ବେଆଇନ ଭାବେ ରାଜ୍ୟ ବାହାରକୁ ଚାଲାଣ ହେଉଥିବା ୨୫ ଦାଦନ ଶ୍ରମିକକୁ ଉଦ୍ଧାର କଲା ବଙ୍ଗୋମୁଣ୍ଡା ପୁଲିସ

କଂଟାବାଞ୍ଜି: ବଙ୍ଗୋମୁଣ୍ଡା ପୁଲିସ ଦ୍ୱାରା ୨୫ ଜଣ ଦାଦନ ଶ୍ରମିକ ଉଦ୍ଧାର କରାଯାଇଛି । ଉଦ୍ଧାର ଦାଦନ ଶ୍ରମିକ ମାନେ ହେଲେ ନୂଆପଡା ଏବଂ କଳାହାଣ୍ଡି ଜିଲ୍ଲାର । ବେଆଇନ ଭାବେ ତାଙ୍କୁ ରାଜ୍ୟ ବାହାରକୁ ଚାଲାଣ କରୁଥିବା ବେଳେ ବଙ୍ଗୋମୁଣ୍ଡା ପୁଲିସ ବଙ୍ଗୋମୁଣ୍ଡା ଗୋଲେଇ ଛକ ନିକଟରୁ ଉଦ୍ଧାର କରିଛି । ୩ଟି ଚାରି ଚକିଆ ଗାଡି ସହ ଦାଦନ ସର୍ଦାରକୁ ପୁଲିସ ଥାନାରେ ଅଟକ ରଖି ଅଧିକ ପଚରା ଉଚରା କରୁଛି ।

ସୂଚନା ଅନୁଆରେ, ଗତ ବିଳମ୍ବିତ ରାତିରେ ଶ୍ରମିକମାନେ ୩ଟି ଚାରିଚକିଆ ଗାଡିରେ କଣ୍ଟାବାଞ୍ଜି ରେଳ ଷ୍ଟେସନ ଯାଉଥିଲେ। କଣ୍ଟାବାଞ୍ଜି ପହଂଚିବା ପରେ ସେମାନେ ଟ୍ରେନ ଯୋଗେ ରାଜ୍ୟ ବାହାରକୁ ଯାଇଥାନ୍ତେ। ତେବେ ପୁଲିସ କୌଣସି ସୂତ୍ରରୁ ଖବର ପାଇ ଗୋଲେଇ ଛକରେ ଗାଡି ଅଟକାଇ ଯାଞ୍ଚ କରିଥିଲା। ଗାଡ଼ିରେ ଦାଦନ ଶ୍ରମିକ ଥିବା ବେଳେ ସେମାନେ ବେଆଇନ ଭାବେ ରାଜ୍ୟ ବାହାରକୁ ଚାଲାଣ ହେବାର ଥିଲା ବୋଲି ପୁଲିସ ଜାଣିପାରି ସମସ୍ତଙ୍କୁ ଥାନାକୁ ନେଇ ଯାଇଥିଲା । ସେମାନଙ୍କ ମଧ୍ୟରେ ୮ ଜଣ ପୁରୁଷ ୧୧ ଜଣ ମହିଳା ଓ ୬ଟି ଶିଶୁ ଅଛନ୍ତି । କାଗଜପତ୍ର ଯାଞ୍ଚ ପରେ ଶ୍ରମିକମାନଙ୍କୁ ସେମାନଙ୍କ ଘରେ ଛାଡି ଦିଆଯିବ ବୋଲି ଜଣାପଡ଼ିଛି ।

ସମ୍ବନ୍ଧିତ ଖବର