ରାଜକନିକା: ସରକାରୀ ଅଧିକାରୀଙ୍କ ତ୍ରୁଟି ଯୋଗୁ ରାଜକନିକା ଅଞ୍ଚଳର ଜଣେ ଚାଷୀ କାଳିଆ ଟଙ୍କା ପାଇବାରୁ ବଂଚିତ ହୋଇଛନ୍ତି। ଏହି ଚାଷୀଙ୍କ ଟଙ୍କା ତାଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ୍‌କୁ ନ ଆସି ଜଣେ ମୃତ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଯାଇଥିବା ଜଣାପଡ଼ିଛି। ଏହା ଜାଣିବା ପରେ ସଂପୃକ୍ତ ଚାଷୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି। ତୁରନ୍ତ ତ୍ରୁଟି ସୁଧାରିବାକୁ ଚାଷୀଜଣକ ସରକାରଙ୍କ ପାଖେ ନିବେଦନ କରିଛନ୍ତି।
ସୂଚନା ଅନୁସାରେ, ରାଜକନିକା ବ୍ଲକ ଜୟନଗର ଚାଉଳିଆ କୋହ୍ଲା ଗାଁର ଚାଷୀ   ମଲିକ କାଳିଆ ଯୋଜନାରେ ୨୦୧୯ ମସିହାରେ ଆବଶ୍ୟକ କାଗଜପତ୍ର ଦାଖଲ କରି ପଞ୍ଚାୟତରେ ଆବେଦନ କରିଥିଲେ l

Advertisment

ହେଲେ କାଳିଆ ଯୋଜନାରେ ବାଳକୃଷ୍ଣଙ୍କ ନାଁ ରହିଥିଲେ ବି ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଯାଉ ନ ଥିଲା l କାଳିଆ ଟଙ୍କା ନ ଆସିବାରୁ ବାଳକୃଷ୍ଣ କୃଷି ଅଫିସକୁ ବାରମ୍ବାର ଦୌଡ଼ିବା ପରେ ଅଧିକାରୀମାନେ କହିଥିଲେ ଯେ, ତୁମ ନାଁ କାଳିଆ ଯୋଜନାରେ ଅଛି, କିନ୍ତୁ ବ୍ୟାଙ୍କ ଆକାଉଣ୍ଟ ଭୁଲ ଅଛି। ଖୋଳତାଡ଼ ହେବା ପରେ ଜଣାପଡ଼ିଥିଲା ଯେ, ବାଳକୃଷ୍ଣଙ୍କ କାଳିଆ ଟଙ୍କା ଜୟନଗରସ୍ଥିତ ଜଣେ ବ୍ୟକ୍ତିଙ୍କ ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆ ଆକାଉଣ୍ଟକୁ ଯାଉଛି। ଏହି ଆକାଉଣ୍ଟଟି ହେଉଛି ବଜରପୁର ଗାଁର ସ୍ବର୍ଗତ ଅଣାକାର ବିଶ୍ୱାଳଙ୍କର। ମୃତ ଅଣାକାରଙ୍କ ଆକାଉଣ୍ଟକୁ ୨୦୧୯ ମସିହାରୁ କାଳିଆ ଟଙ୍କା ଯାଉଥିବା ଜଣାପଡିଛି l ଏହାର ସମାଧାନ ଲାଗି ଚାଷୀ ବାଳକୃଷ୍ଣ କାଳିଆ ଯୋଜନା ଅନ୍‌ଲାଇନ ଗ୍ରିଭାନ୍ସରେ ଆବେଦନ କରିଥିଲେ। ହେଲେ, କିଛି ବି ସୁଫଳ ମିଳି ନ ଥିଲା l ପରେ ଜିଲ୍ଲାପାଳଙ୍କ ଜନଶୁଣାଣିରେ ଗୁହାରି କରିଥିଲେ l ଜିଲ୍ଲାପାଳ କୃଷି ଅଧିକାରୀଙ୍କୁ ସମସ୍ୟାର ସମାଧାନ ଲାଗି ନିର୍ଦେଶ ଦେଇଥିଲେ। ହେଲେ ଟଙ୍କା ମିଳିବାରେ ବିଳମ୍ବ ହେବାରୁ ବାଳକୃଷ୍ଣ କୃଷି ଅଧିକାରୀ ଜ୍ୟୋର୍ତିମୟୀ ବେହେରାଙ୍କୁ ଭେଟିଥିଲେ। ଶ୍ରୀମତୀ ବେହେରା କହିଛନ୍ତି, ଆମେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ଦେଇଛୁ। ଆମ ହାତରେ କିଛି ନାହିଁ।