ବଲାଙ୍ଗୀର: ବଲାଙ୍ଗୀର ସହରରେ ଧୂଳି ଢେର ହଲାପଟା କଲାଣି। ସାଧାରଣ ଲୋକେ ଧୂଳି ପାଇଁ ଅତିଷ୍ଠ ହେଲେଣି। ସାମାଜିକ ଗଣମାଧ୍ୟମରୁ ସାଧାରଣ ସ୍ଥାନରେ ଧୂଳିକୁ ନେଇ ଅନେକ ଆଲୋଚନା ସମାଲୋଚନା। ଗଣମାଧ୍ୟମର ଶିରୋନାମାରେ ବି ରହିଛି ସହରର ଧୂଳି ପ୍ରସଙ୍ଗ। ପୌରପାଳିକାରେ ଅତ୍ୟାଧୁନିକ ଧୂଳି ସଫା କରା ମେସିନ୍ ଥିବା ବେଳେ ତାହା ପଡି ରହିଥିଲା ଅଚଳ ହୋଇ। ତେଣୁ ପୌରପାଳିକାକୁ ଏଥିପାଇଁ ସମାଲୋଚିତ ହେବାକୁ ପଡିଥିଲା। ଶେଷରେ ପୌରପାଳିକାର ସଫେଇ କର୍ମଚାରୀମାନେ ଲାଗି ଧୂଳି ସଫା କରିବା ଆରମ୍ଭ କରିଥିଲେ। ହେଲେ କେତେ କରିବେ? ପାଣି ଢାଳି ଧୂଳି ଚପେଇ ଦେବାକୁ ଚେଷ୍ଟା ବି କଲେ। କିନ୍ତୁ କେତେ ଦିନ?
ବୁଧୁବାର ରାତିରେ ସାମାଜିକ ଗଣମାଧ୍ୟମରେ ଏକ ଖବର ଚାରିଆଡେ ଖେଳିଗଲା। ବଲାଙ୍ଗୀର ସହରରେ ପୁଣି ଧୂଳି ଉଠାଇବା ମେସିନ ତା’ କାମ ଆରମ୍ଭ କରିଛି। ଏପରିକି ରାତି ସାଢେ ୧୦ଟାରୁ ପୌରାଧ୍ୟକ୍ଷା ସନ୍ତୋଷିନୀ ବେହେରା ନିଜେ ଠିଆ ହୋଇ ଧୂଳି ସଫା କରୁଥିବା ଫଟୋ ବି ଛଡ଼ା ଯାଇଛି। ପୌର ଇତିହାସରେ ଏଭଳି ଜଣେ ପୌରାଧ୍ୟକ୍ଷା ଯିଏ ରାତି ଅଧରେ ଠିଆ କାମ କରାଉଛନ୍ତି ବୋଲି ବାର୍ତ୍ତା ଦିଆଯାଉଛି। ତେବେ ଭଲ ଖବର ହେଉଛି ଯେ, ଅଦରକାରୀ ଓ ଖରାପ ହୋଇ ପଡିଥିବା ଧୂଳି ଉଠା ମେସିନ ପୁଣିଥରେ କାମ କରିବା। ତେବେ ଗୁରୁବାର ସକାଳେ ନଗର କଂଗ୍ରେସ ପକ୍ଷରୁ ପୌର ଦୁର୍ନୀତି ସହ ସହରର ଧୂଳି ସମସ୍ୟାକୁ ପ୍ରମୁଖ ପ୍ରସଙ୍ଗ କରାଯାଇଥିଲା। ଆଉ ଆଜି ଧୂଳି ସଫା କରା ଗାଡି ଭଳି ଦିଶୁଥିବା ଆଉ ଏକ ଗାଡି କଂଗ୍ରେସ ପକ୍ଷରୁ ଅଣାଯାଇଥିଲା। କଂଗ୍ରେସର ପ୍ରତିବାଦ ସ୍ୱରୂପ ଏହି ଗାଡିକୁ ରଖାଯାଇଥିବା ବେଳେ ସାଧାରଣ ଲୋକେ ଅଭିନବ ପ୍ରତିବାଦକୁ ଆଖି ଭରି ଦେଖିଥିଲେ। ଏହି ଗାଡିଟି ଧୂଳି ସଫାକରା ଗାଡି ଭଳି କରାଯାଇଥିବା ବେଳେ ସେଠାରେ ‘ମୁଁ ଧୂଳି ସଫା କରା ମେସିନ୍’ ଉଲ୍ଲେଖ ରହିଛି। ସେହିପରି ‘ମୋତେ କିଣାଯାଇଛି ବାଃ ବାଃ ନେବା ପାଇଁ..ମୁଁ ରାଜକିଆ ମେସିନ। ମୋତେ ୭୫ ଲକ୍ଷ ଟଙ୍କା ଦେଇ କିଣାଯାଇଛି। ମୁଁ କେବେ କାମରେ ଲାନେ ନାହିଁ। ମୋତେ କିଣିବା ଲୋକେ ପିସି ଖାଇଛନ୍ତି। ମୁଁ ବଲାଙ୍ଗୀର ଜନତାଙ୍କୁ ଠକିବାକୁ ଆସିଛି’ ବୋଲି ଦର୍ଶାଯାଇଛି। ବିକ୍ଷୋଭ ଅପେକ୍ଷା ଅନେକ ଲୋକଙ୍କୁ ଏହି ଗାଡିଟି ପାଖକୁ ଟାଣି ନେଉଥିଲା। ଆଉ ଲୋକେ ବି ପଢିବା ସହ ହସୁଥିଲେ। ଅଭିନବ ପ୍ରତିବାଦର ଶୈଳୀକୁ ଦେଖିବା ସହ ପୌରପାଳିକାକୁ ସମାଲୋଚନା କରୁଥିଲେ।
ବଲାଙ୍ଗୀରରେ ଏବେ ଧୂଳି ରାଜନୀତି: ରାତିରେ ସଫେଇ, ସକାଳେ ବିକ୍ଷୋଭ
/sambad/media/post_attachments/wp-content/uploads/2018/01/blgr26a.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)