ବଲାଙ୍ଗୀର ରେଳ ଷ୍ଟେସନରୁ ୩୧ ଜଣ ଦାଦନ ଶ୍ରମିକ ଉଦ୍ଧାର

ବଲାଙ୍ଗୀର: ବଲାଙ୍ଗୀର ରେଳ ଷ୍ଟେସନରୁ ୩୧ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରେ ୬ ଜଣ ଶିଶୁ ଥିବାର ସୂଚନା ମିଳିଛି। ଏମାନଙ୍କୁ ଦଲାଲ ବିଶାଖାପାଟଣା ଚାଲାଣ କରୁଥିବା ବେଳେ ଆର.ପି.ଏଫ ଉଦ୍ଧାର କରିଛି। ତେବେ ଦଲାଲ ଫେରାର ହୋଇଯାଇଛି। ଏମାନଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି ଆର.ପି.ଏଫ।


ସୂଚନା ଅନୁଯାୟୀ, ଆଜି ସକାଳୁ ସକାଳୁ ଦାଦନ ଶ୍ରମିକମାନେ ଟ୍ରେନରେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାକୁ ଯିବା ପାଇଁ ବାହାରିଥିଲେ। ଖବର ପାଇ ରେଲୱେ ଷ୍ଟେସନ ଭିତରେ ଶ୍ରମିକମାନଙ୍କୁ ଅଟକ ରଖିଛି ଆର.ପି.ଏଫ । ଅଟକ ଶ୍ରମିକମାନଙ୍କ ଭିତରେ ୧୨ ପୁରୁଷ, ୧୩ ଜଣ ମହିଳା ଏବଂ ୬ ଜଣ ଛୋଟ ଛୋଟ ଛୁଆ ଥିବା ଜଣାପଡିଛି। ସମସ୍ତ ଶ୍ରମିକ ବରଗଡ଼ ଜିଲ୍ଲା ବିଜେପୁର ନିର୍ବାଚନ ମଣ୍ଡଳୀ ଗାଇସିଲେଟ ବ୍ଲକ ଅଂଚଳର । ବିଜେପୁର ନିର୍ବାଚନ ମଣ୍ଡଳୀର ଦାୟିତ୍ୱ ଖୋଦ ମୁଖ୍ୟମନ୍ତ୍ରୀ ନେଇଥିବା କହିଥିଲେ। ଏହି ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହୋଇ ବିଜୟୀ ମଧ୍ୟ ହୋଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କିନ୍ତୁ ବିଜେପୁରରେ ମିଳୁନି ସରକାରୀ କାମ । ନେତାମାନେ ଶ୍ରମିକଙ୍କ ଟଙ୍କା ହଡ଼ପ କରୁଥିବା ଅଭିଯୋଗ ହୋଇଛି। ଯାହା ଫଳରେ ବାଧ୍ୟ ହୋଇ ଶ୍ରମିକମାନେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଥିବା ଜଣାପଡ଼ିଛି । ଆର.ପି.ଏଫ ଶ୍ରମିକମାନଙ୍କୁ ପଚରାଉଚରା କରିବା ସହିତ ଏ ସଂପର୍କରେ ଶ୍ରମ ବିଭାଗକୁ ଖବର ଦେଇଛି।

ସମ୍ବନ୍ଧିତ ଖବର