ସଇନ୍ତଲା: ବଲାଙ୍ଗୀର ଜିଲ୍ଲା ସଇନ୍ତଲା ଥାନା ଭଦ୍ରା ପଞ୍ଚାୟତ ଅନ୍ତର୍ଗତ ମହଗାଁରେ ଅଭାବନୀୟ ଘଟଣା ଘଟିଛି। ଜଣେ ଭାଇଙ୍କୁ ତାଙ୍କ ନିଜ ଭାଇ ମାରିଦେବା ଘଟଣା ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ର ପାଲଟିଛି। ପୁଲିସ୍ ସୂଚନା ଅନୁସାରେ, ଶୁକ୍ରବାର ମହଗାଁର ବେଲାର ରଣା (୫୫) ଗ୍ରାମ ନିକଟରେ ଥିବା ଏକ କୁକୁଡ଼ା ଦୋକାନରେ ଛିଡ଼ା ହୋଇଥିଲେ। ଏହି ସମୟରେ ତାଙ୍କ ସର୍ମ୍ପକୀୟ ଭାଇ ସୁନାଧର ରଣା ଆସି ତାଙ୍କ ସହ କଥା ହେବା ସହ ତାଙ୍କୁ ଗାଳିଗୁଲଜ କରିଥିଲା। ପରେ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ଉଗ୍ରରୂପ ଧାରଣ କରିଥିଲା। ସୁନାଧର ଏକ ଧାରୁଆ ଅସ୍ତ୍ର ଆଣି ବେଲାରଙ୍କୁ ବାରମ୍ବାର ଆକ୍ରମଣ କରିଥିଲା। ବେଲାରଙ୍କ ମୁଣ୍ତରେ ତିନି ଚୋଟ ମାରିବାରୁ ବେଲାରଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।
ପରିବାର ଲୋକେ ଖବର ଦେବା ପରେ ପୁଲିସ୍ ଗାଁରେ ପହଞ୍ଚି ବେଲାରଙ୍କୁ ଉଦ୍ଧାର କରି ସଇନ୍ତଲା ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲା। ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପକ୍ଷରେ ଘଟଣା ପରେ ସୁନାଧର ଫେରାର ମାରିଥିବା ବେଳେ ପରେ ପୁଲିସ୍ ତାକୁ ବେଆଇନ କୁଚିଆ ମଦ ଦୋକାନରୁ ଗିରଫ କରି ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଛି।
ସୂଚନାଥାଉକି, ପୂର୍ବରୁ ସୁନାଧର ତାର ଜଣେ ସର୍ମ୍ପକୀୟ ଭିଣୋଇ ଓ ତିନି ବର୍ଷୀୟ ନାତିକୁ ଆକ୍ରମଣ କରି ଗିରଫ ହୋଇ ଜେଲ ମଧ୍ୟ ଯାଇଥିଲା। ବର୍ତ୍ତମାନ ସେ ଜାମିନରେ ଥିବାବେଳେ ପୁଣି ଏହି ହତ୍ୟାକାଣ୍ତ ଭିଆଇଥିବା ବେଲାରଙ୍କ ପରିବାରବର୍ଗଙ୍କ ସୂତ୍ରରୁ ପ୍ରକାଶ। ଅନ୍ୟପକ୍ଷରେ ଘଟଣାର ଗୁରୁତ୍ବକୁ ଦୃଷ୍ଟିରେ ରଖି ବଲାଙ୍ଗୀର ସାଇଣ୍ଟିଫିକ୍ ଟିମ୍ ଓ ଟିଟିଲାଗଡ଼ ଏସ୍ଡିପିଓ ଅଙ୍କିତା କୁମ୍ଭାର ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛନ୍ତି। ବେଲାରଙ୍କ ଶବକୁ ସ୍ବାସ୍ଥ୍ୟକେନ୍ଦ୍ରରେ ରଖାଯାଇଥିବା ବେଳେ ଶନିବାର ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି ଥାନାଧିକାରୀ ସୁଶାନ୍ତ ପ୍ରଧାନ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/02/Brother-Killed-Brother_Thumbnail.jpg)