ଛୁରି ଭୁସି ହତ୍ୟା ଘଟଣା: ଦୁଇ ଅଭିଯୁକ୍ତ ଗିରଫ

ବଲାଙ୍ଗୀର: ଶୀତଳଷଷ୍ଠୀ ଯାତ୍ରା ଦେଖି ଫେରୁଥିବା ବେଳେ ୨ଜଣଙ୍କୁ ଛୁରି ଭୁସି ହତ୍ୟା ଘଟଣାରେ ଟାଉନ ଥାନା ପୁଲିସ ବିମଳ ରାଉଳ ଓ ପ୍ରୀତମ କଲତାଙ୍କୁ ଗିରଫ କରିଥିବା ଜଣାଯାଇଛି। ଟାଉନ ଥାନାରୁ ୧୦୦ ମିଟର ଦୂରରେଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟାଇ ଅପରାଧୀମାନେ ଫେରାର ମାରିଥିଲେ। ପୁଲିସ ଏ ନେଇ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି। ମାମଲାରେ ସଂପୃକ୍ତି ସନ୍ଦେହରେ ପୁଲିସ ୩ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଥିଲା। ୩ ଅଟକଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ନୟାଗଡ଼ ଜିଲ୍ଲା କଣ୍ଟିଲୋ ଅଞ୍ଚଳରୁ ପୁଲିସ ଉଠାଇଥିବା ସୂଚନା ମିଳିଥିଲା।

ପୁଲିସ ଏହି ମାମଲାକୁ ଗୁରୁତ୍ବର ସହ ନେଇ ତଦନ୍ତ ଜାରି ରଖିଥିବା ବେଳେ ହତ୍ୟାର ଶିକାର ଯୁବକ ସରୋଜ ପାଣିଗ୍ରାହୀଙ୍କ ପରିବାର ବର୍ଗ ଓ ପଡ଼ାବାସୀ ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି କରିଥିଲେ। ଗତକାଲି ଗେଟସରୋବର ପଡ଼ାବାସୀ ଥାନାକୁ ଆସି ଥାନାଧିକାରୀଙ୍କୁ ସାକ୍ଷାତ କରିବା ସହ ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି କରିଥିଲେ। ଏହାସହ ସହରର ଛକ ଛକରେ କଫସିରପ, ନିଶା ଟାବଲାଟ ମିଳୁଛି। ପୁଲିସ ସେସବୁ ଦିଗରେ ପଦକ୍ଷେପ ନେଇ ନିଶା କାରବାରରେ ସଂପୃକ୍ତ ଥିବା ବ୍ୟକ୍ତିଙ୍କୁ ମଧ୍ୟ ଧରୁ ବୋଲି ଦାବି କରିଥିଲେ। ଥାନାଧିକାରୀ ବିଶ୍ୱଜିତ ମନବୋଧ ପୁଲିସ ତତନ୍ତକୁ ତ୍ବରାନ୍ବିତ କରିଛି, ଶୀଘ୍ର ଅପରାଧୀଙ୍କୁ ଧରିବ ବୋଲି ସୂଚନା ଦେବା ପରେ ପଡ଼ାବାସୀ ଥାନାରୁ ଫେରିଥିଲେ।

ବଲାଙ୍ଗୀର ଏସ୍‌ପି ଋଷିକେଶ ଖିଲାରୀ କହିଛନ୍ତି ଶୀତଲଷଷ୍ଠୀ ଦେଖି ଫେରୁଥିବା ବେଳେ ଯୁବକଙ୍କୁ ଛୁରା ମାରି ହତ୍ୟା ଘଟଣାରେ ପୁଲିସକୁ ସଫଳତା ମିଳିଛି। ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ବିମଳ ରାଉଳ ଓ ପ୍ରୀତମ କଲତା। ଅଭିଯୁକ୍ମାନଙ୍କୁ ନେଇ ଘଟଣାସ୍ଥଳରେ ସିନରିକ୍ରିଏସନ କରିଛି ଟାଉନ ଥାନା ପୁଲିସ। ତେବେ କିଭଳି ଭାବରେ ଘଟଣା ଦିନ ହତ୍ୟା କରିଥିଲେ ତାହାକୁ ନେଇ ସିନରିକ୍ରିଏସନ ସମୟରେ ସମସ୍ତ କଥା ବଖାଣିଛନ୍ତି ଉଭୟ ଅଭିଯୁକ୍ତ। ଗତ ୨୩ ତାରିଖ ରାତିରେ ବଡ଼ପଡାର ସରୋଜ ପାଣିଗ୍ରାହୀ ଓ ତାଙ୍କ ସାଙ୍ଗ ମାନେ ମେଲୋଡି ଦେଖି ଫେରୁଥିବା ବେଳେ ନୃସିଂହ ମନ୍ଦିର ନିକଟରେ ଚା’ ପିଇଥିଲେ ଓ ସେହି ସମୟରେ ସେଠାରେ ଉପସ୍ଥିତ ଥିଲେ ପ୍ରୀତମ ଓ ବିମଳ। ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହେବା ସହ ମାରପିଟ ହୋଇଥିଲା ଓ ସରୋଜଙ୍କୁ ଛୁରାମାରି ଥିଲେ ପ୍ରୀତମ ଓ ବିମଳ। ଏଥିରେ ସରୋଜଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ହୋଇଥିଲେ ପ୍ରେମ ସାହୁ।

ସମ୍ବନ୍ଧିତ ଖବର