କୃଷି ବୀମା ସହ ମରୁଡ଼ି ପ୍ୟାକେଜ ପ୍ରଦାନ ଦାବି: କୃଷକ ସେନାର ଉପଜିଲ୍ଲାପାଳ ଅଫିସ ଘେରାଉ

ପାଟଣାଗଡ଼: ଗତ ଖରିଫ ଋତୁ ସମୟରେ ଭୟଙ୍କର ମରୁଡ଼ିର ସମ୍ମୁଖୀନ ହୋଇଥିବା ଚାଷୀ ନିଜ ବୀମା ରାଶି ଏ ଯାଏଁ ପାଇ ନ ଥିବାରୁ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟୁ କୃଷକ ସେନା ଘେରାଉ କରିଥିବା ଜଣାପଡିଛି। ଚାଷୀମାନେ ଏକତ୍ରିତ ହୋଇ ଏକ ଶୋଭାଯାତ୍ରାରେ ବାହାରି ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ। ସେଠାରେ ବିକ୍ଷୋଭ ପ୍ରଦର୍ଶନ, ଘେରାଉ କରିବା ସହିତ ଧାରଣାରେ ବସିଥିଲେ। ପରେ ସେମାନେ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ପାଟଣାଗଡ଼ ଉପଜିଲ୍ଲାପାଳଙ୍କୁ ୩ ଦଫା ଦାବିପତ୍ର ପ୍ରଦାନ କରିଥିବା ଜଣାପଡ଼ିଛି।

ଦାବିପତ୍ରରେ ଧାନ ବିହନ, ସାର ଓ କୀଟନାଶକ ଔଷଧର ଅହେତୁକ ମୂଲ୍ୟବୃଦ୍ଧିକୁ ବନ୍ଦ କରିବା, ଚାଷର ସଫଳ ବୀମା ରାଶି ସହ ମରୁ଼ଡ଼ି ପ୍ୟାକେଜ୍ ପ୍ରଦାନ କରାଯିବା, ଏମଏସପିକୁ ଆଇନଗତ ମାନ୍ୟତା ସହ ମୂଲ୍ୟବୃଦ୍ଧି କରିବା ଆଦି ଉଲ୍ଲେଖ କରାଯାଇଥିବା ଜଣାପଡ଼ିଛି। ତେବେ ଆଗାମୀ ୧୫ ଦିନ ମଧ୍ୟରେ କୃଷକମାନଙ୍କ ବୀମା ରାଶି ନ ପାଇଲେ ପାଟଣାଗଡ଼ର ସମସ୍ତ ଅଫିସରେ ତାଲା ମାରିବା ନେଇ ଧମକ ଦିଆ ଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର