ଦେଓଗାଁ: ଦେଓଗାଁ ଥାନା ଅନ୍ତର୍ଗତ ଉପରଝର-ଆଠ ଗାଁ ରାସ୍ତାରେ ସୋମବାର ସନ୍ଧ୍ୟାରେ ହୋଇଥିବା ଲୁଟ ଘଟଣାର ଲୁଟେରା ଧରାପଡିନଥିବା ବେଳେ ବୁଧବାର ସନ୍ଧ୍ୟାରେ ଜଳିଆ-ଫଟାମୁଣ୍ଡା ରାସ୍ତାରେ ଲକ୍ଷେ ୩୮ ହଜାର ଲୁଟ ହୋଇଛି। ଗୋଟିଏ ନିର୍ଦ୍ଧିଷ୍ଟ ଅଞ୍ଚଳରେ ୪ଦିନରେ ୧ଲକ୍ଷ ୭୪ହଜାର ଟଙ୍କା ଲୁଟ ହୋଇଥିଲେ ବି ଜୁଆ ଖେଳକୁ ପ୍ରଶୟ ଦେଉଥିବା ପୁଲିସ ଲୁଟେରାଙ୍କ କୌଣସି ପତା ପାଇପାରୁନଥିବାରୁ ଦେଓଗାଁ ଅଞ୍ଚଳରେ ଲୋକେ ଚିନ୍ତାରେ ଅଛନ୍ତି।
ବୁଧବାର ସନ୍ଧ୍ୟାରେ ଫଟାମୁଣ୍ଡା-ଜଳିଆ ରାସ୍ତାରେ ଭାରତ ଫାଇନାନ୍ସ କମ୍ପାନି ଏଜେଣ୍ଟ ବିଜୟ ନାଗଙ୍କ ଠାରୁ ତିନି ଜଣ ମୁଖାପିନ୍ଧା ଦୁର୍ବୃତ୍ତ ସେହି ସମାନ ଢଙ୍ଗରେ ଆକ୍ରମଣ କରି ୧ ଲକ୍ଷ ୩୮ ଟଙ୍କା ଡକାୟତି ହୋଇଥିବା ନେଇ ଦେଓଗାଁ ଥାନାରେ ଅଭିଯୋଗ ହୋଇଛି। ପୁଲିସ ଏନେଇ ଅଭିଯୋଗ ପାଇବା ପରେ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି। ସେହିପରି ଗତ ସୋମବାର ଦିନ ବଲାଙ୍ଗୀର ପୂଜା ମେଡିସିନ ହୋଲସେଲର ଦୁଇ ଜଣ କର୍ମକର୍ତ୍ତା ଶୋଭାବନ ମିଶ୍ର ଓ କରୁଣା କର ନାଏକ ବିଭିନ୍ନ ଔଷଧ ଦୋକାନ ରେ ଔଷଧ ବିକ୍ରି କରି ଫେରୁଥିବା ବେଳେ ଉପରଝର ଘାଟି ନିକଟରେ ଲୁଟର ଶିକାର ହୋଇଥିଲେ। ତିନି ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଭୁଜାଲି ଦେଖାଇ ମାରପିଟ କରି ୩୬,୫୧୨ ଟଙ୍କା ଲୁଟିନେଇଥିବା ନେଇ ଦେଓଗାଁ ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ଲୁଟେରାଙ୍କୁ ଠାବ କରିବାରେ ବିଫଳ ହୋଇଛି ଦେଓଗାଁ ପୁଲିସ। ଗୋଟିଏ ଅଞ୍ଚଳରେ ବାରମ୍ବାର ୪ଦିନ ଭିତରେ ଲକ୍ଷାଧିକ ଟଙ୍କା ଲୁଟ ହେବାରୁ ଅଞ୍ଚଳର ଲୋକଙ୍କ ମଧ୍ୟରେ କୋକୁଆ ଭୟ ଦେଖା ଦେଇଛି
ସୂଚନାଯୋଗ୍ୟ ଯେ ଦେଓଗାଁ ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଗଲା କିଛି ମାସ ହେଲା ଖୁଡ଼ଖୁଡୁ ପଟି ଜୁଆ ଖେଳ ଖୁଲମଖୁଲା ଭାବରେ ଚାଲିଛି। ଏହି ଖେଳକୁ ବରଗଡ଼ ଅଞ୍ଚଳରୁ ଜୁଆଡ଼ିମାନେ ଆସି ନିୟନ୍ତ୍ରଣ କରୁଛନ୍ତି। ଏବେ ଏହି ଜୁଆ ଖେଳରେ ସର୍ବସ୍ୱ ହରାଇଥିବା ଲୋକମାନେ ରାସ୍ତାଘାଟରେ ଲୁଟପାଟ କରି ଦିନ ଦ୍ୱିପହରରେ ବି ଡକାୟତି କରୁଥିବା ଚର୍ଚ୍ଚା ହେଉଛି। ଦେଓଗାଁ ଅଞ୍ଚଳରେ ବାରମ୍ବାର ଚୋରି ଡକାୟତି ହେଉଥିଲେ ବି ପୁଲିସ ଜୁଆ ଖେଳକୁ ପ୍ରଶୟ ଦେଇ ଚୁପ ରହୁଛି। ଉପରଝର ଡକାୟତି ଘଟଣାକୁ ୪୮ ଘଣ୍ଟା ବିତିଯାଇଥିଲେ ବି ପୁଲିସ ହାତ ଖାଲି ରହିଛି। ଏଣୁ ଜିଲ୍ଲା ପୁଲିସ ପ୍ରଶାସନ ଦେଓଗାଁ ଥାନା ପ୍ରତି ଦୃଷ୍ଟି ଦେବାକୁ ସାଧାରଣ ରେ ଦାବି ହେଉଛି।