ଧୂଳିରେ ଅଣନିଃଶ୍ୱାସୀ ବଲାଙ୍ଗୀର ସହରବାସୀ:ଧାରଣାରେ ବସିଲା ନାଗରିକ କମିଟି

ବଲାଙ୍ଗୀର: ବଲାଙ୍ଗୀର ସହରରେ ଧୂଳି ପ୍ରବଳ। ସାଧାରଣ ଲୋକେ ଧୂଳି ପାଇଁ ହଇରାଣ ହେଉଥିବା ବେଳେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଭରି ରହିଛି। ଏନେଇ ଗଣମାଧ୍ୟମରେ ବିଭିନ୍ନ ଖବର ପ୍ରକାଶିତ ବି ହେଲାଣି। କିନ୍ତୁ ପୌରପାଳିକାରେ ଥିବା ଧୂଳି ଖିଆ ଗାଡି ଅଚଳ ହୋଇଥିବାରୁ ତା’ ଉପରେ ସବୁ ଦୋଷ। ଗତ କିଛି ଦିନ ହେଲା ପୌରାଧ୍ୟକ୍ଷା ସନ୍ତୋଷିନୀ ବେହେରା ଓ ପୌର ନିର୍ବାହୀ ଅଧିକାରୀ ନବୀନ ପଟେଲ ଗାଡି ଦେଇଥିବା ସଂସ୍ଥାକୁ ଯୋଗାଯୋଗ କରାଯାଇଛି। ଖୁବଶୀଘ୍ର ମରାମତି ହୋଇ ଧୂଳି ସଫା କରାଯିବ ବୋଲି କହିଥିଲେ। ସେହିପରି କିଛି ଦିନ ତଳେ ରାସ୍ତାରୁ ଧୂଳି କଢ଼ାଯିବା ସହ ପାଣି ଢଳାଯାଇଥିଲା। ତେବେ ଧୂଳି ସମସ୍ୟା ନେଇ ନାଗରିକ କମିଟି ଆନ୍ଦୋଳନ ଡାକରା ଦେଇଥିଲେ।

ଶୁକ୍ରବାର ବଲାଙ୍ଗୀର ନାଗରିକ କମିଟି ସଭାପତି ଭବାନୀ ଶଙ୍କର ଶତପଥୀ, ସାଧାରଣ ସଂପାଦକ ବିଷ୍ଣୁପ୍ରସାଦ କେଡ଼ିଆ, ପୂର୍ବତନ ସଭାପତି ଡା.ଲକ୍ଷ୍ମୀକାନ୍ତ ମହାପାତ୍ର, ପୌରପାଳିକା ଆବାହିକା ପଙ୍କଜିନୀ ପଣ୍ଡା, ବିକ୍ରମ ବହିଦାର, କିଶୋର ମିଶ୍ର, ନୀଳମଣି ମିଶ୍ର, ଗୋପାଳଜୀ ପାଣିଗ୍ରାହୀ, ଗଜେନ୍ଦ୍ର ଭମର, ଧର୍ମବ୍ରତ ରଥ, ସୁଦର୍ଶନ ମିଶ୍ର, ବୃନ୍ଦାବନ ବରାଳ, ରାଜେଶ ଅଗ୍ରୱାଲ, ସଂଗୀତ ଅଗ୍ରୱାଲ, ଅଶୋକ ମିଶ୍ରଙ୍କ ସହ ଅନ୍ୟମାନେ ପୌରପାଳିକା କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ପୌରାଧ୍ୟକ୍ଷା ଶ୍ରୀମତୀ ବେହେରା, ପୌର ନିର୍ବାହୀ ଅଧିକାରୀ ଶ୍ରୀ ପଟେଲ ପ୍ରମୁଖ ଧାରଣା ସ୍ଥଳରେ ପହଞ୍ଚି ଧୂଳି ସମସ୍ୟାର ନିରାକରଣ ଖୁବ ଜଲଦି ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଧୂଳି ଖିଆ ଗାଡିର ସମସ୍ୟା ସଂପର୍କରେ କହିବା ସହ ଏହାକୁ କାର୍ଯ୍ୟକ୍ଷମ କରିବାକୁ ଯୋଜନା ରହିଛି ବୋଲି ପ୍ରତିଶ୍ରୁତି ଦେବା ପରେ ନାଗରିକ କମିଟିର ଧାରଣା ପ୍ରତ୍ୟାହୃତ ହୋଇଥିଲା।

ସମ୍ବନ୍ଧିତ ଖବର