ବାଳକାଟି ମାର୍କେଟ କଂପ୍ଲେକ୍ସ ଆଗରୁ ୨୪ ତାରିଖରେ ହଟିବ ଜବରଦଖଲ

ବାଲିଅନ୍ତା: ଭୁବନେଶ୍ବର ଉପକଣ୍ଠ ବାଳକାଟି ବଜାର ସଂଲଗ୍ନ ସାପ୍ତାହିକ ହାଟ ନିକଟରେ ନିର୍ମିତ ପ୍ରତାପଶାସନ ଗ୍ରାମ ପଞ୍ଚାୟତ ମାର୍କେଟ କଂପ୍ଲେକ୍ସ ସମ୍ମୁଖ ଅଞ୍ଚଳ ଜବରଦଖଲମୁକ୍ତ ହେବା ନେଇ ସ୍ଥିର ହୋଇଛି । ଆସନ୍ତା ୨୪ ତାରିଖ ବୁଧବାର ପୂର୍ବରୁ ସମସ୍ତ ଜବରଦଖଲକାରୀ ହଟିଯିବା ପାଇଁ କୁହାଯାଇଛି । ଏନେଇ ଆଜି ବାଲିଅନ୍ତା ତହସିଲଦାର ସରୋଜ କୁମାର ପଣ୍ଡା ଓ ବିଡ଼ିଓ ଆଦିକନ୍ଦ ବେହେରା ପ୍ରମୁଖଙ୍କ ସମେତ ପୁଲିସ ପହଞ୍ଚି ବ୍ୟବସାୟୀମାନଙ୍କୁ ସତର୍କ କରାଇ ଦେଇଥିଲେ । ଯଦି ନିର୍ଦ୍ଧାରିତ ଦିନ ପୂର୍ବରୁ ସେମାନେ ଜାଗା ଖାଲି ନକରନ୍ତି , ତା’ ହେଲେ ପ୍ରଶାସନ ବୁଲଡୋଜର ଲଗାଇ ବେଆଇନ ନିର୍ମାଣ କାର୍ଯ୍ୟ ଉଚ୍ଛେଦ କରାଇବ ବୋଲି ସୂଚନା ପ୍ରଦାନ କରାଯାଇଛି ।

ଏନେଇ ସମସ୍ତ ବ୍ୟବସ୍ଥା ପ୍ରସ୍ତୁତ ସରିଥିବା ତହସିଲଦାର ସରୋଜ କୁମାର ପଣ୍ଡା ସୂଚନା ପ୍ରଦାନ କରିଛନ୍ତି । ୧୮ଟି ଦୋକାନ ଘର ଥିବା ଦୁଇ ମହଲା ବିଶିଷ୍ଟ ଉକ୍ତ ମାର୍କେଟ କଂପ୍ଲେକ୍ସ ୨୦୧୬/୧୭ ମସିହାରେ ନିର୍ମିତ ହୋଇଥିଲା । ଏନେଇ ବାଲିଅନ୍ତା ପଞ୍ଚାୟତ ସମିତି ପକ୍ଷରୁ ୨୨ ଲକ୍ଷ ଟଙ୍କା ମଂଜୁର ହୋଇଥିଲା । ଦୋକାନ ଘର ସବୁ ଆବଣ୍ଟନ ସରିଛି  । ହେଲେ ଉକ୍ତ ମାର୍କେଟ କଂପ୍ଲେକ୍ସ ସମ୍ମୁଖ ଭାଗ ଜବରଦଖଲକାରୀଙ୍କ କବଜାରେ ରହିଥିବାରୁ ଦୋକାନ ଘର ନେଇଥିବା ହିତାଧିକାରୀମାନେ ଦୋକାନ ଖୋଲିବାରେ ସମ୍ମୁଖୀନ ହେଉଛନ୍ତି   । ଜବରଦଖଲକାରୀ ବ୍ୟକ୍ତିବିଶେଷ ଗଣ୍ଡଗୋଳ କରିବା ଆଶଙ୍କା ଥିବାରୁ ଥାନା ପକ୍ଷରୁ ଆବଶ୍ୟକ ପୁଲିସ ଫୋର୍ସର ବ୍ୟବସ୍ଥା ହୋଇଥିବା ସୂଚନା ମିଳିଛି ।  ଏଭଳି ସ୍ଥିତିରେ ମାର୍କେଟ କଂପ୍ଲେକ୍ସ କାର୍ଯ୍ୟକ୍ଷମ କରିବା ଲାଗି ଜବରଦଖଲମୁକ୍ତ ହେବା ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି ।

ସମ୍ବନ୍ଧିତ ଖବର