ସତ୍ତା ନୁହେଁ ବ୍ୟବସ୍ଥା ବଦଳାଇବାକୁ ଲଢ଼େଇ

ବଲାଙ୍ଗୀରରେ ଗର୍ଜିଲେ ଆପ୍‌ ନେତା

ବଲାଙ୍ଗୀର : ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ଆମ୍‌ ଆଦମୀ ସବୁବେଳେ ଲଢ଼େଇ କରିଆସିଛି। ଆଗାମୀ ଦିନରେ ଲଢ଼େଇ ସତ୍ତା ବିରୋଧରେ ନୁହେଁ, ବ୍ୟବସ୍ଥା ବିରୋଧରେ ଲଢ଼େଇକୁ ଜୋର କରାଯିବ। ବଲାଙ୍ଗୀର ଟାଉନ୍‌ ହଲ୍‌ଠାରେ ରବିବାର ଆପ୍‌ ପକ୍ଷରୁ ଜିଲ୍ଲାକୁ ମରୁଡ଼ି ଘୋଷଣା ଦାବିରେ ଅନୁଷ୍ଠିତ ସମାବେଶରେ ଦିଲ୍ଲୀ ଚାନ୍ଦନୀଚୌକର ବିଧାୟିକା ଅଳକା ଲାମ୍ବା ଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି।

ବଲାଙ୍ଗୀର ଜିଲ୍ଲା ଆର୍ଥିକ, ସାମାଜିକ କ୍ଷେତ୍ରରେ ବହୁ ପଛରେ। ଜିଲ୍ଲାରେ କୃଷି ଓ କୃଷକର ବିକାଶ ପାଇଁ ଜଳସେଚନ ସୁବିଧା ନାହିଁ। ପ୍ରତି ବର୍ଷ ମରୁଡ଼ିର ମୁହଁ ଦେଖୁଛି ଚାଷୀ। ଚଳିତ ବର୍ଷ ସ୍ୱଳ୍ପ ବୃଷ୍ଟି ଓ ଅନିୟମିତ ବୃଷ୍ଟିପାତ ଯୋଗୁଁ ଜିଲ୍ଲାର ସ୍ଥିତି ଉଦ୍‌ବେଗଜନକ ବୋଲି ବିଧାୟିକା ଶ୍ରୀମତୀ ଲାମ୍ବା କହିଥିଲେ। ଏପରିକି ଶିଳ୍ପବିହୀନ ଜିଲ୍ଲାରେ ଶିିକ୍ଷିିତ ବେକାରଙ୍କ ପାଇଁ କୌଣସି ନିଯୁକ୍ତି ସୁଯୋଗ ନାହିଁ। କିଛି କ୍ଷମତାଶାଳୀ ଲୋକେ ଜିଲ୍ଲାର ନେତୃତ୍ୱକୁ ଜାବୁଡ଼ି ଧରିଛନ୍ତି। କିନ୍ତୁ ଲୋକେ ମୌଳିକ ସୁବିଧାରୁ ବଞ୍ଚିତ। ଦୁର୍ବଳ ନେତୃତ୍ୱ ଯୋଗୁଁ କୌଣସି ସୁବିଧା ସୁଯୋଗ ମିଳୁ ନାହିଁ। ତେଣୁ ଆମ୍‌ ଆଦମୀ ହିଁ କ୍ଷମତାକୁ ଆସିଲେ ଜିଲ୍ଲାର ଉନ୍ନତି ସମ୍ଭବ ବୋଲି ଶ୍ରୀମତୀ ଲାମ୍ବା କହିଥିଲେ।

ସମାବେଶରେ ବିଧାୟିକା ଶ୍ରୀମତୀ ଲାମ୍ବାଙ୍କ ସହ ଅନ୍ୟତମ ଅତିଥି ଭାବେ ଦିଲ୍ଲୀ ମେହରୁଲି ବିିଧାୟକ ନରେଶ ଯାଦବ ଯୋଗଦେଇ ଦିଲ୍ଲୀର ଆପ୍‌ ସରକାରର କଲ୍ୟାଣକାରୀ ଯୋଜନା ଓ ଶିକ୍ଷା ସ୍ୱାସ୍ଥ୍ୟ ଦିଗରେ ସଂସ୍କାର ସଂପର୍କରେ ନିଆଯାଇଥିବା ପଦକ୍ଷେପ ସଂପର୍କରେ କହିଥିଲେ। ଉଭୟ ରାଜ୍ୟ ଓ କେନ୍ଦ୍ରରେ ଦୁର୍ନୀତି ଓ ଅପାରଗ ସରକାର ଚାଲିଥିବାରୁ ଆପ୍‌ ହିଁ ବିକଳ୍ପ ବୋଲି ବିଧାୟକ ଶ୍ରୀ ଯାଦବ କହିଥିଲେ। ସମାବେଶକୁ ଆପ ନେତା ଅଜୟ ଦାସ ସଂଯୋଜନା କରିଥିବା ବେଳେ ଓଡ଼ିଶା ପ୍ରଭାରୀ ପ୍ରେମଚନ୍ଦ ଜାଗିରଦାର, ଓଡ଼ିଶା ସଂଯୋଜକ ନିଶିକାନ୍ତ ମହାପାତ୍ର ଯୋଗଦେଇ ଆମ ଆଦମୀ ପାର୍ଟିର ନୀତି ଆଦର୍ଶ ଉପରେ ଆଲୋଚନା କରିଥିଲେ।

ସମ୍ବନ୍ଧିତ ଖବର