ଆରପିଏଫ୍‌ ଥାନାଧିକାରୀଙ୍କୁ ମରଣାନ୍ତକ ଆକ୍ରମଣ

ଟିଟିଲାଗଡ଼ : ଶନିବାର ରାତିରେ ଟିଟିଲାଗଡ଼ ରେଳବାଇ ପ୍ରୋଟେକସନ ଫୋର୍ସ (ଆରପିଏଫ୍‌) ଥାନାଧିକାରୀ ସୁଶୀଲ ପାଠକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ତିନିଜଣ ଦୁର୍ବୃତ୍ତ ତାଙ୍କୁ ଲୁହା ରଡ଼୍‍ରେ ଆକ୍ରମଣ କରିଥିଲେ। ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ପ୍ରଥମେ ଟିଟିଲାଗଡ଼ରେ ପ୍ରାଥମିକ ଚିକିତ୍ସା ପରେ ସମ୍ବଲପୁର ରେଳବାଇ ଡାକ୍ତରଖାନାକୁ ସ୍ଥାନାନ୍ତର କରା ଯାଇଛି। ଏନେଇ ଟିଟିଲାଗଡ଼ ସରକାରୀ ରେଳବାଇ ଥାନାରେ ଏକ ମାମଲା ରୁଜୁ ହୋଇଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ ଥାନାଧିକାରୀ ଶ୍ରୀ ପାଠକ ଶନିବାର ସମ୍ବଲପୁରରେ ମଣ୍ଡଳସ୍ତରୀୟ କ୍ରାଇମ ମିଟିଂ ସାରି ଇସ୍ପାତ ଏକ୍ସପ୍ରେସରେ ରାତି ପ୍ରାୟ ୧୨ଟାରେ ଟିଟିଲାଗଡ଼ରେ ପହଞ୍ଚିଥିଲେ। ଷ୍ଟେସନ ନିକଟ ପୁରୁଣା ମାଲଗୋଦାମ ପାଖ ତାଙ୍କ ଘର ସମ୍ମୁଖରେ ପହଞ୍ଚିଥିବା ବେଳେ ହଠାତ ତିନିଜଣ ଦୁର୍ବୃତ୍ତ ତାଙ୍କୁ ଲୁହା ଛଡ଼, ପାଇପ୍‌ ଆଦିରେ ଆକ୍ରମଣ କରିଥିଲେ। ତାଙ୍କ ମୁଣ୍ଡ ଓ ଶରୀରର ଅନ୍ୟସ୍ଥାନରେ ଗୁରୁତର ଆଘାତ ଲାଗିଥିଲା। ଦୁର୍ବୃତ୍ତମାନେ ମୁହଁରେ ମୁଖା ଓ ଲୁଗା ଗୁଡ଼ାଇଥିବା ଯୋଗୁଁ ଶ୍ରୀ ପାଠକ ସେମାନଙ୍କୁ ଚିହ୍ନି ମଧ୍ୟ ପାରି ନଥିଲେ। ତାଙ୍କ ମୁଣ୍ଡରେ ପ୍ରାୟ ଚାଳିଶଟି ଷ୍ଟିଚ୍‌ ପଡ଼ିଛି। ସକାଳୁ ପୁଣି ଥରେ ରେଳବାଇ ଚିକିତ୍ସା କେନ୍ଦ୍ରରେ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ସମ୍ବଲପୁର ରେଳବାଇ ମଣ୍ଡଳ ଚିକିତ୍ସାଳୟକୁ ସ୍ଥାନାନ୍ତର କରା ଯାଇଛି।

ଘଟଣାର କାରଣ ବିଷୟରେ ଶ୍ରୀ ପାଠକ କହିଛନ୍ତି ଯେ, ପୂର୍ବରୁ ଟ୍ରେନରେ ବେଆଇନ ଭାବେ ବାସି ତଥା ଅସ୍ୱାସ୍ଥ୍ୟକର ଖାଦ୍ୟ ପଦାର୍ଥ ତଥା ଅନ୍ୟାନ୍ୟ ଜିନିଷ ବିକ୍ରି ଚାଲିଥିଲା। ସେ ଏଥିରେ ରୋକ ଲଗାଇ ଥିଲେ। ଏଥିଲାଗି କେହି ରାଗ ରଖି ଏହି କାଣ୍ଡ କରିଥାଇ ପାରେ ବୋଲି ସେ ନିଜ ଅନୁମାନ କରୁଛନ୍ତି।

ସମ୍ବନ୍ଧିତ ଖବର