ମନରେଗାର ମନ ଭୁଲା ଯୋଜନା:ଗାଈଙ୍କ ପାଇଁ ଗୁହାଳ, ରହୁଛନ୍ତି ଲୋକ
l ପଞ୍ଚାୟତ କହୁଛି ସରିଛି, ବାସ୍ତବରେ ଅଧା: ୩ ଲକ୍ଷରୁ ଅଧିକ ଟଙ୍କାର ବିଲ୍ ଭାଉଚର୍ ନାହିଁ
ବଲାଙ୍ଗୀର: ପୂର୍ଣ୍ଣଚନ୍ଦ୍ର ବିଶି। ଗାଁ ମନୁପାଲି। ଆଗଲପୁର ବ୍ଲକ ଭରସୁଜା ପଞ୍ଚାୟତର ଶ୍ରୀ ବିଶି ମନରେଗା ଯୋଜନା ଅଧୀନରେ ୩୫ ହଜାର ଟଙ୍କାର ଆର୍ଥିକ ସହାୟତା ପାଇଥିଲେ। ସ୍ୱତନ୍ତ୍ର ଗାଈ ଗୁହାଳ ନିର୍ମାଣ ପାଇଁ ୨୦୧୭-୧୮ ବର୍ଷରେ ଅନୁଦାନ ଟଙ୍କା ମିଳିଥିଲା। ଗାଈଙ୍କ ପାଇଁ ଯେତେବେଳେ ଗୁହାଳ ହେଇଛି ତା’ହେଲେ ଆପଣ କ’ଣ ଭାବିବେ? ଗାଈ, ବଳଦ ରହୁଥିବେ ନିଶ୍ଚୟ! ହଁ ଅଜ୍ଞା, ସାମାଜିକ ସମୀକ୍ଷା ଟିମ୍ ଭରସୁଜା ଗସ୍ତରେ ଯାଇଥିବା ବେଳେ ଶ୍ରୀ ବିଶିଙ୍କ ଗୁହାଳ ଦେଖି ତାଜୁବ ହୋଇଥିଲେ। ସେ ଏକୁଟିଆ ନୁହନ୍ତି, ଆଉ ଜଣେ ହେଲେ ଜୀବର୍ଦ୍ଧନ ସୁନା। ଭରସୁଜା ଗାଁର ଶ୍ରୀ ସୁନାଙ୍କୁ ବି ମିଳିଛି ଗାଈ ଗୁହାଳ। ପଞ୍ଚାୟତ କାଗଜପତ୍ରରେ ତ ସବୁ ଗୁହାଳ କାମ ସରିଯାଇଛି। ହେଲେ ଆପଣ ଗୁହାଳ କେମିତି ତିଆରି ହୋଇଛି ତାହା ଦେଖି ଆସିଲେ ବୁଝିଯିବେ ତାହା କାହା ପାଇଁ….।
ଆଗଲପୁର ବ୍ଲକ ଭରସୁଜା ପଞ୍ଚାୟତରେ କିଛି ଦିନ ତଳେ ସାମାଜିକ ସମୀକ୍ଷା ଟିମ୍ ଗାଁ ଲୋକଙ୍କୁ ଡାକି ସମୀକ୍ଷା କରିଥିଲେ। ସରପଞ୍ଚଙ୍କ ସହ ଅନ୍ୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ପଞ୍ଚାୟତର ଦୁଇଟି ଗାଁ, ଗୋଟିଏ ଖୋଦ୍ ସଦର ପଞ୍ଚାୟତ ଭରସୁଜା ଓ ମନୁପାଲିରେ ୨୦୧୭-୧୮ ବର୍ଷରେ ପୂର୍ଣ୍ଣ, ଜୀବର୍ଦ୍ଧନଙ୍କ ଭଳି ଗୋକୁଳ ସୁନା, ନିତେଇ ବରିହା, ବଳରାମ ମାଝୀ, କବିରାଜ ସୁନା, ଶାନ୍ତନୁ ନନ୍ଦ, ଶିବ ସୁନା, ଗଙ୍ଗାଧର ସୁନାଙ୍କୁ ବି ଗାଈ ଗୁହାଳ ପାଇଁ କାର୍ଯ୍ୟାଦେଶ ଦିଆଯାଇଛି। ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଅଧୀନରେ ଏହି ଗାଈ ଗୁହାଳ ତିଆରି ହେଉଥିବା ବେଳେ ପଞ୍ଚାୟତ ହେଉଛି ଗୁହାଳ ନିର୍ମାଣ କାମ ତଦାରଖ କରିବାର ମୁଖ୍ୟ ସଂସ୍ଥା। ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କଠାରୁ ବିଡିଓ ଓ ବିଭାଗର ଅଧିକାରୀମାନେ କାମ ତଦାରଖ କରି ଗୁହାଳ ବାବଦ ଅର୍ଥ ହିତାଧିକାରୀଙ୍କୁ ଦେବେ। ଜାଣି ଖୁସି ହେବେ ଯେ, ପଞ୍ଚାୟତର ତଥ୍ୟ ଅନୁସାରେ ସବୁ ଗାଈ ଗୁହାଳ କାମ ଶେଷ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ହିତାଧିକାରୀଙ୍କୁ ପାଉଣା ଦିଆଯାଇଛି। ୧୦ଟି ଗୁହାଳ ବାବଦରେ ୩ଲକ୍ଷ ୬୭ହଜାର ୫୦୪ଟଙ୍କା ଖର୍ଚ୍ଚ ହୋଇଛି। କିନ୍ତୁ ଏହି ଖର୍ଚ୍ଚ ବାବଦରେ କୌଣସି ବିଲ୍ କି ଭାଉଚର୍ ପଞ୍ଚାୟତରେ ନାହିଁ। ସମୀକ୍ଷା ପାଇଁ ଯାଇଥିବା ଅଧିକାରୀମାନେ କାଗଜପତ୍ରରେ ଥିବା ଭୁଲଭଟକା ଦେଖିବା ପରେ ସରଜମିନ୍ ତଦନ୍ତ ଆରମ୍ଭ କରିଥିଲେ। ଆଉ ଗାଈ ଗୁହାଳ କେମିତି ଲୋକଙ୍କ ରହିବା ଘର ପାଲଟିଛି ତାହା ଦେଖିଥିଲେ। ନିୟମ ଅନୁସାରେ ଗୁହାଳରେ ୬ଟି ଗାଈ ରହିବେ। ସେଠାରେ ଗାଈଙ୍କ ଖାଇବା କୁଣ୍ଡ, ମୁତ୍ର ନାଳା, ଗୁହାଳ ତଳ ପକ୍କା କରାଯିବ। କିନ୍ତୁ ସ୍ୱତନ୍ତ୍ର ଗାଈ ଗୁହାଳ ବୋଲି କିଛି ନାହିଁ। ନିୟମକୁ ଦେଖିଲେ କେବଳ କାନ୍ଥରେ କାର୍ଯ୍ୟର ନାମ ଓ ହିତାଧିକାରୀ, ବ୍ୟୟ ଅଟକଳ ଉଲ୍ଲେଖ ରହିଛି। ବାହାରକୁ ଯାହା ଦେଖାଯାଉଛି ଭିତରେ ତାହା ନାହିଁ।
ଗାଈ ଗୋଟିଏ ବି ନାହାନ୍ତି ଗୁହାଳରେ। ଗାଈ ବଳଦ ବଦଳରେ ରହୁଛନ୍ତି ଲୋକ। ଏପରିକି ଗୁହାଳ କାମ ଶେଷ ହୋଇନି। କିନ୍ତୁ କାମ ବାବଦ ଅର୍ଥ କେମିତି ପାଇଲେ ଲୋକେ? ତାହା ହିଁ ପ୍ରଶ୍ନ ଉଠାଉଛି।
ଗୁହାଳ ଲୋକଙ୍କ ବାସଘର ପାଲଟିଛି। ପଞ୍ଚାୟତ କହୁଛି କାମ ସରିଛି। ହେଲେ ବାସ୍ତବରେ ଦେଖିଲେ କାମ ଅଧା ଅଧୁରା। କୌଣସି କାଗଜପତ୍ରରେ କାମର ଖର୍ଚ୍ଚ ଅଟକଳ ନେଇ ତଥ୍ୟ ନାହିଁ। ସାମାଜିକ ସମୀକ୍ଷା ବେଳେ ଏଭଳି ସ୍ପର୍ଶକାତର ପ୍ରସଙ୍ଗ ପଦାକୁ ଆସିଛି। ଏହା ନୂଆ ନୁହେଁ, ପୂର୍ବରୁ ଖପ୍ରାଖୋଲ ବ୍ଲକରେ ବି ଅନୁରୂପ ଘଟଣା ଘଟିଛି। ଅନ୍ୟ ବ୍ଲକରେ ବି ଏଭଳି ହୋଇଥିବା ଅଭିଯୋଗ ହେଉଛି। ତଦନ୍ତ ହେଲେ କେତେ ଟଙ୍କା ଗୁହାଳ ନାଁରେ ବରବାଦ ହୋଇଛି ତାର ହିସାବ ବାହାରି ପାରନ୍ତା।