ପ୍ରତିଶ୍ରୁତି ରଖିଲେ ଜିଲ୍ଲାପାଳ, ଡାଟାଏଣ୍ଟ୍ରି ଅପରେଟର ନିଯୁକ୍ତି ପାଇଲେ ଅନନ୍ତ

ଦେଓଗାଁ : ଗାଁରେ ମନରେଗା କାମରେ ମାଟି ବୋହୁଥିବା ସିଭିଲ ଇଂଜିନିୟରଙ୍କୁ ନିଯୁକ୍ତି ଦେବାର ପ୍ରତିଶ୍ରୁତି ଦେଇ କଥା ରଖିଛନ୍ତି ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା। ଦେଓଗାଁ ବ୍ଲକ୍‌ ଗାଈବାହଲ ପଞ୍ଚାୟତ ଜୁର୍ଲାକାନି ଗାଁର ଅନନ୍ତ ବେରିଆଙ୍କୁ ଡିଆର୍‌ଡିଏରେ ଡାଟାଏଣ୍ଟ୍ରି ଅପରେଟର ଭାବେ କାର୍ଯ୍ୟ କରିବାକୁ ନିଯୁକ୍ତିପତ୍ର ଦେଇଛନ୍ତି। ଇଞ୍ଜିନିୟରିଂ ପାଠପଢ଼ି ଗାଁରେ ମାଟି କାମ କରିବା ଅପେକ୍ଷା ସରକାରୀ ଅଫିସରେ କାମ କରିବାକୁ ଭଲ ଲାଗୁଛି ବୋଲି ଶ୍ରୀ ବେରିଆ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ ଯେ, ଗତ ଅକ୍ଟୋବର ମାସରେ ବଲାଙ୍ଗୀର ଜିଲ୍ଲାପାଳ ଶ୍ରୀ ରାଣା ଦେଓଗାଁ ବ୍ଲକ୍‌ ଗାଈବାହଲ ପଞ୍ଚାୟତ ଜୁର୍ଲାକାନି ଗାଁକୁ ପରିଦର୍ଶନରେ ଯାଇଥିଲେ। ଗଡ଼ଦ୍ୱାରା ରାସ୍ତାରେ ମନରେଗା କାମ ତଦାରଖ କଲା ବେଳେ ଶ୍ରମିକମାନେ ବିଭିନ୍ନ ସମସ୍ୟା ସମ୍ପର୍କରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେଠାରେ ବାପା ବୈଷ୍ଣବ ବେରିଆଙ୍କ ସହ ମାଟି କାମ କରୁଥିବା ଶ୍ରୀ ବେରିଆ ଜଣେ ସିଭିଲ ଇଂଜିନିୟର ବୋଲି ଜାଣିବାକୁ ପାଇଥିଲେ। ଜିଲ୍ଲାପାଳ ନିଜ ଅଫିସକୁ ଡାକି ଯୋଗ୍ୟତା ହିସାବରେ କାମ ଯୋଗାଇଦେବା ପାଇଁ ବ୍ୟକ୍ତିଗତ ସ୍ତରରେ ଉଦ୍ୟମ କରିବେ ବୋଲି ସେତେବେଳେ କହିଥିଲେ।

ସୂଚନାଯୋଗ୍ୟ ଯେ, ଜୁର୍ଲାକାନୀ ଗାଁର ବୈଷ୍ଣବ ବେରିଆଙ୍କ ବଡ଼ପୁଅ ଅନନ୍ତ ବିଟେକ ସିଭିଲ ଇଞ୍ଜିନିୟରିଂରେ ୨୦୧୮ମସିହାର ସିଇଭି କଲେଜ ଭୁବନେଶ୍ବରରୁ ଉର୍ତ୍ତୀର୍ଣ୍ଣ ହୋଇଥିଲେ। ଏହା ପରେ ଚେନ୍ନାଇ ସହରର ଏକ ବେସରକାରୀ ସଂସ୍ଥା ଅଭିଜିତ ଏଜେନ୍ସି ପ୍ରାଇଭେଟ ଲିମିଟେଡ଼ରେ ସାଇଟ ଇଂଜିନିୟର ଭାବେ କାମ କରୁଥିଲେ। କିନ୍ତୁ କରୋନା ଲକ୍‌ଡାଉନ୍‌ ଯୋଗୁଁ ସେ ଚାକିରି ଛାଡ଼ି ଗାଁକୁ ଫେରି ଆସିଥିଲେ ଏବଂ ଅଢ଼େଇ ମାସ ଧରି ଗାଁରେ ମନରେଗା କାମ କରୁଥିଲେ।

ସମ୍ବନ୍ଧିତ ଖବର