ସିନ୍ଧେକେଲା: ଟ୍ରାକ୍ଟର ଧକ୍କାରେ ବାଇକ୍‌ ଆରୋହୀ ମୃତ, ଦୁର୍ଘଟଣାସ୍ଥଳରେ ରାତି ତମାମ ବସି ରହି ସଂପର୍କୀୟ କଲେ ବିକ୍ଷୋଭ ପ୍ରଦର୍ଶନ

ସିନ୍ଧେକେଲା: ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଅନ୍ତର୍ଗତ ଗନ୍ଧର୍ଲା ପଞ୍ଚାୟତ ମାଳପଡା ନିକଟରେ ଶୁକ୍ରବାର ଟ୍ରାକ୍ଟର ଧକ୍କାରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିିଛି। ବାଇକ୍‌ ଆରୋହୀ ଜଣକ ହେଲେ ସୁର୍ଡା ଗ୍ରାମର ଶଙ୍ଖା ବଗର୍ତ୍ତୀ। ତାଙ୍କର ବୟସ ୩୦ ବର୍ଷ। ଦୁର୍ଘଟଣାସ୍ଥଳରେ ସମ୍ପର୍କୀୟ ମାନେ ରାତି ତମାମ ବସି ରହି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଟ୍ରାକ୍ଟର ମାଲିକ ନ ଆସିବାଯାଏ ଘଟଣାସ୍ଥଳରୁ ମୃତଦେହ ଉଠାଇବୁ ନାହିଁ ବୋଲି ଜିଦ୍‌ ଧରିଥିଲେ ବୋଲି ଜାଣିବାକୁ ମିଳିଛି।

ଘଟଣାନୁଯାଇ ଟିଟିଲାଗଡ ବ୍ଲକ ଅନ୍ତର୍ଗତ ସୁରଡା ଗ୍ରାମର ଶଙ୍ଖା ବଗର୍ତ୍ତୀ ଗନ୍ଧର୍ଲା ପଞ୍ଚାୟତ ଅନ୍ତର୍ଗତ କାଳକୁଟ ମାଳପଡା ଗ୍ରାମକୁ ନବ ବିବାହିତା ଝିଅର ଜିଉଁନ୍ତିଆ ଛଡା କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ଗତକାଲି ଶୁକ୍ରବାର ଭୋଜିଭାତ ଖାଇ ଏକ ବାଇକରେ ଫେରୁଥିବା ବେଳେ ଏକ ଟ୍ରାକ୍ଟର ସହ ସାମ୍ନାସାମ୍ନି ଧକ୍କା ହୋଇ ଦୁର୍ଘଟଣା ସ୍ଥଳରେ ହିଁ ମୃତ୍ୟୁଘଟିଛି ।

ଜିଉଁନ୍ତିଆ କାର୍ଯ୍ୟକ୍ରମ ପାଇଁ ସୁରଡା ଗ୍ରାମରୁ ଏକ ପିକଅପ ଭ୍ୟାନ ଓ ବାଇକରେ ମାଳପଡା ଯାଇ ଫେରିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇ ମୃତ୍ୟୁ ହେବା ପରେ ସିନ୍ଧେକେଲା ପୁଲିସ୍‌, ଆମ୍ବୁଲାନ୍ସ ପହଞ୍ଚିଥିଲା। ମାତ୍ର ବିକ୍ଷୋଭକାରୀମାନେ ଆମ୍ବୁଲାନ୍ସକୁ ଫେରାଇ ଦେବା ସହ କ୍ଷତିପୂରଣ ନ ମିଳିବା ପର୍ଯ୍ୟନ୍ତ ମୃତଦେହ ଉଠାଇବୁ ନାହିଁ ଓ ଉଠାଇଦେବୁ ନାହିଁ ବୋଲି ବିକ୍ଷୋଭ କରି ଦୁର୍ଘଟଣାସ୍ଥଳରେ ହିଁ ମୃତଦେହ ପାଖରେ ରାତି ତମାମ ଘେରି ବସିଥିଲେ ।

ଥାନାଧିକାରୀଙ୍କ ଅନୁପସ୍ଥିତିରେ ସିନ୍ଧେକେଲା ଥାନା ଏଏସଆଇ ଅରକ୍ଷିତ ନାଏକ ସଦଳବଳେ  ଘଟଣାସ୍ଥଳରେ ପହଞ୍ଚି ବହୁ ବୁଝାଶୁଝା କଲାପରେ ମଧ୍ୟ ଟ୍ରାକ୍ଟର ମାଲିକ ନ ଆସିବା ପର୍ଯ୍ୟନ୍ତ ମୃତଦେହକୁ ଉଠାଇ ଦେବୁନାହିଁ ବୋଲି କହି ଲୋକେ ବିକ୍ଷୋଭ କରିଥିଲେ। । ସକାଳୁ ଓଆଇସି ଅନନ୍ତ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ବୁଝାଶୁଝା କରିବା ସହ ବଙ୍ଗୋମୁଣ୍ଡା ତହସିଲଦାର ଗୁଣମଣୀ ସୁନାନୀଙ୍କୁ ଫୋନ ଯୋଗେ ଘଟଣା ବିଷୟରେ ଅବଗତ କରିଥିଲେ ।

ତେବେ ତହସିଲଦାର ରେଡକ୍ରସରୁ ୨୦ ହଜାର ଟଙ୍କା ଦେବାପାଇଁ ଓ ପଞ୍ଚାୟତର ୨ ହଜାର ଟଙ୍କା ସହ ଆହୁରି ଟ୍ରାକ୍ଟର କାହାର ଜଣାପଡ଼ିଲେ ତାର ଇନସୁରାନ୍ସ ଯଦି ଥିବ ତେବେ ଆହୁରି ସାହାଯ୍ୟ ମିଳିବା ପାଇଁ ଚେଷ୍ଟା କରିବୁ ବୋଲି ପ୍ରତିଶୃତି ପାଇବା ପରେ ଦୀର୍ଘ ୧୮ ଘଣ୍ଟା ଧରି ହୋଇଥିବା ବିକ୍ଷୋଭ ଶେଷ ହୋଇଛି । ପ୍ରକାଶ ଥାଉକି ମୃତ ଶଙ୍ଖାଙ୍କ ବାପା ମା’ଙ୍କର ଆଗରୁ ମୃତ୍ୟୁ ହୋଇଥିବାରୁ ପରିବାର କହିଲେ ତାଙ୍କ ସ୍ତ୍ରୀ ଓ କୁନିକୁନି ଦୁଇଝିଅ। ତେଣୁ ଶଙ୍ଖାଙ୍କ ମୃତ୍ୟୁ ପରେ ସ୍ତ୍ରୀ ବାସନ୍ତୀ ଓ ଦୁଇ ଝିଅ ଚଳିବେ କେମିତି ତାହା ଏବେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ ସିନ୍ଧେକେଲା ପୁଲିସ୍‌ ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଟିଟିଲାଗଡ଼ ପଠାଇଥିବା ଓ ବ୍ୟବଚ୍ଛେଦ ପରେ ଶବକୁ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ଥାନାଧିକାରୀ ଅନନ୍ତ ପ୍ରଧାନ ସୁଚନା ଦେଇଛନ୍ତି ।

 

ସମ୍ବନ୍ଧିତ ଖବର