ଜେଲ୍‌ ଗଲା ଚିଟ୍‌ଫଣ୍ଡ ମାଫିଆ ହୁତାସନ

ପୁଲିସ ଆଗରେ ସବୁ ଗପିଛି, କୋଟିକୋଟି ଟଙ୍କାର ଠକେଇକୁ ସ୍ୱୀକାର

କମ୍ପ୍ୟୁଟର ଓ କାଗଜପତ୍ର ଜବତ

ବଲାଙ୍ଗୀର: ବଲାଙ୍ଗୀରରେ ଚାଞ୍ଚଲ୍ୟ ଖେଳାଇଥିବା ପିଆଇସିଏଲ ଚିଟଫଣ୍ଡ କମ୍ପାନିର ନିର୍ଦ୍ଦେଶକ ହୁତାସନ ଯାଦବକୁ ପୁଲିସ କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବା ପରେ ହୁତାସନକୁ ଜେଲ ହାଜତକୁ ପଠାଯାଇଛି। ବଲାଙ୍ଗୀର ସମେତ ପଡ଼ୋଶୀ ଜିଲ୍ଲାର ଲୋକଙ୍କଠାରୁ କୋଟିକୋଟି ଟଙ୍କା କମ୍ପାନି ନାଁରେ ଜମା ନେଇ ହୁତାସନ ମାଲେମାଲ ହୋଇଥିବା ପୁଲିସ ତଦନ୍ତରେ ଜାଣିବାକୁ ପାଇଛି। ଜମାକାରୀଙ୍କ ଟଙ୍କାରେ ହୁତାସନ କଣ ସବୁ କରିଛି ତାହା ପୁଲିସ ସମ୍ମୁଖରେ ପଚରାଉଚରା ସମୟରେ ତଥ୍ୟ ଦେଇଛି। ଏହାସହ କମ୍ପାନି ନାଁରେ ଲୋକଙ୍କଠାରୁ କୋଟିକୋଟି ଟଙ୍କା ଜମା ନିଆଯାଇଥିବା ସେ ପୁଲିସ ଆଗରେ ସ୍ୱୀକାର କରିଛି। ପୁଲିସ ହୁତାସନଙ୍କୁ ପଚରାଉଚୁରା ପରେ ତାର ଜଣେ ସହଯୋଗୀ ତଥା ଏଜେଣ୍ଟ ଘରୁ କାର୍ଯ୍ୟାଳୟରେ ବ୍ୟବହାର କରିଥିବା କମ୍ପ୍ୟୁଟର ଓ କାଗଜପତ୍ର ସବୁ ଜବତ କରିଛି। ସୂଚନାଯୋଗ୍ୟ ଯେ, ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଚିଟଫଣ୍ଡ କମ୍ପାନିଗୁଡିକ ଲୋକଙ୍କଠାରୁ ଟଙ୍କା ଜମା ନେଇ ଗୋଟିଏ ସମୟରେ ଫେରାର ମରିଥିଲେ। ପରେ ଏହାର ମୁଖ୍ୟମାନେ ଜେଲ ଯାଇଥିଲେ। ସେହି ସବୁ ଘଟଣା ପରେ ବି କେତେ ଜଣ ଚିଟଫଣ୍ଡ ସଂସ୍ଥା ପୁଣି ଆରମ୍ଭ କରିଥିଲେ। ପୂର୍ବରୁ ବିଭିନ୍ନ ଚିଟଫଣ୍ଡ ସଂସ୍ଥାରେ କାମ କରି ହୁତାସନ ନିଜେ ଚିଟଫଣ୍ଡ ସଂସ୍ଥା ପରବର୍ତ୍ତୀ ସମୟରେ ଆରମ୍ଭ କରିଥିଲା। ହୁତାସନ ୨୦୧୨ ମସିହାରେ ପିଆଇସିଏଲ ନାଁରେ ସଂସ୍ଥା କରିଥିବା ବେଳେ ପୂର୍ବରୁ ସେ କେଏମଜେ ସହ ଆଉ କିଛି ଚିଟଫଣ୍ଡ ସଂସ୍ଥାରେ ରହିଥିଲା। ସେହି ସବୁ ସଂସ୍ଥା ନାଁରେ ମଧ୍ୟ ଲୋକଙ୍କଠାରୁ କୋଟିକୋଟି ଟଙ୍କା ହଡ଼ପ ହୋଇଛି। ତେବେ ପିଆଇସିଏଲ କମ୍ପାନିରେ ଗ୍ରାହକମାନଙ୍କୁ ଏଜେଣ୍ଟ କରିଥିଲା ହୁତାସନ। ନିଜେ ସଂସ୍ଥାର ନିର୍ଦ୍ଦେଶକ ହୋଇ ଆଉ କେତେ ଜଣଙ୍କୁ ସାମିଲ କରିଥିଲା। ତାର କେତେ ଜଣ ଘନିଷ୍ଠ ସହ ଯୋଗୀ ମଧ୍ୟ କୋଟିକୋଟିର ଘୋଟାଲାରେ ସଂପୃକ୍ତ ରହିଛନ୍ତି। ଏ ନେଇ ପୁଲିସ ଅଧିକ ଅନୁସନ୍ଧାନ ଜାରି ରଖିଛି। ତେବେ ଆଜି ହୁତାସନକୁ ପୁଲିସ କୋର୍ଟ ଚାଲାଣ କରିଥିଲା।

ଜମାକାରୀ ଟଙ୍କା ଫେରି ପାଇବେ ତ?
ପିଆଇସିଏଲ ପ୍ରାୟ ୪୪କୋଟି ଟଙ୍କା ହେରାଫେରି କରିଥିବା ଅଭିଯୋଗ ରହିଛି। ଟଙ୍କା ସବୁ କେଉଁଠି ଅଛି ତାହା ଅନୁସନ୍ଧାନ କରିବା ଆବଶ୍ୟକତା ରହିଛି। ଯେଉଁମାନେ ଟଙ୍କା ପିଆଇସିଏଲରେ ଜମା ଦେଇଥିଲେ, ସେମାନେ ଏବେ ଟଙ୍କା ଫେରିପାଇବେ ନା ନାହିଁ ତାକୁ ନେଇ ସନ୍ଦିହାନ ରହିଛନ୍ତି। ଗତ ଦୁଇ ଦିନ ହେଲା ପିଆଇସିଏଲର ବହୁ ଜମାକାରୀ ଓ ଏଜେଣ୍ଟ ଥାନାରେ ଭିଡ଼ ଜମାଇଛନ୍ତି। ଜମାକାରୀଙ୍କ କହିବା ହେଲା, ସେମାନେ ବହୁବାର ହୁତାସନ ଓ ଯେଉଁ ଏଜେଣ୍ଟକୁ ଟଙ୍କା ଦେଇଥିଲେ ତାଙ୍କ ସହ ଯୋଗାଯୋଗ କରୁଥିଲେ। ହେଲେ କାର୍ଯ୍ୟାଳୟ ବନ୍ଦ କରି ହୁତାସନ ଧରାଛୁଆଁ ଦେଉନଥିଲା। ବହୁବାର ଲୋକଙ୍କୁ ତାରିଖ ଦେଇ ବିଭିନ୍ନ ସ୍ଥାନକୁ ହୁତାସନ ଡାକୁଥିଲା। ସେମାନଙ୍କୁ ଟଙ୍କା ଦେବ ଦେବ କହି ସମୟ ଗଡ଼ାଇ ଚାଲିଥିଲା। କିନ୍ତୁ ଟଙ୍କା କେହି ପାଇ ନଥିଲେ। କାର ଝିଅ ବାହାଘର ଏବେ ଅଛି ତ ଆଉ କାହାର ଅନ୍ୟ କାମ। ଲକ୍ଷ ଲକ୍ଷ ଟଙ୍କା ନେଇ କିନ୍ତୁ ହୁତାସନ ଓ ତା’ର ସହଯୋଗୀମାନେ ସବୁକୁ ହଡପ କରିଥିବା ଅଭିଯୋଗ ହୋଇଛି। ଏବେ ହୁତାସନ ଜେଲ ଯିବା ପରେ ସେ କେଉଁଠି ଟଙ୍କା ସବୁ ଲଗାଇଛି ଓ ରହିଛି ତାହାର ତଦନ୍ତ କରାଯାଉ ବୋଲି ଦାବି ହେଉଛି।

ସମ୍ବନ୍ଧିତ ଖବର