ବଲାଙ୍ଗୀର: ପ୍ରଧାନମନ୍ତ୍ରୀଙ୍କ ଆହ୍ବାନକ୍ରମେ ଆଜିଠାରୁ ଆରମ୍ଭ ହୋଇଛି ଦ୍ବିତୀୟ ପର୍ଯ୍ୟାୟ ଲକଡାଉନ। ଅବଶ୍ୟ ଆଗରୁ ଏପ୍ରିଲ ୩୦ ଯାଏଁ ଲକଡାଉନର ଅବଧି ବଢାଇବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। କିନ୍ତୁ ଜାତୀୟ ସ୍ତରରେ ମେ ୩ ତାରିଖ ପର୍ଯ୍ୟନ୍ତ ସାରା ଦେଶ ତାଲାବନ୍ଦ ରହିବ। ହେଲେ ପ୍ରଥମ ୨୧ ଦିନିଆ ଲକଡାଉନରେ ରାଜ୍ୟର ରାଜଧାନୀ ଭୁବନେଶ୍ବର କରୋନା ସଂକ୍ରମଣଙ୍କ ହଟସ୍ପଟ ହୋଇଥିବା ବେଳେ କିଛି କିଛି ଜିଲ୍ଲାରେ ଚିହ୍ନଟ ହୋଇଛନ୍ତି କରୋନା ସଂକ୍ରମିତ। ପ୍ରଥମ ପର୍ଯ୍ୟାୟ ଲକଡାଉନରେ ପଶ୍ଚିମ ଓଡିଶାର ମାତ୍ର ଦୁଇଟି ଜିଲ୍ଲା କଳାହାଣ୍ଡି ଓ ସୁନ୍ଦରଗଡକୁ ଛାଡିଦେଲେ ବାକି ସମସ୍ତ ଜିଲ୍ଲା କରୋନାମୁକ୍ତ ରହିଛି । ବଲାଙ୍ଗୀର ବି ଏ ପର୍ଯ୍ୟନ୍ତ କରୋନାମୁକ୍ତ ରହିଛି । କିନ୍ତୁ ୬୦ ପ୍ରତିଶତ ଟେଷ୍ଟ ରିପୋର୍ଟ ଏବେବି ଆସି ନାହିଁ।
ମିଳିଥିବା ସୂଚନା ମୁତାବକ, ମଙ୍ଗଳବାର ସୁଦ୍ଧା ବଲାଙ୍ଗୀରରୁ ୩୨୬ ଜଣଙ୍କର ସ୍ବାବ ପରୀକ୍ଷା ପାଇଁ ଭୁବନେଶ୍ବରଯାଇଥିବା ବେଳେ ମାତ୍ର ୧୦୭ଟିର ରିପୋର୍ଟ ଆସିଛି | ତେଣୁ ବାକି ରିପୋର୍ଟ ଉପରେ ଏବେ ସମସ୍ତଙ୍କ ନଜର ରହିଛି | ସୂଚନା ଯୋଗ୍ୟ ଯେ, ବଲାଙ୍ଗୀର ଜିଲ୍ଲାକୁ ବାହାର ଦେଶ ଗୁଡିକରୁ ପ୍ରାୟ ୩୫ ଜଣ ଫେରିଥିବା ସ୍ବାସ୍ଥ୍ୟ ବିଭାଗ ପାଖରେ ଖବର ଥିଲା। ସେମାନଙ୍କ ଭିତରୁ ୨୯ ଜଣଙ୍କୁ ସ୍ବାସ୍ଥ୍ୟବିଭାଗ ଟ୍ରାକ୍ କରିଥିବା ବେଳେ ଅନ୍ୟ କେତେ ଜଣ ପୁଣି ବାହାର ରାଜ୍ୟକୁ ଚାଲିଯାଇଥିବାରୁ ସେମାନଙ୍କୁ ଟ୍ରାକ୍ କରାଯାଇପାରିନଥିଲା। ସେହିପରି ବାହାର ରାଜ୍ୟ ଯଥା– ମହାରାଷ୍ଟ୍ର, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଓ ଅନ୍ୟ ରାଜ୍ୟରୁ ପ୍ରାୟ ଅଢେଇ ହଜାର ଲୋକଙ୍କୁ ସ୍ବାସ୍ଥ୍ୟବିଭାଗ ହୋମକ୍ବାରେନଟାଇନରେ ରହିବାକୁ ପରାମର୍ଶ ଦେଇଥିଲା।
