କାହା ପାଇଁ ଅଲୋଡ଼ା ତ କାହାପାଇଁ ସୁନାମୁଣ୍ଡା! ବଲାଙ୍ଗୀରରୁ ବେଙ୍ଗାଲୁରୁ ଯାଇ ମାଆର କୋଳ ପାଇଲା ତୁଳସୀ

ବଲାଙ୍ଗୀର: ନବଜନ୍ମିତ ଶିଶୁ କନ୍ୟାକୁ କିଏ ଅଲୋଡ଼ାକରି ଦେଉଛି ତ ଆଉ କିଏ କୋଳେଇ ନେଉଛି । ବଲାଙ୍ଗୀର ଆୟୁର୍ବେଦିକ କଲେଜ ନିକଟରୁ କିଛି ଦିନ ତଳେ ଉଦ୍ଧାର ହୋଇଥିବା ଅଲୋଡ଼ା ଶିଶୁକନ୍ୟା ଏବେ ମା’ର କୋଳ ପାଇଛି । ସୁଦୂର ବେଙ୍ଗାଲୁରୁରୁ ଏକ ଦମ୍ପତି ଆସି ପୋଷ୍ୟ ସନ୍ତାନ ଭାବରେ ଗ୍ରହଣ କରିଛନ୍ତି ଶିଶୁକନ୍ୟାଟିକୁ ।

ଘଟଣାଟି ଗତ ମାର୍ଚ୍ଚ ୭ ତାରିଖର। ବଲାଙ୍ଗୀର ତୁଲସୀନଗରପଡ଼ା ଆୟୁର୍ବେଦିକ କଲେଜ ନିକଟର ନାଳରୁ ଉଦ୍ଧାର ହୋଇଥିଲା ଏକ ଶିଶୁ କନ୍ୟା । ନାଳ ନିକଟରେ  ନବଜାତ ଶିଶୁ କନ୍ୟାଟି ରଡ଼ି ଛାଡୁଥିଲା। । ଛୁଆର କାନ୍ଦବୋବାଳି ଦେଖି ଲୋକ ରୁଣ୍ଡ ହୋଇଯାଇଥିଲେ । ପାଖ ପଡ଼ୋଶୀ ଶିଶୁ କନ୍ୟାକୁ ଉଦ୍ଧାର କରି ନିକଟ ଆୟୁର୍ବେଦିକ କଲେଜରେ ଚିକିତ୍ସା କରାଇଥିଲେ । ତାପରେ ଚାଇଲ୍ଡ ଲାଇନ କର୍ମକର୍ତ୍ତା ଶିଶୁ କନ୍ୟାକୁ ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସୁସ୍ଥ ହେବା ପରେ ଶିଶୁ କନ୍ୟାକୁ ଶିଶୁ ମଙ୍ଗଳ କମିଟି ହେପାଜତରେ ନେଇ ଲାଳନପାଳନ କରିଥିଲା । ଯେହେତୁ ତୁଲସୀନଗରରୁ ଛୁଆ ଉଦ୍ଧାର ହୋଇଥିଲା ତେଣୁ ନାଁ ଦିଆଯାଇଥିଲା ‘ତୁଳସୀ’ ।

ଦୀର୍ଘ ଆଠ ମାସ ପରେ ଏବେ ତୁଳସୀକୁ ମା’ର କୋଳ ମିଳିଛି। ଅନଲାଇନରେ ଆବେଦନ କରି ବେଙ୍ଗାଲୁରୁର ଏକ ଦମ୍ପତି ଆସି ଛୁଆକୁ ଆପଣେଇଛନ୍ତି । ବିବାହର ୧୬ ବର୍ଷ ପରେ ବି ଛୁଆପିଲା ନଥିବା ଏହି ଦମ୍ପତି ଛୁଆକୁ କୋଳକୁ ନେଇ ଖୁସିରେ ଆତ୍ମହରା ହୋଇପଡ଼ିଛନ୍ତି । ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା ଶିଶୁ କନ୍ୟାକୁ ପୋଷ୍ୟ କନ୍ୟା ଭାବେ ହସ୍ତାନ୍ତର କରିଥିଲେ । ଏହି ସମୟରେ ଡିସିପିୟୁ, ସିଡବ୍ଲୁସିର କର୍ମକର୍ତ୍ତା ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର