ବହୁଚର୍ଚ୍ଚିତ ତମିଆଁ – ମୁଦଲସର ସେତୁ ଭାଙ୍ଗିବା ପରେ ଏବେ ଧୋଇଗଲା ଆପ୍ରୋଚ୍ ରାସ୍ତା, ଆନ୍ଦୋଳନ ପାଇଁ ଅଣ୍ଟା ଭିଡ଼ୁଛନ୍ତି ଅଞ୍ଚଳବାସୀ

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ତମିଆଁ – ମୁଦଲସର ଗ୍ରାମ ମଧ୍ୟରେ ଥିବା ସୁକତେଲ ନଦୀ ଉପରେ ଗତ ୫ ବର୍ଷ ମଧ୍ୟରେ ନିର୍ମିତ ହୋଇଥିବା ସୁକତେଲ ସେତୁ ଭାଙ୍ଗି ଯାଇଥିଲା। ଏହି ସେତୁର ଏକ ଅଂଶ ମରାମତି କରାଯାଉଥିବା ବେଳେ ଭାଙ୍ଗିଯିବାରୁ ୨ ଜଣ ଅଣ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିବା ଘଟଣା ସମଗ୍ର ରାଜ୍ୟରେ ଚହଳ ସୃଷ୍ଟି କରିଥିଲା।
ତେବେ ନଦୀରେ ଆପ୍ରୋଚ ରାସ୍ତା ତିଆରି କରା ଯାଇଥିଲା, ଯାହା ଏବେ ବର୍ଷାରେ ଧୋଇ ହୋଇଯାଇଛି। ଏହା ଫଳରେ ନଦୀ ଆର ପାର୍ଶ୍ବରେ ଥିବା ଗ୍ରାମବାସୀ ବିଚ୍ଛିନ୍ନାଞ୍ଚଳ ଅବସ୍ଥାରେ ରହିଛନ୍ତି । ଉକ୍ତ ରାସ୍ତା ଧୋଇ ହୋଇଯିବା ଫଳରେ ସେତୁ ଉପରେ ନିର୍ଭର କରୁଥିବା ଲୋକେ ହଇରାଣ ହେଉଛନ୍ତି। ରାସ୍ତା ଧୋଇ ହୋଇଯିବା ଦ୍ବାରା ନଦୀ ଅପର ପାର୍ଶ୍ବରେ ଥିବା ଗ୍ରାମର ଲୋକେ ପାଟଣାଗଡ଼ ସହରକୁ ବିଭିନ୍ନ କାମରେ / ସାମଗ୍ରୀ କିଣିବା ପାଇଁ ବା ବଜାରକୁ ଆସିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

କିଛି ଦିନ ଧରି ପ୍ରବଳ ବର୍ଷା ହେବା ଓ ଆଗକୁ ପୁରା ବର୍ଷା ମାସ ରହିଥିବା ବେଳେ ଉକ୍ତ ସେତୁ ଉପରେ ନିର୍ଭର କରୁଥିବା ତମିଆଁ, ମୁଦଲସର, ଚମ୍ପାସର, ଭରତବାହାଲ, ଫାଟାମୁଣ୍ଡା, ରେଙ୍ଗାଲି, ତାଲଯୁରୀ, କପିଲବାହାଲ, ଫଲସାମାଲ, ରତାଖଣ୍ଡି, ବଡଝୁଲା, ଠେଲକୋଛାପର, ଗୁଞ୍ଚାଡିହି, ପୁଡାପଦର, ପାଣ୍ଡେସରା ଗ୍ରାମକୁ ମିଶାଇ ସମୁଦାୟ ୨୦ ହଜାରରୁ ଉର୍ଦ୍ଧ୍ବ ଲୋକ ବିଶେଷ କରି କ୍ଷତିଗ୍ରସ୍ତ ହୋଇଥିବା ଜଣାଡ଼ିଛି। ପୂର୍ବରୁ ସମ୍ପୃକ୍ତ ଅଞ୍ଚଳବାସୀ ଆନ୍ଦୋଳନ ପାଇଁ ପ୍ରଶାସନ ଓ ବିଭାଗକୁ ଜଣାଇଥିବା ବେଳେ ବର୍ତ୍ତମାନ ଆପ୍ରୋଚ ରାସ୍ତା ଧୋଇ ହେବା ଫଳରେ ଆନ୍ଦୋଳନ ପାଇଁ ସମ୍ପୃକ୍ତ ଅଞ୍ଚଳ ଲୋକେ ଅଣ୍ଟା ଭିଡ଼ୁଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର