ହୃଦରୋଗରେ ପୀଡ଼ିତ ଅଢ଼େଇ ବର୍ଷର ଅଂଶୁମାନ

ବଲାଙ୍ଗୀର: କଅଁଳ ପାଦ, ନିରୀହ ଆଖି। ମାଟି ଖେଳ ଖେଳିବା ବୟସରେ ତା’ ଆଖି ଛଳଛଳ। କାରଣ ଟିକିଏ ଖେଳିଦେଲେ ସାଙ୍ଗ ସାଥୀ ମେଳିରେ ସେ ହେଇଯାଏ ଧଇଁସଇଁ। ତା’ପରେ ହୃଦୟ ଯନ୍ତ୍ରଣା। ଛଟପଟ ହୁଏ କଷ୍ଟରେ। ଡାକ୍ତର କହିଲେଣି ଅସ୍ତ୍ରୋପଚାର ଜରୁରୀ। କିନ୍ତୁ ବାପା-ମାଙ୍କ ପାଖରେ ସେତିକି ସମ୍ବଳ ନାହିଁ ଯେ ପୁଅର ଅସ୍ତ୍ରୋପଚାର ପାଇଁ ଟଙ୍କା ଦେଇପାରିବେ। ଭାଗ୍ୟକୁ ଆଦରି ସେମାନେ ସହାୟତା ଅପେକ୍ଷାରେ। ଆପଣମାନଙ୍କ ସହଯୋଗୀ ଟିକି ଅଂଶୁମାନ ପାଇଁ ଆଶାର ଆଲୋକଟିଏ ଭରିଦେଇ ପାରେ। ବଲାଙ୍ଗୀର ସତ୍ୟ ନାରାୟଣ ପଡ଼ାର ରମଣି ରଂଜନ ସାହୁ ଓ ରେଣୁକା ସାହୁ। ତାଙ୍କର ଅଢେଇ ବର୍ଷର ପୁଅ ଅଂଶୁମାନ। ଅଂଶୁମାନକୁ ଯେତେବେଳେ ୬ ମାସ, ସେତେବେଳେ ଥଣ୍ଡା, ଜ୍ୱର ହୋଇଥିଲା। ବଲାଙ୍ଗୀର ମୁଖ୍ୟ ଡାକ୍ତରଖାନାରେ ଡାକ୍ତରଙ୍କୁ ଦେଖାଇବା ପରେ ହୃଦରୋଗରେ ସେ ପୀଡ଼ିତ ଥିବା କହିଥିଲେ ଡାକ୍ତର। ରାୟପୁରର ସତ୍ୟ ସାଇ ହସ୍‌ପିଟାଲକୁ ପୁଅର ଚିକିତ୍ସା ପାଇଁ ନେଇଥିଲେ ରାଇସ୍‌ ମିଲ୍‌ରେ କାମ କରୁଥିବା ରମଣି ରଂଜନ। ସେଠାରେ ଅସ୍ତ୍ରୋପଚାର କରାଯିବ ହେଲେ ଆହୁରି ୨ ବର୍ଷ ଅପେକ୍ଷା କରିବାକୁ ପଡିବ ବୋଲି ପରାମର୍ଶ ଦେଇଥିଲେ ଡାକ୍ତର। ଫଳରେ ନିରାଶ ହୋଇ ଫେରିଥିଲେ ସାହୁ ଦମ୍ପତ୍ତି। କିନ୍ତୁ ପୁଅର କଷ୍ଟ ଅହସ୍ୟ ହୋଇଥିଲା। ଭୁବନେଶ୍ୱର ନେଇ ପୁଣି ଯାଇଥିଲେ ଅଂଶୁମାନକୁ। ଏକ ଘରୋଇ ଡାକ୍ତରଖାନାର ଡାକ୍ତର କହିଥିଲେ ଯେ ମୁମ୍ବାଇରେ ତାର ଅସ୍ତ୍ରୋପଚାର ହୋଇପାରିବ। ଏଥିପାଇଁ ୩ଲକ୍ଷରୁ ଅଧିକ ଟଙ୍କା ଆବଶ୍ୟକ। କିନ୍ତୁ ଏତେ ଟଙ୍କା ଆଣିବେ କେଉଁଠୁ ରମଣି ରଂଜନ? ପୁଅର ଅସ୍ତ୍ରୋପଚାର ଜରୁରୀ ହୋଇ ପଡିଥିବା ବେଳେ ଏବେ ସହାୟତା ଅପେକ୍ଷାରେ ବାପା ରମଣି ରଂଜନ ଓ ମା’ ରେଣୁକା।

ସମ୍ବନ୍ଧିତ ଖବର