ। ଏସିଆ ମହାଦେଶର ଭାରତ, ପାକିସ୍ଥାନ, ଚୀନ ଏବଂ ଦକ୍ଷିଣ ପୂର୍ବ ଏସିଆର ଏହା ଗୋଟିଏ ମୁଖ୍ୟ ଶସ୍ୟପ୍ରଦ ଫସଲ। ବାଜରା ମରୁଡି ସହଣି ଫସଲ ହୋଇଥିବାରୁ ଓଡ଼ିଶାର କୋରାପୁଟ ଜିଲ୍ଲାରେ ଏହା ଏକ ମୁଖ୍ୟ କ୍ଷୁଦ୍ରଶସ୍ୟ ହୋଇ ରହିଥିଲା। ଯେଉଁଭୂମିରେ ମାଣ୍ଡିଆ ଚାଷ କରାଯାଇପାରିବ ସେହି ଭୂମିରେ ବାଜରା ଚାଷ କରାଯାଏ । ଭାତଭଳି ବାଜରାକୁ ରାନ୍ଧି ଖିଆଯିବା ସହ ରୁଟି ମଧ୍ୟ ତିଆରି ହୁଏ । ଏହା ଗୋ-ଖାଦ୍ୟ ରୂପେ ମଧ୍ୟ ବ୍ୟବହାର ହୁଏ । କୋରାପୁଟ ଜିଲ୍ଲାର ୧୪ଟି ବ୍ଲକ ଯଦିବା ଜଳସେଚନ ପାଇଁ ୩ଟି ବଡ ବଡ ପ୍ରକଳ୍ପ ରହିଛି ସବୁଠିକି ପାଣି ମାଡି ପାରୁନାହିଁ। ଜିଲ୍ଲାର ଏପରି ଶୁଷ୍କ ଜମି ରହିଛି ଯେଉଁଠି ଏହି ଚାଷ ଭଲ ହେବ।

ବାଜରା ଉଷ୍ଣପାଗୀ ଫସଲ ହୋଇଥିବାବେଳେ ଏହି ଫସଲ ବାର୍ଷିକ ୪୦–୭୫ ସେ.ମି. ବର୍ଷା ହେଉଥିବା ଅଞ୍ଚଳରେ ଚାଷ କରାଯାଇ ପାରିବ। ଏହାର ମରୁଡି ସହଣି ଶକ୍ତି ରହିଥିବାରୁ ଅଙ୍ଗୀୟ ବୃଦ୍ଧି ଅବସ୍ଥାରେ ଆର୍ଦ୍ର ପାଗ ଉପଯୋଗୀ। ଅଳ୍ପ ବର୍ଷା ଓ ଉଜ୍ଵଳ ସୂର୍ଯ୍ୟାଲୋକ ମିଳୁଥିବା ଅଞ୍ଚଳରେ ବାଜରା ଫସଲରୁ ଚାଷୀମାନେ ସର୍ବାଧିକ ଅମଳ ପାଇଥାନ୍ତି । ପ୍ରତିକୂଳ ପରିବେଶ ସମ୍ଭାଳିବା ଶକ୍ତି ଜହ୍ନା ଠାରୁ ବାଜରାର ଅଧିକ ରହିଥିବାରୁ ସାଧାରଣତଃ ଅଧିକ ତାପ ଓ ସ୍ୱଳ୍ପ ବୃଷ୍ଟିପାତ, ଯେଉଁ ଅଞ୍ଚଳ ଜହ୍ନାପାଇଁ ଅନୁପଯୁକ୍ତ ସେଠାରେ ବାଜରା ଚାଷ କରାଯାଏ।

ବାଜରା ୩-୪ ମାସରେ କଟାଯାଏ । ମଞ୍ଜିଟାଣ ହୋଇଗଲେ ୨୦% ଜଳୀୟ ଅଂଶ ଥିବା ସମୟରେ ବାଜରା କଟାଯାଏ । ବାଜରା ଶିଂଷା ଦାଆରେ କାଟି ଅଖା ବା ଟୋକେଇରେ ଭରି ଖଳାକୁ ନିଆଯାଏ । ଖଳାରେ ଶୁଖାଇ ବେଙ୍ଗଳା ପକାଇ ଅମଳ କରାଯାଏ । ଗୁଣ୍ଡ ପାଳକୁ ପବନରେ ଉଡାଇ ବା କୁଲାରେ ପାଛୋଡି ମଞ୍ଜି ଅଲଗା କରାଯାଏ । ତାପରେ ବାଜରାକୁ ଖରାରେ ଶୁଖାଇ ୧୨-୧୪% ଜଳୀୟ ଅଂଶ ରଖି ସାଇତି ରଖାଯାଏ ।

ବୈଜ୍ଞାନିକ ପ୍ରଣାଳୀରେ ବାଜରା ଚାଷ କଲେ ଜଳସେଚିତ ବାଜରାରୁ ହେକ୍ଟର ପିଛା ୩୦-୩୫ କୁଇଣ୍ଟାଲ ବାଜରା ଏବଂ ୧୦୦ କୁଇଣ୍ଟାଲ ବାଜରା କଡକୀ ମିଳିଥାଏ ଏବଂ ବର୍ଷାଧାର ଫସଲରୁ ୧୨-୧୫ କୁଇଣ୍ଟାଲ ମଞ୍ଜି ଏବଂ ୭୦-୭୫ କୁଇଣ୍ଟାଲ ଶୁଖିଲା କଡକୀ ମିଳିଥାଏ । ଜିଲ୍ଲାରେ ଶଙ୍କର କିସମ ମଧ୍ୟରେ ଏଚ୍:ବି –୧(୭୫-୮୫ ଦିନ), ଏଚ୍:ବି –୨(୭୦-୮୦), ଏଚ୍:ବି – ୩(୮୦), ଏଚ୍:ବି- ୪ (୯୦-୯୫), ଏଚ୍:ବି – ୫(୯୦) ରହିଥିବାବେଳେ କମ୍ପୋଜିଟ କିସମ ମଧ୍ୟରେ ପିଏସଭି ୮ (୮୨), ଡାଳୁ ସିଏସଇ –୭୫(୯୦), ପିଏସଭି –୧୫(୯୫ ଦିନ) ମଧ୍ୟରେ ଫଳିବ। କିନ୍ତୁ କୃଷି ବିଭାଗ ଏବେ ଯାଏ ଏନେଇ ସେପରି ଆଖିଦୃର୍ଶିଆ ପଦକ୍ଷେପ ନେଇପାରିନାହିଁ। ଫଳରେ ଜିଲ୍ଲାରେ ବାଜରାକୁ ନେଇ ଚାଷୀଙ୍କ ମଧ୍ୟରେ ସେପରି ମନୋଭାବ ଉତ୍ପନ୍ନ କରିବାକୁ ଚେଷ୍ଠା ଦେଖିବାକୁ ମିଳୁନାହିଁ।

କୋରାପୁଟ କୃଷି ଅଧିକାରୀ ତାପସ ରଞ୍ଜନ ରାଏ କହିଛନ୍ତି ଯେ ମାଣ୍ଡିଆ ଓ ସୁଆଁକୁ ମୁଖ୍ୟତଃ ଗୁରୂତ୍ବ ଦେଉଛନ୍ତି। ପୂର୍ବରୁ ଏହି ବାଜରା ଚାଷକୁ ଗୁରୁତ୍ବ ଦେଉଥିଲେ କିନ୍ତୁ ଅଧିକ ଅମଳ ନ ହେବାରୁ ଏହାକୁ ଚାଷ କରିବା ବନ୍ଦ କରିଦେଲେ। ଏବେ ଏହି ଚାଷ କରିବାକୁ ଆମେ ପକ୍ରିୟା ଆରମ୍ଭ କରିସାରିଛୁ। ଖୁବଶୀଘ୍ର ଏହା କିପରି ଭଲ ଚାଷ ହେବ ସେନେଇ ପକ୍ରିୟା ଆରମ୍ଭ କରିଛୁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର