ବଲାଙ୍ଗୀର: ବଲାଙ୍ଗୀର ସ୍ଥାନୀୟ ଯାଦବ ଭବନରେ ଦେବାଳୟ ସୁରକ୍ଷା କମିଟି ପକ୍ଷରୁ ବୁଧବାର ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସାରା ଦେବାଳୟଗୁଡ଼ିକର ଉନ୍ନତୀକରଣ କରାଯାଉଥିବା ବେଳେ ବଲାଙ୍ଗୀରର ଦେବାଳୟଗୁଡ଼ିକୁ ପାତରଅନ୍ତର କରାଯାଉଛି ବୋଲି ସାମ୍ବାଦିକ ସମ୍ମିଳନୀରେ ଦେବାଳୟ ସୁରକ୍ଷା କମିଟି ଆବାହକ ପ୍ରଶାନ୍ତ ମହାକୁର, ସୂଚନାକର୍ମୀ ଶମ୍ଭୁ ପ୍ରସାଦ ଶତପଥୀ, ବରିଷ୍ଠ ନାଗରିକ କମିଟି ସଭାପତି ପ୍ରଭାକର ମିଶ୍ର, ସମଲେଇ ମନ୍ଦିର ଆଳତି କମିଟି ସଭାପତି ବିକାଶ ସା ସୂଚନା ଦେଇଛନ୍ତି। ସେମାନେ ଆହୁରି କହିଇିଲେ ଯେ, ଐତିହ୍ୟସମ୍ପନ୍ନ ବଲାଙ୍ଗୀର ସହର ପ୍ରଶାସନିକ ଅବହେଳା ପାଇଁ ବର୍ଷ ବର୍ଷ ଧରି ଅବହେଳାର ଶିକାର ହେଉଛି। ଯାହାର ନଗ୍ନ ଉଦାହରଣ ବଲାଙ୍ଗୀର ଦେବୋତ୍ତର ବିଭାଗ ଅଧୀନରେ ଥିବା ପ୍ରମୁଖ ଦେବାଳୟ। ଏହି ଦେବାଳୟଗୁଡ଼ିକର ଅବସ୍ଥା ଆଦୌ ଠିକ୍ ନାହିଁ। ଉପ ଜିଲ୍ଲାପାଳ ତଥା ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟରୁ ଗୋପାଲଜୀ ମନ୍ଦିରର ଉନ୍ନତି ପାଇଁ ୪ଟି ପ୍ରସ୍ତାବ କରାଯାଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଏହାର ଅଟକଳ ୧୭ ଲକ୍ଷ ୮୦ ହଜାର ୨୭୪ ଟଙ୍କା ଥିଲା। ଏଥିରେ ମନ୍ଦିର ପୂଜାରୀଙ୍କ ଆବାସିକ ଘର ନିର୍ମାଣ ପାଇଁ ୪ ଲକ୍ଷ ୮୨ ହଜାର ୮୨ ଟଙ୍କା, ମନ୍ଦିରର ଭିତର ବାହାରର ବିଭିନ୍ନ କାର୍ଯ୍ୟ ପାଇଁ ୨ ଲକ୍ଷ ୯୯ ହଜାର ୬୩୨ ଟଙ୍କା, ୪ ଲକ୍ଷ ୯୮ ହଜାର ୯୩୬ ଟଙ୍କା ଓ ୪ ଲକ୍ଷ ୯୯ ହଜାର ୫୯୭ ଟଙ୍କା ବିଭିନ୍ନ କାର୍ଯ୍ୟ ପାଇଁ ଅଟକଳ କରାଯାଇଥିଲା। ଏହା ହେଉଛି ୨୦୨୨ ମସିହା ଜୁଲାଇ ୧୫ ତାରିଖରେ ଦିଆଯାଇଥିବା ପ୍ରସ୍ତାବ। ମା ପାଟଣେଶ୍ୱରୀ ମନ୍ଦିରର ମରାମତି କାମ ପାଇଁ ୩ଟି ପ୍ରସ୍ତାବ ଯାଇଥିଲା। ଏଥିରେ ସିସି ଫ୍ଲୋରିଂ, ପେଣ୍ଟିଂ ଓ ଏସ୍ଏସ୍ ରେଲିଂ ପାଇଁ ୪ ଲକ୍ଷ ୮୯ ହଜାର ୩୮୪ ଟଙ୍କା, ଷ୍ଟିଲ୍ କଲର ସିଟ୍ ରୁଫିଙ୍ଗ ପାଇଁ ୮୬ ହଜାର ୧୦୨ ଟଙ୍କା ଓ ମନ୍ଦିରର ଝରକା, କବାଟ ଓ ପାର୍କିଂ ଅଂଚଳରେ ପେଭର ବ୍ଲକ୍ ପାଇଁ ୪ ଲକ୍ଷ ୮୬ ହଜାର ୩୧୨ ଟଙ୍କା ଅଟକଳ ଗତ ୨୦୨୨ ମସିହା ଜୁନ ୧୬ ତାରିଖରେ ଉପ ଜିଲ୍ଲାପାଳ ଦେବୋତ୍ତର କମିସନରଙ୍କୁ ପ୍ରସ୍ତାବର ମଞ୍ଜୁରି ପାଇଁ ଦେଇଥିଲେ। କିନ୍ତୁ ସବୁକିଛି ଫାଇଲରେ ପଡ଼ିରହିଛି। ସେହିପରି ମା ସମଲେଶ୍ୱରୀଙ୍କ ମନ୍ଦିରରେ ୧୦ ଲକ୍ଷ ଟଙ୍କାର ପ୍ରସ୍ତାବ ମଞ୍ଜୁର ହେଲା ବୋଲି ଚିଠି କରି କହାଗଲା।
କିନ୍ତୁ ସେହି ଟଙ୍କାରେ ଆଖିଦୃଶିଆ କାମ ହେଲାନାହିଁ। ତେବେ ବଲାଙ୍ଗୀର ଦେବୋତ୍ତର ବିଭାଗ ପକ୍ଷରୁ ଯେଉଁ ପ୍ରସ୍ତାବଗୁଡ଼ିକ ମଞ୍ଜୁରି ପାଇଁ ପଠାଯାଉଛି ତାକୁ କାହିଁକି ଗୁରୁତ୍ୱ ଦିଆଯାଉ ନାହିଁ? ଦେବୋତ୍ତର ବିଭାଗ ଦେବୋତ୍ତର ସମ୍ପତ୍ତିରୁ ଲକ୍ଷାଧିକ ଟଙ୍କା ରାଜସ୍ୱ ପାଉଛି। ସେହି ଟଙ୍କା ଯାଉଛି କୁଆଡ଼େ? ସେସବୁ କେଉଁଠି ଖର୍ଚ୍ଚ କରାଯାଉଛି? ଏହା କେବଳ ଆମ ପ୍ରଶ୍ନ ନୁହେଁ, ବଲାଙ୍ଗୀବାସୀଙ୍କ ପ୍ରଶ୍ନ। ସାରା ରାଜ୍ୟରେ ୫-ଟି ସଚିବ ଦେବାଳୟ, ମନ୍ଦିରରଗୁଡ଼ିକ ପରିଭ୍ରମଣ କରୁଛନ୍ତି। ମୁଖ୍ୟମନ୍ତ୍ରୀ ମନ୍ଦିରଗୁଡ଼ିକର ସୁରକ୍ଷା ଓ ବିକାଶ କରୁଥିବା କଥା କହୁଛନ୍ତି। କିନ୍ତୁ ବଲାଙ୍ଗୀର ସହରର ମନ୍ଦିରଗୁଡ଼ିକୁ କାହିଁକି ହତାଦର କରାଯାଉଛି? ଏଠାକାର ନିର୍ବାଚିତ ଜନ ପ୍ରତିନିଧି ଚିଠି ଲେଖିଦେଇ ଚୁପ୍ ରହୁଥିବା ବେଳେ ବଲାଙ୍ଗୀରରୁ ରାଜଧାନୀ ଗଲେ ଭୁଲିଯାଆନ୍ତି। ବିକାଶର ସ୍ୱପ୍ନ ଦେଖାଉଥିବା ନେତାମାନେ ମଧ୍ୟ ମାଙ୍କ ମନ୍ଦିର ବିକାଶରେ ନିରବ। ବର୍ଷା ପୂର୍ବରୁ ଦେବାଳୟଗୁଡ଼ିକର ସୁରକ୍ଷା କରାଯାଉ। ନଚେତ୍ ଦେବାଳୟ ସୁରକ୍ଷା କମିଟି ଆନ୍ଦୋଳନ ପନ୍ଥା ଆପଣେଇବାକୁ ବାଧ୍ୟ ହେବ। ଏଥିପାଇଁ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିଲେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଦାୟୀ ରହିବେ ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ କହାଯାଇଥିଲା।