ଧଣ୍ଡାମୁଣ୍ଡା: ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ବୈଜଳସାଗର ଛକଠାରେ ଆଜି ସକାଳ ସାଢ଼େ ୭ଟାରେ ଏକ ସଡ଼କ ଦୁର୍ଘଟଣା ଘଟିଯାଇଛି। ଅଳ୍ପକେ ବର୍ତ୍ତିଛନ୍ତି କାରରେ ଥିବା ଡ୍ରାଇଭର ସହ ସାତଜଣ ଯାତ୍ରୀ ।

Advertisment

ସୂଚନା ଅନୁଯାୟୀ କଣ୍ଟାବାଞ୍ଜିର ସଚିନ ଜିନ୍ଦଲ ତାଙ୍କ ପରିବାର ସହ ଗୋଟିଏ ମାରୁତି ଆର୍ଟିଗା କାର ନଂ ଓଡି ୦୩ଏକ୍ସ ୧୭୯୮ରେ କଣ୍ଟାବାଞ୍ଜିରୁ ହରିଶଙ୍କର ମନ୍ଦିରକୁ ଦର୍ଶନ କରିବା ପାଇଁ ଯାଉଥିବା ସମୟରେ ଡ୍ରାଇଭରଙ୍କୁ ନିଦ ଲାଗି ଯାଇଥିଲା। ଫଳରେ ଖପ୍ରାଖୋଲ ଥାନା ଅନ୍ତର୍ଗତ ବୈଜଳସାଗର ଛକ ବୁଲାଣି ରାସ୍ତା କଡ଼ରେ ଥିବା ବିଦ୍ୟୁତ୍ ଖୁଣ୍ଟରେ ପିଟି ହୋଇ ପାଖରେ ଥିବା ଚାଷ ଜମିରେ ଗାଡ଼ିଟି ପଡ଼ିଥିଲା ।

କାର୍ ଭିତରେ ଡ୍ରାଇଭର ସମେତ ସାତଜଣ ଯାତ୍ରୀ ଥିବା ଜଣାପଡ଼ିଛି। ଛକରେ ଥିବା କିଛି ସ୍ଥାନୀୟ ଲୋକ ଆମ୍ବୁଲାନ୍ସ ଏବଂ ଅଗ୍ନିଶମ ବିଭାଗକୁ ଖବର କରିବା ବେଳେ ଖପ୍ରାଖୋଲ ପୁଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଆହତ ବ୍ୟକ୍ତିମାନଙ୍କୁ ଉଦ୍ଧାର କରିଥିଲେ। ସମସ୍ତ ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ବେଳେ ସମସ୍ତଙ୍କୁ ଆମ୍ବୁଲାନ୍ସ ଯୋଗେ କଣ୍ଟାବାଞ୍ଜି ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି। ସମସ୍ତ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି।  ଖପ୍ରାଖୋଲ ପୁଲିସ ଅଧିକ ତଦନ୍ତ କରୁଥିବା  ଥାନାଧିକାରୀ ରମାକାନ୍ତ ସାହୁ ପ୍ରକାଶ କରିଛନ୍ତି।