ଦେଓଗାଁ ବ୍ଲକରେ ନିର୍ବାଚନ ପ୍ରଚାର :ଚାଷୀଙ୍କୁ ଲାଭ ଦେବ କଂଗ୍ରେସ ସରକାର: ନରସିଂହ

ବଲାଙ୍ଗୀର/ଦେଓଗାଁ: ବିରୋଧୀ ଦଳ ନେତା ନରସିଂହ ମିଶ୍ର ଦେଓଗାଁ ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତରେ ନିର୍ବାଚନ ପ୍ରଚାର କରିଛନ୍ତି। ପିଲାତିମହୁଲ, ସତୀଘାଟ, ଡୁମେରପିଟା, ଚିପାକାନି, ଗୋୟଲପିଟା, ରାମଚନ୍ଦ୍ରପୁର, ପରୁଆଭାଡି, ମାଟୁପାଲି, ଲୁହାଖାନ, କୁପ୍ରିମହୁଲ, ସିଂହାମୁଣ୍ଡା, ଦେଷଣ୍ଢ ଇତ୍ୟାଦି ଗ୍ରାମରେ ନିଜ ସମର୍ଥକଙ୍କ ସହ ନିଜ ତଥା ସାଂସଦ ପ୍ରାର୍ଥୀ ସମରେନ୍ଦ୍ରଙ୍କୁ ଭୋଟ ଦେବା ପାଇଁ ଲୋକମାନଙ୍କୁ ନିବେଦନ କରିଛନ୍ତି। ଉପରୋକ୍ତ ଗ୍ରାମଗୁଡିକରେ ନିର୍ବାଚନୀ ସଭାମାନଙ୍କରେ ଶ୍ରୀ ମିଶ୍ର କହିଛନ୍ତି, କଂଗ୍ରେସ ସରକାର ହିଁ କେବଳ ଚାଷୀଙ୍କ ଦୁଃଖ ବୁଝିଥାଏ। ଅତୀତରେ କଂଗ୍ରେସ ସରକାର ଚାଷୀଙ୍କର ଋଣ ମାଫ କରିଛି। ସଦ୍ୟ ସମାପ୍ତ ତଥା ସରକାରରେ ଆସିଥିବା ଛତିଶଗଡ଼, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ଚାଷୀମାନଙ୍କ ପାଇଁ ଋଣକୁ ମାଫ କରାଯାଇଛି। ଏଥିରୁ ସ୍ପଷ୍ଟ କରାଯାଇ ପାରେ କଂଗ୍ରେସ ସରକାରକୁ ଆସିଲେ ଚାଷୀ ନିଶ୍ଚିତ ଲାଭବାନ ହେବ। ଆହୁରି ମଧ୍ୟ ଶ୍ରୀ ମିଶ୍ର କାଳିଆ ଯୋଜନାକୁ ଖୁବ୍ ସମାଲୋଚନା କରିଥିଲେ। କାଳିଆ ଯୋଜନା କେବଳ ଏକ ନିର୍ବାଚନୀ ଚାଲ୍‌ କହିବା ସହ ଧାନର ସର୍ବନିମ୍ନ ମୂଲ୍ୟ ୨୬୦୦ ଟଙ୍କା ବୃଦ୍ଧି ହେଲେ ହିଁ ଚାଷୀଙ୍କ ଅସଲ ଦୁଃଖ ଯିବ ବୋଲି କହିଥିଲେ ଏବଂ ଏହା କଂଗ୍ରେସ ସରକାର ହିଁ କରିବ। ଏହି ନିର୍ବାଚନୀ ସଭାମାନଙ୍କରେ ନିର୍ବାଚନ କମ ଦିନ ଥିଲେ ସୁଦ୍ଧା ସରକାରୀ ଯୋଜନାରୁ କିଛି ଲାଭ ପାଇ ନ ଥିବା ଅନେକ ବୁଢ଼ା, ବୁଢ଼ୀ, ଭିନ୍ନକ୍ଷମ ତଥା ଭୂମିହୀନ, ଗୃହହୀନ ଲୋକେ ବିଧାୟକଙ୍କୁ ତାଙ୍କର ଅଭାବ ଅସୁବିଧା କହିଥିଲେ। ଆଜିର ଏହି ନିର୍ବାଚନୀ ଗସ୍ତରେ ବିଧାୟକ ଶ୍ରୀ ମିଶ୍ରଙ୍କ ସହ ଜୋନ ସଭାପତି ରାମଜୀ ଚୌଧୁରୀ, ଦେଓଗାଁ ବ୍ଲକ ସଭାପତି ଯୋଗେଶ୍ୱର ସାହୁ, ରାମଚନ୍ଦ୍ରପୁର ସରପଞ୍ଚ ଗୌର ଚନ୍ଦନ, ମାସନ ଖମାରୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର