ସଇନ୍ତଲା: ବଲାଙ୍ଗୀର ଜିଲ୍ଲା ସଇନ୍ତଲା ସଦର ମହକୁମା ଶଙ୍କରଚୌକ ଅଞ୍ଚଳକୁ ବହୁଦିନ ହେଲେ ପାନୀୟଜଳ ଯୋଗାଣ ବନ୍ଦରହିଛି। ଫଳରେ ପାଣି ଟିକକ ପାଇଁ ପଡ଼ାବାସୀ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ଏନେଇ ବିଡିଓ ବିନୟ ଭୋଇଙ୍କୁ ଭେଟି ତୁରନ୍ତ ପାନୀୟଜଳ ଯୋଗାଇଦେବାକୁ ଏକ ଦାବିପତ୍ର ଦେଇଛନ୍ତି। ପ୍ରକାଶ ଯେ, ଶଙ୍କରଚୌକ ଅଞ୍ଚଳରେ ପାନୀୟଜଳର ଅନ୍ୟ କୌଣସି ବ୍ୟବସ୍ଥା ନଥିବାରୁ ପଡ଼ାବାସୀ ନଦୀରୁ ଆସୁଥିବା ପାଇପ ଜଳ ଉପରେ ନିର୍ଭର କରିଥାନ୍ତି। କିନ୍ତୁ ବହୁ ଦିନ ହେଲା ପାଇପ ଜଳଯୋଗାଣ ବନ୍ଦ ରହିଛି। ଏ ବିଷୟରେ ଜଳଯୋଗାଣ ଓ ପରିମଳ ବିଭାଗ, ସରପଞ୍ଚ ଏବଂ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି ଶୁଣୁ ନାହାନ୍ତି। ଆଗାମୀ ଦିନରେ ଜଳଯୋଗାଣ ନହେଲେ ପଡ଼ାବାସୀ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।
ଦାବିପତ୍ର ଦେବା ସମୟରେ ଶଙ୍କରଚୌକର ରଜତ ପଟ୍ଟନାୟକ, କିଶୋର ଅଗ୍ରୱାଲ, ସଞ୍ଜୟ ଅଗ୍ରୱାଲ, ଶୁଭମ ମହାକୁର, ଶ୍ରୀକାନ୍ତ ଯୋଷୀ, ଗୋପାଳ ଅଗ୍ରୱାଲ, ଅବିନାଶ ବୈଠାରୁ, ସୋନୁ ବୈଠାରୁ, ମନୋଜ ଅଗ୍ରୱାଲ, ଦୀପକ ମହାକୁର, ମହେଶ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟପକ୍ଷରେ ସଇନ୍ତଲା କଅଁସରପଡ଼ା ନିକଟରେ ସହରକୁ ଜଳଯୋଗାଣ ପାଇଁ ବସୁଧା ଯୋଜନାରେ ଏକ ଓଭରହେଡ ଟ୍ୟାଙ୍କ ନିର୍ମାଣ ହୋଇସାରିଛି। ହେଲେ ଅଦ୍ୟାବଧି ତାହା କାର୍ଯ୍ୟକ୍ଷମ ହୋଇପାରିନାହିଁ। ଫଳରେ ସଇନ୍ତଲାର ସମସ୍ତ ପଡ଼ାକୁ ପାନୀୟଜଳ ଠିକ୍ ଭାବରେ ପହଞ୍ଚି ପାରୁନାହିଁ। ଏ ବିଷୟରେ ଜଳ ଯୋଗାଣ ଓ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀ ଇତିଶ୍ରୀ ଦେହୁରୀଙ୍କୁ ପଚାରିବାରୁ କହିଥିଲେ, ଲାନ୍ଥ ନଦୀର ପାଣି ନଦୀକୂଳରେ ଥିବା ଟ୍ୟାଙ୍କ ପର୍ଯ୍ୟନ୍ତ ପହଞ୍ଚି ପାରୁନଥିବାରୁ ଜଳଯୋଗାଣରେ ବାଧା ସୃଷ୍ଟି ହେଉଛି। ଖୁବ୍ଶୀଘ୍ର ସମସ୍ୟାର ସମାଧାନ କରାଯାଇ ସମସ୍ତ ପଡ଼ାକୁ ଠିକ୍ ଭାବରେ ଜଳଯୋଗାଣ କରାଯିବ ବୋଲି କହିଛନ୍ତି। ସେହିପରି ସଇନ୍ତଲାର ବ୍ଲକ୍ କଲୋନି ଓ ବ୍ଲକ୍ ଛକ, କଅଁସରପଡ଼ା, ନବୀନ ଛକ, ବେନିଆଁବନ୍ଧ, ଲାଚୁଟ, ବନାରସ ଅଞ୍ଚଳରେ ମଧ୍ୟ ପାନୀୟଜଳ ସମସ୍ୟା ଲାଗିରହିଛି।