ବଲାଙ୍ଗୀର ଶିକ୍ଷା କାର୍ଯ୍ୟାଳୟ: ବାପାଙ୍କଠୁ ଆରମ୍ଭ କେଳେଙ୍କାରୀର ଫର୍ଦ୍ଦ, ମାଷ୍ଟରମାଇଣ୍ଡ କିରାଣି, ସନ୍ଦେହ ଘେରରେ ବିଇଓଙ୍କ ଭୂମିକା

ସ୍ତ୍ରୀ ଆକାଉଣ୍ଟକୁ ବି ଆସିଛି ରାଜକୋଷରୁ ଟଙ୍କା, ଭିଜିଲାନ୍‌ସର ତନାଘନା

ବଲାଙ୍ଗୀର: ବଲାଙ୍ଗୀର ବ୍ଲକ ଶିକ୍ଷା କାର୍ଯ୍ୟାଳୟର ମହାକେଳେଙ୍କାରୀର ଖବର ସମ୍ବାଦରେ ପ୍ରକାଶିତ ହେବା ପରେ ଆଲୋଡନ ସୃଷ୍ଟି କରିଛି। ଏବେ ମହାକେଳେଙ୍କାରୀର ଗୋଟିଏ ପରେ ଗୋଟିଏ ତଥ୍ୟ ସାମ୍ନାକୁ ଆସୁଛି। ନକଲି ଦସ୍ତାବିଜରେ ଅସଲି ଟଙ୍କା ସରକାରୀ ତହବିଲରୁ ଉଠିଛି। ପେନସନ ଫାଇଲପତ୍ରରେ ଚଞ୍ଚକତା କରାଯାଇ ସରକାରୀ ଅର୍ଥ ଆତ୍ମସାତ କରାଯାଇଛି। ଏସବୁର ମାଷ୍ଟରମାଇଣ୍ଡ ସାଜିଛନ୍ତି ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର କନିଷ୍ଠ କିରାଣି ପ୍ରମୋଦ କୁମାର ରଥ। ଶ୍ରୀ ରଥ ପୁଣି ଏହି ନକଲି କାଗଜପତ୍ର ନିଜ ବାପା କେଶବଚନ୍ଦ୍ର ରଥଙ୍କ ଫାଇଲରୁ ଆରମ୍ଭ କରିଛନ୍ତି। ବାପାଙ୍କ ଜନ୍ମ ତାରିଖ ବଦଳାଇ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରିଛନ୍ତି। ଏହାର ସବିଶେଷ ଦସ୍ତାବିଜ୍‌ ‘ସମ୍ବାଦ’ ହାତରେ ଲାଗିଛି।

ପ୍ରମୋଦ ରଥଙ୍କ ପଦବୀ କନିଷ୍ଠ ହେଲେ ବି କାମ ବରିଷ୍ଠଙ୍କଠାରୁ ବି ଆହୁରି ଅଧିକ। ତାଙ୍କ ଇସାରାରେ ଚାଲେ କାର୍ଯ୍ୟାଳୟ। ତେଣୁ କାଗଜପତ୍ରବି ତିଆରି ହୁଏ ତାଙ୍କ ଇସାରାରେ। ଆଉ ଏହାର ଖୁବ ଫାଇଦା ନେଇଛନ୍ତି ପ୍ରମୋଦ। ପ୍ରମୋଦଙ୍କ ବାପା ୧୯୯୨ ମସିହାରେ ଇଚ୍ଛାକୃତ ଅବସର ନେବାରୁ ପ୍ରମୋଦ ଚାକିରି ପାଇଥିଲେ। ତେଣୁ ପ୍ରଥମେ ନିଜ ବାପାଙ୍କ ନାଁରେ ଆରମ୍ଭ ହୋଇଥିଲା ନକଲି କାରବାର। ପ୍ରମୋଦଙ୍କ ବାପା ଇଚ୍ଛାକୃତ ଅବସର ନେବା ପରେ ରେଗୁରାଲ ପେନସନ ପାଉଛନ୍ତି। ପ୍ରମୋଦ କିନ୍ତୁ ତାଙ୍କ ନାଁରେ ଆଉ ଏକ ଫାଇଲ ତିଆରି କରିଥିଲେ। କେଶବ ରଥ ୨୦୧୩ ମସିହାରେ ଅବସର ଗ୍ରହଣ କରିଥିବା ସେଥିରେ ଦର୍ଶାଯାଇଥିଲା। ତେଣୁ କେଶବଙ୍କ ନାଁରେ ଦରକାର ମୁତାବକ ଫାଇଲ ତିଆରି କରି ପୁଣି ଥରେ ପ୍ରଭିଜନାଲ ପେନସନ ପାଇଁ ଅଧିକାରୀଙ୍କ ଦସ୍ତଖତରେ ଜିଲ୍ଲା ଟ୍ରେଜେରୀକୁ ପଠାଯାଇଥିଲା। ନକଲି କାଗଜପତ୍ରରେ କେଶବଙ୍କ ନାଁରେ ତାଙ୍କ ଏସବିଆଇ ଆକାଉଣ୍ଟ ନଂ- ୧୧୩୪୧୮୫୫୪୯୨ରେ ୨୦୧୮ ମସିହା ମେ ମାସ ୧୭ ତାରିଖରେ ୪ ଲକ୍ଷ ୩୯ ହଜାର ୫୬୦ ଟଙ୍କା, ୬ ଲକ୍ଷ ୫୨ ହଜାର ଓ ୧୬ ଲକ୍ଷ ୫୮ ହଜାର ୭୪୪ ଟଙ୍କା ୟୁଏଲଏସ, ଗ୍ରାଚୁଇଟି ଓ ପ୍ରଭିଜନାଲ ଏରିଅର ବାବଦକୁ ତିନି କିସ୍ତିରେ ଟଙ୍କା ପଡିଥିଲା। କେବଳ ଏତିକି ନୁହଁ, ଆହୁରି ଅନେକ ଲୋକଙ୍କ ନାଁରେ ନକଲି କାଗଜପତ୍ର କରି ପ୍ରମୋଦ କୋଟି କୋଟି ଟଙ୍କା ଉଠାଇଥିବା ଅଭିଯୋଗ ହୋଇଛି। ଆଉ ୧୫ରୁ ଉର୍ଦ୍ଧ୍ୱ ଶିକ୍ଷକଙ୍କ ନକଲି କାଗଜରେ ଟଙ୍କା ହଡପ ହୋଇଛି। ଏପରିକି ପ୍ରମୋଦ ନିଜ ସ୍ତ୍ରୀ ଝରଣା ରଥଙ୍କୁ କୌଣସି ନିର୍ଦ୍ଦିଷ୍ଟ ଶିକ୍ଷକଙ୍କ ଉତ୍ତରାଧିକାରୀ ଦର୍ଶାଇ ତାଙ୍କ ଏସବିଆଇ ଆକାଉଣ୍ଟ ନଂ-୧୧୩୪୨୦୨୮୦୫୧ରେ ୨୦୧୮ ମସିହା ଅଗଷ୍ଟ ୩ ତାରିଖରେ ୪ଲକ୍ଷ୩୯ ହଜାର, ୧୮ ଅଗଷ୍ଟ ୨୦୧୮ରେ ୫ଲକ୍ଷ୨୬ହଜାର ଓ ୪ ଲକ୍ଷ ଟଙ୍କା ରାଜ୍ୟ ରାଜକୋଷରୁ ଡିପପୋଜିଟ ହୋଇଛି।