/sambad/media/post_attachments/wp-content/uploads/2020/04/b830aeff-2976-4b7b-9d0a-9252e7a1b840-1024x768.jpg)
ସେମାନଙ୍କ ଭିତରୁ କରୋନା ସନ୍ଦିଗ୍ଧମାନଙ୍କ ସାମ୍ପୁଲ ସଂଗ୍ରହ କରି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପର୍ଯ୍ୟାୟକ୍ରମେ ଭୁବନେଶ୍ବର ଆରଏମଆରସିକୁ ପଠାଉଛି। ହେଲେ ସେଠାରେ ତାହା ପରୀକ୍ଷା ହୋଇ ରିପୋର୍ଟ ଆସିବାରେ ବିଳମ୍ବ ହେଉଛି। ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ସୋମବାର ଯାଏଁ ୨୮୪ ଜଣଙ୍କ ସାମ୍ପୁଲ ତଥା ସ୍ବାବ୍ ପଠାଇଥିଲା। ସେଥିମଧ୍ୟରୁ ୯୦ଟିର ରିପୋର୍ଟ ଆସିଥିଲା। ସବୁ ନେଗେଟିଭ ରହିଛି। ଅନ୍ୟମାନଙ୍କ କ୍ବାରେନଟାଇନ ଅବଧି ସରିଯାଇଥିଲେ ହେଁ ସେମାନଙ୍କ ଭିତରୁ କେତେ ଜଣଙ୍କ ରିପୋର୍ଟ ଆସି ନାହିଁ। ମଙ୍ଗଳବାର ସୁଦ୍ଧା ୧୦୭ଟି ରିପୋର୍ଟ ଆସିଥିବା ବେଳେ ପୁଣି ନୂଆ ୪୨ଟି ସାମ୍ପୁଲ ପଠାଯାଇଛି। ଏଯାଏଁ ମୋଟ ୩୨୬ ସାମ୍ପୁଲ ଯାଇଛି ଓ ୧୦୭ ରିପୋର୍ଟ ଆସିଛି। ଉଦବେଗର ବିଷୟ ଯେ, ସାମ୍ପୁଲ ଯାଇଥିବା କେତେ ଜଣଙ୍କ କ୍ବାରେନଟାଇନ ଅବଧି ସରିଗଲାଣି।
ସେମାନେ ଏବେ ବାହାରେ ବୁଲିବା ଆରମ୍ଭ କରିଛନ୍ତି। ଏପଟେ କିନ୍ତୁ ରିପୋର୍ଟ ଆସି ନାହିଁ। ଏଭଳି ବିଳମ୍ବ ଯୋଗୁଁ ଏବେ ବଲାଙ୍ଗୀର ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଚିନ୍ତାରେ ପଡିଛି। ତୁରନ୍ତ ସବୁ ରିପୋର୍ଟ ପଠାଇବାକୁ ଏଠାକାର ଦାୟିତ୍ବରେ ଥିବା ଅଧିକାରୀ ଆରଏମଆରସିକୁ କହୁଛନ୍ତି। ସେ ଯାହା ହେଉନା କାହିଁକି ଏ ପର୍ଯ୍ୟନ୍ତ ବଲାଙ୍ଗୀର ଜିଲ୍ଲାରେ କରୋନା ପଜେଟିଭ କେହି ନାହାନ୍ତି। ପ୍ରଥମ ପର୍ଯ୍ୟାୟ ଲକଡାଉନ ସରି ଦ୍ବିତୀୟ ପର୍ଯ୍ୟାୟ ଲକଡାଉନକୁ ଗଲାଣି। ଦ୍ବିତୀୟ ପର୍ଯ୍ୟାୟରେ ବି କୋଭିଡ ଫ୍ରି ବଲାଙ୍ଗୀର ରହୁ ବୋଲି ସମସ୍ତେ ଭଗବାନଙ୍କୁ ଡାକୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/06d2f88d-13ff-4b4e-a174-f4490130c6e5.jpg)