ପାଟଣାଗଡ଼: ପାଟଣାଗଡ଼ ବ୍ଲକ ଲରମ୍ଭା ଥାନା ଅନ୍ତର୍ଗତ ବାହାଲଭଟଲି ଗ୍ରାମରେ ଜନୈକ ମହିଳାଙ୍କ ମୃତଦେହ ଉଦ୍ଧାର କରା ଯାଇଥିବା ଜଣାପଡ଼ିଛି। ତେବେ ଏହା ଏକ ଯୌତୁକଜନିତ ହତ୍ୟାକାଣ୍ଡ ବୋଲି ଯୁବତୀଙ୍କ ବାପଘର ଲୋକେ ଅଭିଯୋଗ କରିଥିବା ଜଣାଯାଇଛି।
ପୁଲିସର ସୂଚନା ଅନୁଯାୟୀ, ପାଟଣାଗଡ଼ ବ୍ଲକ ଲରମ୍ଭା ଥାନା ଅନ୍ତର୍ଗତ ବାହାଲଭଟଲି ଗ୍ରାମର ତାପସରଂଜନ ସୁନା ଗତ ୪ ବର୍ଷ ପୂର୍ବେ ପଦ୍ମପୁର ରାଜାପଡାର ସୁପ୍ରିୟା ସୁନାଙ୍କୁ ପ୍ରେମ ବିବାହ କରିଥିଲେ। ସେମାନଙ୍କ ଏକ ଅଢେଇ ବର୍ଷର ପୁଅ ରହିଛି। ତେବେ ପରିବାରରେ କଳହ ଲାଗି ରହୁଥିବା ବେଳେ ଉଭୟ ପତିପତ୍ନୀ ମଧ୍ୟରେ ଯୌତୁକକୁ ନେଇ ଝଗଡା ଲାଗି ରହିଥିଲା। ଝଗଡାରେ ନିଜର ମାନସିକ ଭାରସାମ୍ୟ ହରାଇ ସୁପ୍ରିୟା ଘର ଭିତରେ ଆତ୍ମହତ୍ୟା କରିଥିଲେ।
ତେବେ ସୁପ୍ରିୟା ଆତ୍ମହତ୍ୟା କରିଥିବା ନେଇ ତାପସ ନିଜ ଶଶୁର ଘର ଲୋକଙ୍କୁ ଫୋନ କରି କହିଥିଲା। ସୁପ୍ରିୟାଙ୍କ ବାପ ଘର ଲୋକେ ବାହାଲଭଟଲି ଗ୍ରାମରେ ପହଞ୍ଚିଥିଲେ। ପରେ ଲରମ୍ଭା ଥାନାରେ ଏହା ଏକ ଯୌତୁକଜନିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ଲରମ୍ଭା ପୁଲିସ କେସ ନଂ ୫୨ ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି। ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଥିବା ନେଇ ଲରମ୍ଭା ଥାନାଧିକାରୀ ସୁଶାନ୍ତ ପ୍ରଧାନ କହିଛନ୍ତି।