ଏପରିକି ଝରଣା ରଥଙ୍କ ଆକାଉଣ୍ଟରେ କୌଣସି ଏକ ବ୍ୟକ୍ତିଙ୍କ ନାଁରେ ଲକ୍ଷ ଲକ୍ଷ ଟଙ୍କାର ତିନୋଟି ଚେକ ଡିପୋଜିଟ ହୋଇଛି। ୧୭ ଅଗଷ୍ଟରେ ୭ ଲକ୍ଷ ୨୪ ହଜାର, ୪ଲକ୍ଷ ୮୭ ହଜାର ୯୯୯ଟଙ୍କା ଓ ୨୮ ନଭେମ୍ବର ୨୦୧୮ରେ ୧୬ ଲକ୍ଷ ୨୫ ହଜାର୯୪୩ ଟଙ୍କାର ଚେକ ଡିପୋଜିଟ ହୋଇଛି। ବର୍ତ୍ତମାନ ଭିଜିଲାନ୍‌ସ ସୂତ୍ରରୁ ଜଣାପଡିଛି ଯେ, ଗୋଟିଏ କି ଦୁଇଟି ନୁହଁ, ଅନେକ ଅବସର ଶିକ୍ଷକଙ୍କ ନାଁରେ ନକଲି କାଗଜପତ୍ର କରାଯାଇଛି। ସବୁ କାଗଜପତ୍ର ବ୍ଲକ ଶିକ୍ଷା ଅଧିକାରୀଙ୍କ ଦସ୍ତଖତରେ ଜିଲ୍ଲା ଟ୍ରେଜେରୀକୁ ଯାଇଛି। ବର୍ଷବର୍ଷ ଧରି ରାଜ୍ୟ ରାଜକୋଷରୁ ଅବସରପ୍ରାପ୍ତ ଶିକ୍ଷକଙ୍କ ନାଁରେ କୋଟିକୋଟି ଟଙ୍କା କିରାଣିଙ୍କଠାରୁ ନେଇ ଅଧିକାରୀ ଯାଏଁ ହଡପ କରିଛନ୍ତି ଯ ତେବେ ଏ ନେଇ ଗଣମାଧ୍ୟମ ସାମ୍ନାରେ ମୁହଁ ଖୋଲିଛନ୍ତି ପ୍ରମୋଦ। ସେ କହିବା ହେଲା, ଟଙ୍କା ସେ ନେଇଛନ୍ତି ଓ ସବୁ ବିଇଓଙ୍କ ଦସ୍ତଖତରେ ହୋଇଛିି। ଯଦି ସରକାର କହିବେ ସେ ରିକଭରୀ ଦେବାକୁ ପ୍ରସ୍ତୁତ ବୋଲି ସଫେଇ ଦେଇଛନ୍ତି।

ଅନ୍ୟପଟେ ବିଇଓ ରିଚପାଲ ସାଗରଙ୍କ କହିବା ହେଲା, ସେ ଫାଇଲ ଦେବାରୁ ଜାଣିନପାରି ସବୁ ଦସ୍ତଖତ କରିଦେଇଥିବା କହିଛନ୍ତି। ମୋଟାମୋଟି ଘଟଣାକୁ ନେଇ ଭିଜିଲାନ୍‌ସ ମଧ୍ୟ ତଦନ୍ତକୁ ତ୍ୱରାନ୍ଵିତ କରିଛି। ଗୋପନୀୟ ତଦନ୍ତ ଚାଲିଥିବାରୁ ଏବେ କୌଣସି ତଥ୍ୟ ଦେଇହେବ ନାହିଁ ବୋଲି ଭିଜିଲାନ୍‌ସ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର