ବଲାଙ୍ଗୀର: କନେଷ୍ଟବଳ ଶଙ୍କର ବେହେରାଙ୍କ ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି ବଲାଙ୍ଗୀର ପୁଲିସ୍। ରାଜ୍ୟ ଓ ରାଜ୍ୟ ବାହାରୁ ଛଅ ଜଣଙ୍କୁ ଗିରଫ କରିଛି ପୁଲିସ। ମୂଲ୍ୟବାନ ରତ୍ନ ପଥର କାରବାର ପାଇଁ ହୋଇଥିଲା ହତ୍ୟାକାଣ୍ଡ। ଏନେଇ ସୂଚନା ଦେଇଛନ୍ତି ବଲାଙ୍ଗୀର ଏସ ପି ଋଷିକେଶ କିଲାରୀ।
ସୂଚନାଯୋଗ୍ୟ, ଗତ ମେ ମାସ ୧୭ ତାରିଖରେ ବଲାଙ୍ଗୀର ରେଳ ଷ୍ଟେସନ ପାଖ ଏକ ହୋଟେଲ ରୁମ୍ ରୁ ଜଣେ ବ୍ୟକ୍ତିଙ୍କ ହାତଗୋଡ଼ ବନ୍ଧା ମୃତଦେହ ପୁଲିସ୍ ଉଦ୍ଧାର କରିଥିଲା। ତଦନ୍ତ ପରେ ତାହା ସୋନପୁର ଜିଲ୍ଲାର ଶଙ୍କର ବେହେରା ବୋଲି ପରିଚୟ ମିଳିଥିଲା। ସେ ସୋନପୁର ଟାଉନ ଥାନାରେ କନେଷ୍ଟବଳ ଭାବରେ କାର୍ଯ୍ୟରତ ଥିଲେ। ତେବେ କିଏ ଓ କାହିଁକି ତାଙ୍କୁ ହତ୍ୟା କଲା ତାହା ନେଇ ଅନେକ ପ୍ରଶ୍ନ ଉଠିଥିଲା। ସେପଟେ ଏଥିରେ ବଲାଙ୍ଗୀର ଏସପିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ତିନୋଟି ସ୍ବତନ୍ତ୍ର ପୁଲିସ୍ ଟିମ ଏହାର ତଦନ୍ତ ଆରମ୍ଭ କରିଥିଲେ। ଅନ୍ୟପଟେ ସଂପୃକ୍ତ ହୋଟେଲରେ ଜଣେ ଜାଲ ପ୍ରମାଣ ପତ୍ର ଦେଇ ହୋଟେଲ ରୁମ୍ ବୁକ୍ କରିଥିଲା,ସନ୍ଦିଗ୍ଧ ହତ୍ୟାକାରୀ ମାନେ ବିଭିନ୍ନ ପର୍ଯ୍ୟାୟରେ ମିଛ ପରିଚୟ ଦେଇ ଗାଡ଼ି ଭଡ଼ା ମଧ୍ୟ ନେଇଥିଲେ। ତେବେ ପୁଲିସ୍ ପାଇଁ ଏହାର ତଦନ୍ତ ଖୁବ କଠିନ ଥିବା ବେଳେ ପୁଲିସ୍ ସି ସି ଟିଭି ଫୁଟେଜ, ରେଳ ଷ୍ଟେସନ ତଥ୍ୟ ଓ ସାଇବର ଟିମ୍ ର ସହାୟତାରେ ଏହି ହତ୍ୟା କାଣ୍ଡ ର ପର୍ଦ୍ଦାଫାସ କରିବାରେ ସଫଳ ହୋଇଛି। ଏଥିରେ ଝାରଖଣ୍ଡ ରାଜ୍ୟର ଦୁଇ ମୁଖ୍ୟ ଅଭିଯୁକ୍ତ ସହ ବଲାଙ୍ଗୀର, ବୌଦ୍ଧ ଓ ସୋନପୁର ଜିଲ୍ଲାରୁ ଚାରିଜଣଙ୍କୁ ଗିରଫ କରିଛି। ସେହିପରି ଏମାନଙ୍କଠାରୁ ଏକ ମାଉଜର, ଏକାଧିକ ମୋବାଇଲ, ଦୁଇଟି ଦାମୀ ଗାଡ଼ି ଓ ତିନୋଟି ମୋଟର ସାଇକଲ ପୁଲିସ୍ ଜବତ କରିଛି । ସେହିପରି ପଚାଶ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଏକ ରତ୍ନ ପଥର ମଧ୍ୟ ପୁଲିସ୍ ଜବତ କରିଛି। ମୃତ ପୁଲିସ୍ କନେଷ୍ଟବଳ ଶଙ୍କର ବେହେରା ବେଆଇନ୍ ବହୁମୂଲ୍ୟ ରତ୍ନ ପଥର କାରବାରରେ ଜଡ଼ିତ ଥିଲା ଏବଂ ସେ ରତ୍ନ ପଥର ବିକ୍ରି କରିବା ପାଇଁ ଡିଲ ଚାଲିଥିବା ବେଳେ ଏହି ଅଭିଯୁକ୍ତମାନେ ରତ୍ନ ପଥର କିଣିବାକୁ ଆସି ତାକୁ ହତ୍ୟା କରି ସେହି ରତ୍ନ ପଥର ଲୁଟ କରିଥିବାର ପୁଲିସ୍ ସୂଚନା ଦେଇଛି।
ତେବେ ବଲାଙ୍ଗୀର ଏସ ପି ଋଷିକେଶ କିଲାରୀ କହିଛନ୍ତି ଯେ ମେ ୧୬ ତାରିଖରେ ଏହାର ଅଭିଯୋଗ ଆସିବା ପରେ ପୁଲିସ୍ ତଦନ୍ତ ଆରମ୍ଭ କରିଥିଲା ଏବଂ ଏଥିରେ ଚାରୋଟି ରାଜ୍ୟର ଅଭିଯୁକ୍ତ ସାମିଲ ଥିବାର ପୁଲିସ୍ ଜାଣିବାକୁ ପାଇଥିଲା। ପୁଲିସ୍ ର ତିନୋଟି ଟିମ ପଞ୍ଜାବ ଜଳନ୍ଧର, ବିହାରର ଗୟା, ଝାଡ଼ଖଣ୍ଡ ଓ କଲିକତା ଯାଇ ତଦନ୍ତ ଆରମ୍ଭ କରିଥିଲେ। ସେହିପରି ଏଥିରେ ମୁଖ୍ୟ ଅଭିଯୁକ୍ତ ଝାରଖଣ୍ଡ ରାଜ୍ୟ କୋଦେର୍ମା ଜିଲ୍ଲାର ପଙ୍କଜ କୁମାର ଓ ସୁରଜ୍ କୁମାର ବନର୍ୱାଲ ସହିତ ବଲାଙ୍ଗୀର ପାଟଣାଗଡ଼ ବରପଦର୍ ର ରୋହିତ ସା, ଅନୁଗୁଳ ଜିଲ୍ଲା ସର୍ଗିସେନି ଗ୍ରାମର କୃଷ୍ଣ ମେହେର, ବୌଦ୍ଧ ଜିଲ୍ଲା ଇଛାପଦ୍ଦା ଗ୍ରାମର ମନୋରଞ୍ଜନ ସଠୁଆ ଓ ସୋନପୁର ଜିଲ୍ଲା ନନ୍ଦମାଲ ଗ୍ରାମର ନିତେଇ କରକୁ ପୁଲିସ୍ ଗିରଫ କରିଥିଲା। ଏଥିରେ ଆଉ ଦୁଇ ଜଣ ବାହାର ରାଜ୍ୟର ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ବେଳେ ସେମାନଙ୍କୁ ମଧ୍ୟ ପୁଲିସ୍ ଧରିବାର ତନାଘନା ଜାରି ରଖିଥିବାର ସେ କହିଛନ୍ତି। ଅଭିଯୁକ୍ତଙ୍କ ଠାରୁ ଗୋଟିଏ ଇନୋଭା ଗାଡ଼ି, ଗୋଟିଏ ମାରୁତି ଆର୍ଟିକା ଗାଡ଼ି ସହ ତିନୋଟି ମୋଟର ସାଇକଲ ଜବତ କରିଥିବାର ସେ କହିଛନ୍ତି। ତା ସହ ଏମାନଙ୍କ ଠାରୁ ଏକ ମୂଲ୍ୟବାନ ରତ୍ନ ପଥର ଯାହାର ମୂଲ୍ୟ ପଚାଶ ଲକ୍ଷରୁ ଅଧିକ ହେବ ତାହା ମଧ୍ୟ ଜବତ କରିଥିବାର ସେ କହିଛନ୍ତି। ଏମାନଙ୍କ ଠାରୁ ଏକ ଦେଶୀ ମାଉଜାର, ମୋବାଇଲ ଫୋନ ଇତ୍ୟାଦି ମଧ୍ୟ ଜବତ କରା ଯାଇଥିବାର ସେ କହିଛନ୍ତି।
ଗତ ୧୬ ତାରିଖରେ ଝାଡ଼ଖଣ୍ଡର ପଙ୍କଜ କୁମାର ଜାଲ ଓ ଅନ୍ୟ ସାତ ଜଣ ଜାଲ ଆଧାର କାର୍ଡ ଓ ପରିଚୟ ପତ୍ର ଦରେନ ସିଂହ ନାଆଁରେ ଏଠିକାର ହୋଟେଲ ରୁମ୍ ବୁକ କରିଥିଲେ ଏବଂ ପୁଲିସ୍ କନେଷ୍ଟବଳ ଶଙ୍କର ବେହେରାଙ୍କୁ ସେ ରଖିଥିବା ରତ୍ନପଥର ଆଣି ଏଠି ଆସିବାକୁ କହିଥିଲେ। ଉଦ୍ଦେଶ୍ୟ ଥିଲା ତାକୁ ଏଠି ହତ୍ୟା କରି ରତ୍ନ ପଥର ଲୁଟ କରିବାର। ସେମାନେ ଏଥିରେ ସଫଳ ହୋଇଥଲେ। ପୁଲିସ୍ କନଷ୍ଟେବଳ ଏହି ରୁମ୍ କୁ ଆସିବା ପରେ ତାକୁ ଏମାନେ ହାତ ଗୋଡ଼ ଓ ମୁହଁ ରେ କପଡା ଇତ୍ୟାଦି ବାନ୍ଧି ହତ୍ୟା କରିଥିଲେ। ଏବଂ ହତ୍ୟା କରିବା ପରେ ସେମାନେ ଏଠୁ ଫେରାର ମାରିଥିଲେ ବୋଲି ଏସ ପି ଋଷିକେଶ କିଲାରୀ କହିଛନ୍ତି। ବଲାଙ୍ଗୀର ଟାଉନ ଥାନା କେସ ନମ୍ୱର୍ ୩୮୮ରେ ମାମଲା ରୁଜୁ କରି ହତ୍ୟା ଦଫା ୩୦୨ରେ ଆଜି ହତ୍ୟାକାରୀଙ୍କୁ କୋର୍ଟ ଚାଲାଣ କରାଯାଇଛି।ଏହି ସଫଳ ତଦନ୍ତରେ ବଲାଙ୍ଗୀର ଏସ ଡି ପି ଓ ପ୍ରଦୀପ କୁମାର ସାହୁ, ବଲାଙ୍ଗୀର ଟାଉନ ଥାନା ଅଧିକାରୀ ବିଶ୍ୱଜିତ୍ ମନବୋଧ, ଇନ୍ସପେକ୍ଟର ଅନିତା ପ୍ରଧାନ ଓ ଟିମକୁ ଧନ୍ୟବାଦ ଜଣାଇଥିଲେ ଏସପି।