ଝଡ଼ ବର୍ଷାରେ ଭାଙ୍ଗିଲା ଘର, ସହାୟତା ଦାବି

ସିନ୍ଧେକେଲା: ଶନିବାର ରାତିରେ ହୋଇଥିବା କାଳବୈଶାଖୀ ଝଡ଼ ବର୍ଷାରେ ସିନ୍ଧେକେଲା ଜୋନ ଅନ୍ତର୍ଗତ ଅରସାତୁଲା ଗ୍ରାମର ଅଶୋକ ବେହେରା ଓ କୈବଲ୍ୟ ବେହେରାଙ୍କ ଘର ଭୁଶୁଡ଼ି ପଡ଼ିଛି। ସୌଭାଗ୍ୟବଶତଃ ଉଭୟ ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଅଶୋକ ନିଜ ପରିବାର ୪ ଜଣ ସଦସ୍ୟ ସ୍ତ୍ରୀ ପ୍ରଭାବତୀ ସମେତ ପୁଅ ରୋହନ (୬), ପ୍ରଭାତ (୪) ଏବଂ କୈବଲ୍ୟ ନିଜ ପରିବାର ୪ ଜଣ ସଦସ୍ୟ ସ୍ତ୍ରୀ କୁମୁଦିନୀ ସମେତ ପୁଅ ଜିମେଶ (୬), ଝିଅ ଭଗ୍ନି (୨) ସହ ନିଜ ମାଟି ଘରେ ଥିଲେ। ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଏହି ଦୁଇ ପରିବାର ସୁଖେ ଦୁଃଖେ ନିଜର ଗୁଜୁରାଣ ମେଣ୍ଟାଇ ଚଳୁଥିଲେ। ବର୍ଷା ଏମାନଙ୍କ ପାଇଁ ଦାଉ ସାଧିଛି। ନିଜର ମୁଣ୍ଡ ଗୁଞ୍ଜିବାକୁ ଥିବା ମାଟି ଘର ଖଣ୍ଡିକ ବର୍ଷାରେ ଦୈବାତ୍‌ ଭୁଶୁଡ଼ି ଯିବା କାରଣରୁ ଏହି ଉଭୟ ପରିବାର ଲୋକେ ବାସହରା ହୋଇ ପଡ଼ିଛନ୍ତି। ଆର୍ଥିକ ଦୃଷ୍ଟିରୁ ଉଭୟ ପରିବାର ସ୍ୱଚ୍ଛଳ ନ ଥିବାରୁ ବ୍ଲକ ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ଗୋଟିଏ ଲେଖାଏଁ ଘର ଏମାନଙ୍କୁ ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର