ବଲାଙ୍ଗୀରରେ ଜିଏସଟି ଠକେଇ ମାମଲା; ଜେଲ୍ ଗଲେ ମାଆ ଓ ପୁଅ

୪ ଭୂତ କଂପାନି; ୪୦ କୋଟିର କାରସାଦି

ବଲାଙ୍ଗୀର: ବଲାଙ୍ଗୀରରେ ଜିଏସଟି ଠକେଇ ମାମଲାରେ ଜେଲ୍ ଯାଇଛନ୍ତି ମାଆ-ପୁଅ। ଦୁଇ ଦିନ ହେଲାଣି ଅଟକ ଥିବା ଗାୟତ୍ରୀ ଜୈସୱାଲ ଓ ତାଙ୍କ ପୁଅ ବୀରେନ୍ଦ୍ର ଜୈସୱାଲଙ୍କୁ ପୁଲିସ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ କୋର୍ଟଚାଲାଣ କରାଯାଇଛି। ଏହି ଘଟଣାରେ ଅଟକ ଥିବା ବରଗଡ଼ ଜିଲ୍ଲା ଗାଇସିଲେଟ୍ ଅଂଚଳର ଅଶୋକ କଲେତଙ୍କୁ କିନ୍ତୁ ପୁଲିସ ଥାନାରେ ଅଟକ ରଖି ପଚରାଉଚରା ଚଲାଇଛି। ଏହି ଠକେଇ ମାମଲାରେ ଅଶୋକ ବି ସଂପୃକ୍ତ ଥିବା ପୁଲିସ ସୂଚନା ଦେଇଛି। ଘଟଣାର କଟକ ଲିଙ୍କ୍ ନେଇ ଅଧିକ ସୂଚନା ପାଇଁ ଅଶୋକଙ୍କୁ ପୁଲିସ ପଚରାଉଚରା ଜାରି ରଖିଛି

କୋଟିଏ ଟଙ୍କାର ଜିଏସଟି କାରବାର ସୂଚନା ପାଇ ପ୍ରଥମେ ଖୋଲତାଡ଼ ଆରମ୍ଭ କରିଥିଲା ବିକ୍ରି ଓ ଦ୍ରବ୍ୟ ସେବାକର ବିଭାଗ। ସଇନ୍ତଲା ଥାନା ଘଣ୍ଟାମାଲ ଗାଁର ଜଣେ ବ୍ୟକ୍ତିଙ୍କ ନିକଟକୁ ଯାଇ ପଚରାଉଚରା କରିଥିଲେ ଜିଏସଟି ବିଭାଗ ଅଧିକାରୀ। ଜଣେ ଗରିବ ଚାଷୀଙ୍କ ନାଁରେ ମିଛ କମ୍ପାନି ଖୋଲାଯାଇ ଏଭଳି କାରବାର କରାଯାଇଥିବାର ଚାଞ୍ଚଲ୍ୟକର ତଥ୍ୟ ପାଇଥିଲେ।
ତା’ପରେ ଦେଓଗାଁ ଥାନା ଅନ୍ତର୍ଗତ ସାରସମାଲ ଗାଁରେ ତଦନ୍ତ କରିଥିଲେ। ଏକାଧିକ ଭୂତ କମ୍ପାନି ଖୋଲାଯାଇ କୋଟିକୋଟି ଟଙ୍କାର ଟ୍ରାନଜେକ୍ସନ ସବୁ ହୋଇଥିବା ଜାଣିବାକୁ ମିଳିଥିଲା। ଏହି ଦୁଇ ଗାଁର କିଛି ଲୋକଙ୍କ ଡକ୍ୟୁମେଣ୍ଟ ହାତେଇ ଭୂତ କମ୍ପାନିର ମାୟାଜାଲ ସୃଷ୍ଟି କରାଯାଇଥିବା ଏବଂ ଏଥିରେ ଗାୟତ୍ରୀ ଓ ତାଙ୍କ ପୁଅ ସଂପୃକ୍ତ ଥିବା ଜଣାପଡ଼ିଥିଲା। ଯେଉଁମାନଙ୍କ ନାଁରେ କମ୍ପାନି ସବୁ ହୋଇଥିଲା ସେମାନେ ସମସ୍ତେ ଥାନାରେ ଲିଖିତ ଏତଲା ଦେଇଥିଲେ। ସଇନ୍ତଲା, ଦେଓଗାଁ ଓ ଟାଉନ ଥାନାରେ ପହଞ୍ଚିଥିଲା ସବୁ ଅଭିଯୋଗ।

ଅଭିଯୋଗ ଆଧାରରେ ଟାଉନ ଥାନା ପୁଲିସ ଗାୟତ୍ରୀ ଓ ତାଙ୍କ ପୁଅ ବୀରେନ୍ଦ୍ରଙ୍କୁ ଗିରଫ କରିଥିଲା। ସେମାନଙ୍କ ସୂଚନା ଆଧାରରେ ଗାଇସିଲେଟର ଅଶୋକକୁ ଥାନାକୁ ଆଣି ପୁଲିସ ପଚରାଉଚରା ଜାରି ରଖିଛି। ଜିଏସଟି ବିଭାଗ ଅଧିକାରୀ ଓ ପୁଲିସ ଉଭୟେ ଜେରା କରିବା ପରେ ୪ଟି ଭୂତ କମ୍ପାନିର ଲିଙ୍କ୍ ପାଇଛନ୍ତି। ନରେନ୍ଦ୍ର ସାହୁଙ୍କ ନାଁରେ କଲୋଡିଆ ଟ୍ରେଡର୍ସ, ରବୀନ୍ଦ୍ର ଭୋଇଙ୍କ ନାଁରେ ସିନ୍ଧୁଜା ଷ୍ଟିଲ, ଦେବେନ୍ଦ୍ର ଜୈସୱାଲଙ୍କ ନାଁରେ ଘଟବାସିନୀ ଟ୍ରାନ୍ସପୋର୍ଟ, ଜଗବନ୍ଧୁ ସାହୁଙ୍କ ନାଁରେ ଶିଭମ୍ ଷ୍ଟିଲ ନାମରେ ଭୂତ କମ୍ପାନି ଖୋଲାଯାଇଥିଲା। ସେମାନେ ଠକେଇର ଶିକାର ହୋଇଥିବା ଜାଣି ଥାନାରେ ଏତଲା ଦେବା ପରେ ଏହି ମାମଲାରେ ବହୁ ଲୋକଙ୍କ ସଂପୃକ୍ତି ଥିବା ସନ୍ଦେହ କରାଯାଉଛି। ବର୍ତ୍ତମାନ ପୁଲିସ କଟକର ଜଣଙ୍କ ନାଁ ପାଇଛି।

ଆଜି କୋର୍ଟଚାଲାଣ ପୂର୍ବରୁ ଟାଉନ ଥାନା ପୁଲିସ ମାଆ–ପୁଅଙ୍କୁ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାକୁ ନେଇଥିଲା। ସେଠାରେ ଗାୟତ୍ରୀ ଗଣମାଧ୍ୟମକୁ କହିଥିଲେ, ସେ ସିଲେଇ ତାଲିମ ଦେବାକୁ ସାରସମାଲ ଯାଉଥିଲେ। ଯାହା ଡକ୍ୟୁମେଣ୍ଟ ସଂଗ୍ରହ କରିଥିଲେ ସେ ଅଶୋକଙ୍କୁ ଦେଇଥିଲେ। ସେ କଟକ ଯାଇ ନଥିଲେ ବୋଲି କହିଥିଲେ। ତାଙ୍କ ପୁଅ ବୀରେନ୍ଦ୍ର ଗଣମାଧ୍ୟମ ଆଗରେ କିଛି ନକହି ନିରବ ରହିଥିଲେ। ଭୂତ କମ୍ପାନିର ଚେର କେଉଁ ଯାଏଁ ଲମ୍ବିଛି ତାହାର ତଦନ୍ତ ଚାଲୁ ରହିଛି ବୋଲି ସାମ୍ବାଦିକ ସମ୍ମିଳନୀରେ ଡେପୁଟି କମିସନର ଫକିର ମୋହନ ଶତପଥୀ କହିଛନ୍ତି।

ଆଇଆଇସି ସଂଗ୍ରାମ ପଟ୍ଟନାୟକ ୪ଟି ଭୂତ କମ୍ପାନି ଓ ସବୁତକ କମ୍ପାନିରେ ୭ରୁ୧୦ କୋଟି ଲେଖାଏଁ ଟଙ୍କା ନେଣଦେଣ ହୋଇଥିବା ସୂଚନା ଦେଇଛନ୍ତି। କିଏ ଫେକ କମ୍ପାନି ଖୋଲିଥିଲା? ମାଆ–ପୁଅ ଡକ୍ୟୁମେଣ୍ଟ କାହାକୁ ଦେଇଥିଲେ? ଅଶୋକକୁ ଯଦି ଡକ୍ୟୁମେଣ୍ଟ ଦେଇଥିଲେ ସେ କାହାକୁ ଦେଇଥିଲା? ବୀରେନ୍ଦ୍ର ଏଠାକାର ଲୋକଙ୍କୁ କଟକ ନେଇ ଆକାଉଣ୍ଟ ଖୋଲିବା ସମୟରେ ସେଠାରେ ଆଉ କିଏ ଥିଲେ? କେତେଦୂର ଯାଏଁ ଲମ୍ବିଛି ଜିଏସଟି ଜାଲିଆତି? ସେ ନେଇ ଏବେ ଜିଏସଟି ବିଭାଗ ଓ ପୁଲିସ ତଦନ୍ତ ଜାରି ରଖିଛନ୍ତି।

କଟକରେ ଭୂତ କମ୍ପାନିର ମାଷ୍ଟରମାଇଣ୍ଡ୍!
ବଲାଙ୍ଗୀର ପୁଲିସ ଜିଏସଟି କେଲେଙ୍କାରୀ ମାମଲାରେ ତଦନ୍ତ ପାଇଁ କଟକ ଯିବ। ଗାୟତ୍ରୀ ଓ ଅଶୋକ ଜେରା ବେଳେ ପୁଲିସକୁ କଟକ ଲିଙ୍କରେ କେଉଁମାନେ ସବୁ ଅଛନ୍ତି ତାହାର ସୂଚନା ଦେଇଛନ୍ତି। ସେହି ସୂଚନା ଆଧାରରେ ଟାଉନ ଥାନା ପୁଲିସ କଟକ ଯାଇ ଅଧିକ ତଦନ୍ତ କରିବ ବୋଲି ଜଣାପଡ଼ିଛି। ଗାୟତ୍ରୀ ସାରସମାଲ ଓ ଘଣ୍ଟାମାଲ ଗାଁର ଲୋକଙ୍କ ଡକ୍ୟୁମେଣ୍ଟ ଆଣିଥିଲେ। ସେହି ଡକ୍ୟୁମେଣ୍ଟ ବଳରେ କେମିତି କମ୍ପାନି ଖୋଲାଯାଇଥିଲା ତାହା ପଚରାଉଚରା ପରେ ଅଶୋକର ନାଁ ସାମ୍ନାକୁ ଆସିଥିଲା। ଅଶୋକ ବି ଯାହା ଜାଣିଥିଲା ଏବେ ପୁଲିସକୁ ସୂଚନା ଦେଇଛି। ସ୍ଥାନୀୟ କିଛି ଲୋକଙ୍କୁ କଟକ ନିଆଯାଇଥିଲା ବୋଲି ବି ସୂଚନା ମିଳିଛି। ତେବେ ଭୂତ କମ୍ପାନିର ମାଷ୍ଟରମାଇଣ୍ଡ କଟକରେ ବସିଛି ବୋଲି ଚର୍ଚ୍ଚା ଚାଲିଛି।

ବଡ଼ ବଦଳରେ ସାନକୁ ଉଠାଇ ଆଣିଥିଲା ପୁଲିସ
ବଲାଙ୍ଗୀର ଆଦର୍ଶ ଥାନା ଗତ କିଛି ମାସ ହେବ ନିଜ କାର୍ଯ୍ୟକୁ ନେଇ ନୁହେଁ, ବରଂ କାରନାମାକୁ ନେଇ ଚର୍ଚ୍ଚାରେ ରହିଥାଏ। କେତେବେଳେ ଲୋକଙ୍କ ଅଭିଯୋଗ ନରଖି ଫେରାଇ ଦେବାକୁ ନେଇ ଚର୍ଚ୍ଚା ତ ଆଉ କେତେବେଳେ ଅଭିଯୁକ୍ତଙ୍କୁ ଚିହ୍ନି ନପାରି ଅଟକ ରଖିବା ନେଇ ଚର୍ଚ୍ଚା। ଜିଏସଟି ଜାଲିଆତି ମାମଲାରେ ଏପରି ଏକ ଚର୍ଚ୍ଚିତ ଘଟଣା ସାମ୍ନାକୁ ଆସିଛି।

ଘଟଣାରେ ଅଭିଯୁକ୍ତ ଥିଲେ ସିଲେଇ ଦିଦି ୪୨୦ ଓ ତାଙ୍କ ପୁଅ ବୀରେନ୍ଦ୍ର। ଗତ ୮ ତାରିଖରେ ଟିକ୍ରାପଡ଼ା ଘରୁ ଗାୟତ୍ରୀ ଓ ତାଙ୍କ ପୁଅଙ୍କୁ ଉଠାଇ ଆଣିଥିଲା ପୁଲିସ। ଦୁଇ ଦିନ ଅଟକ ରଖି ପଚରାଉଚରା କରିବା ପରେ ପୁଲିସ ଜାଣିପାରିଥିଲା ଯେ ବୀରେନ୍ଦ୍ରଙ୍କ ବଦଳରେ ତାଙ୍କ ସାନ ଭାଇ ରବିଙ୍କୁ ଆଣି ଅଟକ ରଖିଛି। ସେପଟେ ଅଭିଯୁକ୍ତ ବୀରେନ୍ଦ୍ର ମାଆ ଓ ସାନ ଭାଇଙ୍କ ପାଇଁ ଖାଇବା ପିଇବା ନେଇ ଥାନାକୁ ଆସୁଥିଲେ। ପରେ ଭୁଲ ଜାଣିପାରି ପୁଲିସ ସାନ ପୁଅଙ୍କୁ ଛାଡ଼ି ବଡ଼ ପୁଅ ବୀରେନ୍ଦ୍ରଙ୍କୁ ଅଟକ ରଖି ତଦନ୍ତ ଆଗକୁ ନେଇଥିଲା। ଏବେ ମାଆ ପୁଅଙ୍କୁ କୋର୍ଟଚାଲାଣ କରାଯାଇଛି।

ସିଲେଇ ଦିଦି ୪୨୦
ସିଲେଇ ତାଲିମ ଦେଉଦେଉ ହାତେଇନେଲେ କାଗଜପତ୍ର। ନିରୀହ ଗରିବ ଋଣଟିଏ ପାଇବାକୁ ଆଶା କରି ଦେଇଦେଲେ କାଗଜପତ୍ର। କେହି ଜାଣି ନଥିଲେ ସିଲେଇ ଦିଦି ଶେଷରେ ଏମିତି କରିବେ। ଗାୟତ୍ରୀ ପ୍ରଥମେ ସାରସମାଲ ଯାଇ ମୀନା ସାହୁଙ୍କ ସହ ଚିହ୍ନା ପରିଚୟ ହୋଇଥିଲେ। ମୀନାଙ୍କୁ ମିଠାମିଠା କଥା କହି ତାଙ୍କଠାରୁ ଆରମ୍ଭ କରିଥିଲେ ଡକ୍ୟୁମେଣ୍ଟ ସଂଗ୍ରହ ଅଭିଯାନ। ଗୋଟିଏ ପରେ ଗୋଟିଏ ଡକ୍ୟୁମେଣ୍ଟ ପାଇ ଆରମ୍ଭ କରିଥିଲେ ଭୂତ କମ୍ପାନିର କଳା କାରବାର। ଗାୟତ୍ରୀଙ୍କ ଏକ ଏନଜିଓ ରହିଥିଲା। ଉକ୍ତ ଏନଜିଓ ସହ ବି ବହୁ ଲୋକ ସଂପୃକ୍ତ ରହିଥିଲେ। ଏନଜିଓ କାମ କରୁକରୁ ଗାୟତ୍ରୀ ଭୂତ କମ୍ପାନିର ମାୟାଜାଲ କରିବା ସହ ଠକେଇ ଅଭିଯୋଗରେ ୪୨୦ ଦଫାରେ ଜେଲ୍ ଯାଇଛନ୍ତି। ସାଙ୍ଗରେ ପୁଅକୁ ବି ନେଇଛନ୍ତି।

ସମ୍ବନ୍ଧିତ ଖବର